ଜେଲ୍ ଗଲେ ୧୨ ଅଣସେବାୟତ : ଶ୍ରୀମନ୍ଦିରର ପବିତ୍ରତାକୁ ନେଇ ସାଲିସ୍ ହେବନି : ଏସ୍ପି
ପୁରୀ : ରାଜ୍ୟ ବାହାରୁ ଆସୁଥିବା ଭକ୍ତଙ୍କୁ ଶୀଘ୍ର ଓ ସୁବିଧାରେ ଦର୍ଶନ କରାଇବାକୁ କହି ଲୁଟୁଥିଲେ କିଛି ଅଣ ସେବାୟତ । ଯାହାକୁ ନେଇ ପୁରୀ ପୁଲିସ୍ ଓ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଏଭଳି କାମ କରୁଥିବା ୧୨ ଅଣ ସେବାୟତଙ୍କୁ ଗିରଫ କରାଯାଇ ଜେଲ୍ ପଠାଇ ଦିଆଯାଇଛି ।
ପ୍ରତ୍ୟେକ ଦିନ ଲକ୍ଷଲକ୍ଷ ଶ୍ରଦ୍ଧାଳୁ ଶ୍ରୀଜୀଉଙ୍କୁ ଦର୍ଶନ କରିବା ପାଇଁ ପୁରୀକୁ ଛୁଟି ଆସୁଛନ୍ତି । ଜଗନ୍ନାଥ ମନ୍ଦିରରେ ଦର୍ଶନର ସ୍ୱତନ୍ତ୍ର ବ୍ୟବସ୍ଥା ରହିଛି । ଚାରିଦ୍ୱାରରୁ ଭିଡ଼କୁ ନିୟନ୍ତ୍ରଣ କରି ଦର୍ଶନାର୍ଥୀମାନଙ୍କୁ ଭିତରକୁ ଛଡ଼ାଯାଇଥାଏ । ଏଥିପାଇଁ ମନ୍ଦିର ବାହାରେ ଓ ବେଢାରେ ଦୀର୍ଘ ସମୟ ଧରି ଯାତ୍ରୀମାନଙ୍କୁ ଅପେକ୍ଷା କରିବାକୁ ପଡ଼ିଥାଏ । କିନ୍ତୁ ରାଜ୍ୟ ବାହାରୁ ଆସୁଥିବା ଭକ୍ତମାନଙ୍କୁ ଶୀଘ୍ର ଓ ସୁବିଧାରେ ଦର୍ଶନ କରାଇଦେବାକୁ କହି ଅର୍ଥ ଆଦାୟ କରୁଥିବା କିଛି ଅସାମାଜିକ ଯୁବକ ପୋଲିସର ଦୃଷ୍ଟିକୁ ଆସିବା ପରେ ସେମାନଙ୍କୁ ଗିରଫ କରାଯାଇଛି । କିଛିଦିନ ଧରି ପୋଲିସ ଏହାକୁ ଅନୁଧ୍ୟାନ କରି ଆସୁଥିଲା । ଶ୍ରୀମନ୍ଦିରର ରୀତି ନୀତି ସହ ସମ୍ପର୍କ ନଥିବା କେତେକ ଅସାମାଜିକ ଯୁବକମାନେ ଅସାଧୁ ମେଣ୍ଟ କରି ମନ୍ଦିର ଚତୁଃପାଶ୍ୱର୍ରେ ଓ ବଡ଼ଦାଣ୍ଡରେ ଶ୍ରଦ୍ଧାଳୁମାନଙ୍କୁ ଜୋର ଜବରଦସ୍ତ ନିଜ କବଳକୁ ନେଇ ସୁବିଧାରେ ଯଥାଶୀଘ୍ର ଦର୍ଶନ କରାଇଦେବାର ମିଥ୍ୟା ପ୍ରତିଶ୍ରୁତି ଦେଇ ସେମାନଙ୍କ ଠାରୁ ଅର୍ଥ ଆଦାୟ କରୁଥିଲେ ।
ସେବାୟତମାନଙ୍କ ସଂପର୍କୀୟ ଏବଂ କେତେକ କ୍ଷେତ୍ରରେ ତାଙ୍କର ଗୁମାସ୍ତା ବୋଲି ଯାତ୍ରୀଙ୍କୁ ମିଥ୍ୟା କହି ପ୍ରଚାରିତ କରୁଥିଲେ । ଏହି ଅଣସେବାୟତମାନଙ୍କୁ ଚିହ୍ନଟ କରି ପୋଲିସ କଠୋର ଆଭିମୁଖ୍ୟ ଗ୍ରହଣ କରିଛି । ଏଭଳି କାର୍ଯ୍ୟରେ ଲିପ୍ତ ଥିବା ପ୍ରାୟ ୩୫ ଜଣଙ୍କୁ ପୋଲିସ୍ ଥାନାକୁ ଆଣି ପଚରାଉଚୁରା କରିବା ପରେ ୧୨ ଜଣଙ୍କୁ ଗିରଫ କରି ଜେଲ୍ ହାଜତକୁ ପଠାଇବା ସହ ସେମାନଙ୍କ ଠାରୁ ୨୦ହଜାର ଟଙ୍କା ପୋଲିସ ଜବତ କରିଛି । ଅନ୍ୟମାନେ କୌଳିକ ପଣ୍ଡା, ଗୁମାସ୍ତା ଓ ଧୁଳିଆ କାର୍ଯ୍ୟ କରୁଥିବା ପୋଲିସ ଯାଞ୍ଚ ପରେ ଜାଣିପାରି ସେମାନଙ୍କୁ ଛାଡ଼ିଦେଇଛି ।
ଏ ସଂକ୍ରାନ୍ତରେ ଟାଉନ୍ଥାନାରେ ୩୫୩/୨୦୨୫ ନମ୍ବରରେ ଏକ ମାମଲା ରୁଜୁ କରାଯାଇ ମାର୍କଣ୍ଡେଶ୍ୱର ସାହିର ଅର୍ଜ୍ଜୁନ ପୃଷ୍ଟି (୩୩), ସାଗର ରଥ (୨୩), ନୂଆପାଟଣା ଗଳିର ସନ୍ତୋଷ ରାଉତ(୨୦), ଦୋଳମଣ୍ଡପ ସାହି ନାରାୟଣୀ ଲେନ୍ର ସୋନୁ ଦାଶ (୨୩), ବାସେଳୀ ସାହି ଥାନା ଅନ୍ତର୍ଗତ ମଣିମହାସୁଆର ବଗିଚାର ଜଗନ୍ନାଥ ମିଶ୍ର (୨୭), ଲୋକନାଥ ଘାଟର ମହେଶ୍ୱର ଦାସ (୩୪), ଅଲେଇ ଗଳିର ପ୍ରଦୀପ କୁମାର ତ୍ରିପାଠୀ (୫୧)କୁ ଗିରଫ କରାଯାଇଥିଲା । ସେହିଭଳି ସିଂହଦ୍ୱାର ଥାନାରେ ୧୨୨/୨୦୨୫ ନମ୍ବର ମାମଲା ରୁଜୁ କରାଯାଇ ହରଚଣ୍ଡୀ ସାହି ନାଗା ମଠ ଲେନ୍ର ପ୍ରଦୀପ କୁମାର ବେହେରା (୨୪), ହରଚଣ୍ଡୀ ସାହିର ବଳରାମ ବଡ଼ପଣ୍ଡା (୨୨), ବାସେଳୀ ସାହିର ମହିମା ପ୍ରସାଦ ବରାଳ (୨୭), ଘୋଡ଼ା ବାସେଳୀ ସାହିର ମନୋରଂଜନ ସାହୁ (୩୨), ମାଟିମଣ୍ଡପ ସାହିର ଜଗନ୍ନାଥ ଦାସ (୩୬)କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି । ବହିରାଗତ ଯାତ୍ରୀମାନଙ୍କୁ ଠକୁଥିବା ଲୋକମାନଙ୍କ ଗତିବିଧି ପ୍ରତି ପୋଲିସ ସତର୍କ ଦୃଷ୍ଟି ରଖିଛି । ସୂଚନାଯୋଗ୍ୟଯେ, କେତେକ ଅଣସେବାୟତ ଧାଡ଼ିରେ ନଯାଇ ସୁବିଧାରେ ଦର୍ଶନ କରାଇଦେବାକୁ କହି ବହିରାଗତ ଯାତ୍ରୀମାନଙ୍କ ଠାରୁ ଅର୍ଥ ଆଦାୟ କରୁଥିଲେ । ଏଭଳି କାର୍ଯ୍ୟକୁ ଭକ୍ତମହଲରୁ ବିରୋଧ କରାଯିବା ପରେ ପୋଲିସ ପକ୍ଷରୁ ତତ୍ପରତା ପ୍ରକାଶ ପାଇଥିଲା । କିଛି ଦିନ ତଳେ ଜଣେ ଜେଟିପିକୁ ମଧ୍ୟ ଏହି କାର୍ଯ୍ୟରେ ସଂଶ୍ଲିଷ୍ଟ ଥିବା ଦୃଷ୍ଟିକୁ ଆସିବା ପରେ ତାକୁ କାର୍ଯ୍ୟରୁ ଅନ୍ତର କରାଯାଇଛି । ଏସଂକ୍ରାନ୍ତରେ ଆରକ୍ଷୀ ଅଧୀକ୍ଷକ ପିନାକ ମିଶ୍ର କହିଛନ୍ତିଯେ, ଯେଉଁମାନଙ୍କର ମନ୍ଦିର ସହ କୌଣସି ସଂପର୍କ ନାହିଁ ସେମାନଙ୍କୁ ଚିହ୍ନଟ କରାଯାଇ ତନଖି କରିବା ପରେ ସେମାନେ ଅନ୍ୟମାମଲାରେ ସଂପୃକ୍ତ ଥିବା ଜଣାପଡ଼ିଥିଲା । ତେଣୁ ଏ ସଂକ୍ରାନ୍ତରେ ଦୁଇଟି ମାମଲା ରୁଜୁ କରାଯାଇ ୧୨ ଜଣଙ୍କୁ ଜେଲ୍ ହାଜତକୁ ପଠାଯାଇଛି । ଶ୍ରୀମନ୍ଦିର ଭିତରେ ଓ ବାହାରେ ଯେଭଳି କୌଣସି ଅସାମାଜିକ କାର୍ଯ୍ୟ ଘଟିବ ନାହିଁ ସେଥିପ୍ରତି ପୋଲିସ ସତର୍କ ଦୃଷ୍ଟି ରଖିବା ସହ ମନ୍ଦିରର ପବିତ୍ରତା ଓ ସୁରକ୍ଷାକୁ ନେଇ ପୋଲିସ ତତ୍ପର ରହିଛି । ଶ୍ରୀମନ୍ଦିରର କୌଳିକ ବୃତ୍ତି ପଣ୍ଡା ରହିଛନ୍ତି । ସମସ୍ତ ତୀର୍ଥକ୍ଷେତ୍ରରେ ଏହି ପରମ୍ପରା ରହିଛି । ଯଜମାନମାନେ ଆସନ୍ତି, ଦର୍ଶନ କରନ୍ତି । କୌଳିକ ପଣ୍ଡା ସେମାନଙ୍କର ବୃତ୍ତି କରୁଛନ୍ତି । ଏହା ଉପରେ ଜିଲ୍ଳାପାଳ ଓ ଶ୍ରୀମନ୍ଦିର ପ୍ରଶାସକଙ୍କୁ ଅବଗତ କରାଯାଇଛି । ଏକ ବଡ଼ ପ୍ଲାଟଫର୍ମରେ ଏ ସଂକ୍ରାନ୍ତରେ ଚର୍ଚ୍ଚା କରାଯିବ । ଶୃଙ୍ଖଳାକୁ କଡ଼ାକଡ଼ି ପାଳନ କରିବା ପାଇଁ ଶ୍ରୀମନ୍ଦିରର ମୁଖ୍ୟ ସେବାୟତମାନେ ମତ ଦେଇଛନ୍ତି । ଏହା ଉପରେ ପୁଙ୍ଖାନୁପୁଙ୍ଖ ବିଚାର ବିମର୍ଶ କରାଯିବ । ଶ୍ରୀମନ୍ଦିର ଓ ପୁରୀର ପବିତ୍ରତା ଉପରେ କୌଣସି ପ୍ରକାର ସାଲିସ୍ କରାଯିବନାହିଁ ବୋଲି ସେ କହିଛନ୍ତି ।