ଶିକାରୀ ଗୁଳିରେ ଫରେଷ୍ଟର ମୃତ

 ହିନେ୍ଦାଳ/ଅନୁଗୁଳ: ଶିକାରୀଙ୍କୁ ଧରିବାକୁ ଯାଇଥିଲେ  । ହେଲେ ଶିକାରୀଙ୍କ ଗୁଳି ମାଡ଼ରେ ତାଙ୍କର ମୃତୁ୍ୟ ହୋଇଗଲା । ଏଭଳି ଦୁଃଖଦ ଘଟଣା ଢେଙ୍କାନାଳ ଜିଲ୍ଲା ହିନେ୍ଦାଳ ବନଖଣ୍ଡ ଅଞ୍ଚଳରେ ଘଟିଛି  । ଇନ୍ଚାର୍ଜ ଫରେଷ୍ଟର ପ୍ରହଲ୍ଲାଦ ପ୍ରଧାନ ଶିକାରୀଙ୍କ ଗୁଳିରେ ମୃତୁ୍ୟବରଣ କରିଛନ୍ତି । ଗତକାଲି ବିଳମ୍ବିତ ରାତିରେ ଘଟିଥିବା ଏହି ଘଟଣା ସାରା ରାଜ୍ୟରେ ଆଲୋଡ଼ନ ସୃଷ୍ଟିକରିଛି  । ଅପରପକ୍ଷରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏନେଇ ଗଭୀର ଦୁଃଖ ପ୍ରକାଶ କରିବା ସହ ୩୦ ଲକ୍ଷ ଟଙ୍କାର ଅନୁକମ୍ପାମୂଳକ ସହାୟତା ଘୋଷଣା କରିଛନ୍ତି  ।
ଏକ୍ସ ଯୋଗେ ସିଏମଓ ପକ୍ଷରୁ ପୋଷ୍ଟ କରାଯାଇଛିଯେ, ହିନେ୍ଦାଳ ରେଞ୍ଜ ରାଜମୋହନପୁର ଜଙ୍ଗଲରେ ପାଟ୍ରୋଲିଂ କରୁଥିବାବେଳେ କାର୍ଯ୍ୟରତ ଫରେଷ୍ଟ ଗାର୍ଡ ପ୍ରହଲ୍ଲାଦ ପ୍ରଧାନଙ୍କ ପ୍ରାଣହାନୀ ସମ୍ପର୍କରେ ଜାଣି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଅତ୍ୟନ୍ତ ଦୁଃଖ ପ୍ରକାଶ କରିଛନ୍ତି  । ତାଙ୍କ ପରିବାର ପ୍ରତି ସମବେଦନା ଜଣାଇବା ସହ ୩୦ ଲକ୍ଷର ଅନୁକମ୍ପାମୂଳକ ସହାୟତା ଘୋଷଣା କରିଛନ୍ତି  । ଏଥିସହ ଘଟଣାସ୍ଥଳକୁ ଯାଇ ଅଧିକ ତଦନ୍ତ କରିବାକୁ ପିସିସିଏଫଙ୍କୁ ମୁଖ୍ୟମନ୍ତ୍ରୀ ନିଦେ୍ର୍ଦଶ ଦେଇଛନ୍ତି  ।
ମିଳିଥିବା ସୂଚନା ଅନୁଯାୟୀ, ହିନେ୍ଦାଳ ଥାନା ରାଜମୋହନପୁର ନିକଟରେ ଶିକାରୀମାନେ ଶିକାର କରୁଥିବା ନେଇ ବନବିଭାଗ ଖବର ପାଇଥିଲା  । ଇନଚାର୍ଜ ଫରେଷ୍ଟର ପ୍ରହଲ୍ଲାଦଙ୍କ ସହିତ ଷ୍ଟାଫମାନେ ଶିକାରୀମାନଙ୍କୁ ଘେରାଉ କରିଥିଲେ  । ହଠାତ୍ ଶିକାରୀ ଗୁଳି ଫୁଟାଇଥିଲେ  । ଗୁଳି ପ୍ରହଲ୍ଲାଦଙ୍କ ପେଟରେ ବାଜିଥିବାବେଳେ ରକ୍ତ ଜୁଡୁବୁଡ଼ୁ ଅବସ୍ଥାରେ ଅବସ୍ଥାରେ ତାଙ୍କୁ ଅନୁଗୁଳ ମେଡିକାଲରେ ଭର୍ତ୍ତି କରାଯାଇଥିଲା  । ହେଲେ ସେଠାରେ ତାଙ୍କର ମୃତୁ୍ୟ ହୋଇଥିଲା  । ଘଟଣାରେ ଚାରି ଶିକାରୀ ହିନେ୍ଦାଳ ଥାନା ଇଲିରିସିଙ୍ଗା ଗ୍ରାମର ଶିବରାମ ପ୍ରଧାନ, ତଣ୍ଟିଚିରା ଗ୍ରାମର ପୂର୍ଣଚନ୍ଦ୍ର ଦେହୁରୀ, ନରସିଂହପୁର ଥାନା ଦେଭୂଇଁ ଅଞ୍ଚଳର ଲକ୍ଷ୍ମୀଧର ଆରୁଖ ଏବଂ ସୁନୀଲ ଜେନାକୁ ପୋଲିସ ଗିରଫ କରିଛି  । ଢେଙ୍କାନାଳ ଏସପି ମଧ୍ୟ ଘଟଣା ସ୍ଥଳ ଫାର୍ମ ବୁଲି ତଦନ୍ତ କରିଛନ୍ତି  । ପ୍ରହଲ୍ଲାଦଙ୍କ ଶବ ବ୍ୟବଚ୍ଛେଦ ହେବା ପରେ କାମାକ୍ଷାନଗର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ଗାର୍ଡ ଅଫ ଅନର ଦିଆଯାଇଛି  । ରାଜ୍ୟ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ ଉପସ୍ଥିତ ରହି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ  । ଆରସିସିଏଫ, ଢେଙ୍କାନାଳ ଜିଲ୍ଲାପାଳ, ଏସପି, ଡିଏଫଓ, କାମାକ୍ଷାନଗର ବିଧାୟକ ଶତ୍ରୁଘ୍ନ ଜେନା, ପରଜଙ୍ଗ ବିଧାୟକ ବିଭୂତି ଭୂଷଣ ପ୍ରଧାନ, ହିନେ୍ଦାଳ  ବିଧାୟିକା ସୀମାରାଣୀ ନାୟକ ମଧ୍ୟ ଶେଷ ଶ୍ରଦ୍ଧାଞ୍ଜଳି ପ୍ରଦାନ କରିଥିଲେ  । ପରେ ନିଜ ଗାଁ କାମାକ୍ଷାନଗର ଅନ୍ତର୍ଗତ ଜିରିଡାମାଳୀଠାରେ ଶେଷକୃତ୍ୟ ସମ୍ପନ୍ନ ହୋଇଛି  । ସେପଟେ ମୁଖ୍ୟମନ୍ତ୍ରୀ ମୃତ ପ୍ରହଲ୍ଲାଦଙ୍କ ପରିବାରକୁ ୩୦ ଲକ୍ଷ ଟଙ୍କା ଅନୁକମ୍ପା ରାଶି ପ୍ରଦାନ କରିବାକୁ ନିଦେ୍ର୍ଦଶ ଦେବା ସହିତ ଘଟଣାକୁ ଗୁରୁତ୍ୱ ଦେଇ ପିସିସିଏଫଙ୍କୁ ଘଟଣା ସ୍ଥଳକୁ ଯାଇ ତଦନ୍ତ କରିବାକୁ ନିଦେ୍ର୍ଦଶ ଦେଇଛନ୍ତି  । ଏହି ଘଟଣାରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ମଧ୍ୟ ଦୁଃଖ ପ୍ରକାଶ ସହିତ ପ୍ରହଲ୍ଲାଦଙ୍କ ପରିବାରକୁ ସମବେଦନା ଜଣାଇଛନ୍ତି  । ପ୍ରହଲ୍ଲାଦଙ୍କ ଗ୍ରାମରେ ଏକ ଶୋକାକୁଳ ପରିସ୍ଥିତି ସୃଷ୍ଟି ହୋଇଛି  ।