ଜିଲ୍ଲାରେ ନିମୋନିଆ ମୃତୁ୍ୟ ସ୍ଥିତି ସାଂଘାତିକ

ବାରିପଦା: ଆଦିବାସୀ ବହୁଳ ଜିଲ୍ଲା ମୟୂରଭଞ୍ଜ ଜିଲ୍ଲାକୁ ଗ୍ରାସିବାକୁ ବସିଛି ନିମୋନିଆ । ଏହି ନିମୋନିଆ ରୋଗ ଜିଲ୍ଲାରେ ଶିଶୁଙ୍କୁ ମୃତୁ୍ୟ ମୁଖକୁ ଟାଣି ନେଉଥିବାବେଳେ, ଜଳକା ହୋଇ ଚାହିଁ ରହିଛି ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ । ଜିଲ୍ଲାରେ ଏହି ରୋଗ ଗତ ୧୧ ମାସ ମଧ୍ୟରେ ୫୯୩ ଜଣ ଶିଶୁଙ୍କ ମୃତୁ୍ୟର କାରଣ ପାଲଟିଥିବାବେଳେ, କାନମୁଣ୍ଡା ଆଉଁସି ଆଦିବାସୀ ଅଞ୍ଚଳରେ ସ୍ୱାସ୍ଥ୍ୟ ବିଭାଗକୁ ଉପେକ୍ଷା କରି ଝାଡଫୁଙ୍କା ଓ ଗୁଣିଆକୁ ଅଧିକ ପ୍ରାଧାନ୍ୟ ଦେଇଛନ୍ତି । ଏହି ନିମୋନିଆ ରୋଗ ଧୀରେ ଧୀରେ ଜିଲ୍ଲାରେ ମାଡିବାରେ ଲାଗିଛି । ତେବେ ଜିଲ୍ଲାରେ ଯେଉଁ ଶିଶୁ ମୃତୁ୍ୟ ବରଣ କରିଛନ୍ତି ସେଥିରେ ୨୦୮ ଜଣ ୧ରୁ ୫ ବର୍ଷା ପିଲା ରହିଥିବାବେଳେ, ୧୯୭ ଜଣ ୬ ମାସରୁ ୧୧ ମାସର ଶିଶୁ ରହିଛନ୍ତି  । ସେହିପରି ୧୮୮ଜଣ ୨୮ ଦିନିର ନବଜାତକ ଶିଶୁ ରହିଛନ୍ତି । ଜିଲ୍ଲାର ବାଙ୍ଗିରିପୋଷୀ, ଶାମାଖୁଣ୍ଟା, ରାଇରଙ୍ଗପୁର, ବାରିପଦା, ରାସଗୋବିନ୍ଦପୁର, ବିଜାତଳା, ଖୁଣ୍ଟା, ବଡସାହି, ଯଶିପୁର, କୁସୁମି, ବହଳଦା, ତିରିଂ, ସାରସକଣା, ମୋରଡା, ଶୁଳିଆପଦ, ଠାକୁରମୁଣ୍ଡା, କପ୍ତିପଦା, ଉଦଳା ଓ ବେତନଟି ପରି ବ୍ଲକରେ ଏହି ନିମୋନିଆ ରୋଗର ପ୍ରଭାବ ଅଧିକ । ଏହାର ନିରୋଧ କରିବାକୁ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ଏକାଧିକ ଯୋଜନା କରିଥିବାବେଳେ, ଏହା ସଫଳତା ପ୍ରତି ପ୍ରଶ୍ୱବାଚୀ ସୃଷ୍ଟି ହୋଇଛି । ପାହାଡଜଙ୍ଗଲ ଘେରା ମୟୁରଭଞ୍ଜ ଜିଲ୍ଲା ରାଜ୍ୟରେ ସବୁଠୁ ବଡ ଜିଲ୍ଲା ।ଏହି ନିମୋନିଆ ରୋଗ ମୁଖ୍ୟତଃ ଜୁନରୁ ସେପ୍ଟେମ୍ବର ଓ ନଭେମ୍ବରରୁ ଫେବ୍ରୁଆରୀ ମାସ ଯାଏ ଅଧିକ ଶିଶୁ, କିଶୋର ଓ ୨୮ଦିନିଆ ସଦ୍ୟ ନବଜତ ଶିଶୁଙ୍କ ନିକଟରେ ଦେଖିବାକୁ ମିଳିଥାଏ  । ନିମୋନିଆ ରୋଗ ଜୀବାଣୁ କିମ୍ବା ଭୁତାଣୁ ସହ ଅଳ୍ପ ମାତ୍ରାରେ କବକ କିମ୍ବା ପରଜୀବୀଦ୍ୱାରା ସୃଷ୍ଟି ହୁଏ । ଏକ ଶହରୁ ଅଧିକ ପ୍ରଜାତିର ସଂକ୍ରମଣ କାରକ ଥିଲେ ମଧ୍ୟ ଅଧିକାଂଶ କ୍ଷେତ୍ରରେ ଅଳ୍ପ କେତେକଙ୍କଦ୍ୱାରା ଏହି ନିମୋନିଆ ରୋଗ ହୁଏ । ଜୀବାଣୁ ଓ ଭୁତାଣୁର ମିଶ୍ରିତ ସଂକ୍ରମଣ ୧୫% ଯୁବକଙ୍କଠାରେ ଓ ୪୫% ପିଲାମାନଙ୍କଠାରେ ଦେଖାଯାଏ । ଯତ୍ନର ସହ ପରୀକ୍ଷା କଲେ ମଧ୍ୟ ଅଦେ୍ର୍ଧକ ରୋଗର ପ୍ରତିନିଧି ଚିହ୍ନି ହୁଏ ନାହିଁ । ତେବେ ଜିଲ୍ଲାରେ ଏହି ରୋଗକୁ ରୋକିବାକୁ ହେଲେ ଟିକାକରଣକୁ ଗୁରୁତ୍ୱ ଦିଆଯିବା ନବଜାତକଙ୍କୁ ପ୍ରଥମ ୬ରୁ ୮ମାସ ଅତି ଯତ୍ନର ସହ ରଖିବାକୁ ପଡିଥାଏ । ଜ୍ୱର ହେଲେ ଏହି ଅଞ୍ଚଳରେ ଡାକ୍ତରଖାନା ନ ଆସି ଝାଡଫୁଙ୍କକୁ ଅଧିକ ଗୁରୁତ୍ୱ ଦେଉଥିବାବେଳେ, ଡାକ୍ତରଖାନାକୁ ଆଣିଲାବେଳେକୁ ଶିଶୁଟି ଗୁରୁତର ହୋଇଯାଇଥିବାରୁ ମୃତୁ୍ୟମୁଖରେ ପଡିଥିବା ଜଣାଯାଇଛି । ଏନେଇ ସିଡିଏମଓ ଡ. ପ୍ରଭାତ କୁମାର ବେହେରା କହିଛନ୍ତି ଯେ, ନିମୋନିଆ ଏକ ସାଧାରଣ ରୋଗ । ଏହାକୁ ରୋକିବାକୁ ହେଲେ ଟିକାକରଣକୁ ଗୁରୁତ୍ୱ ଦେଉଛୁ । ଜିଲ୍ଲାରେ ନିମୋନିଆଯାଗୁଁ ଶିଶୁ ମୃତୁ୍ୟ ମରିଥିବା ଖବର ରହିଛି । ଟିକାକରଣ ଓ ସଚେତନତାକୁ ଗୁରୁତ୍ୱ ଦେଉଛୁ ବୋଲି ସେ କହିଛନ୍ତି । କିନ୍ତୁ ଏହି ଗୁରୁତ୍ୱ ସେମାନଙ୍କ ପାଖେ କେବେ ପହଂଚିବ ଜଣା ନାହିଁ ।