ଝୁଲଣ ଯାତ୍ରା ଓ ଝୁଲଣ ପ୍ରାଙ୍ଗଣ


ଶ୍ରାବଣ ମାସରେ ଆୟୋଜିତ ହୁଏ ଝୁଲଣ ଯାତ୍ରା  । ଶ୍ରାବଣ ଶୁକ୍ଳ ଏକାଦଶୀ ଠାରୁ ଗହ୍ମା ପୂର୍ଣ୍ଣିମା ପର୍ଯ୍ୟନ୍ତ ଠାକୁର ବିଗ୍ରହଙ୍କୁ ଦୋଳିରେ ଝୁଲାଯାଏ  । ବିଶେଷତଃ ରାଧାକୃଷ୍ଣ ମନ୍ଦିର ଓ ମଠଗୁଡ଼ିକରେ ମହାସମାରୋହରେ ପାଳନ କରାଯାଏ ଝୁଲଣ ଯାତ୍ରା  । ରାଧାକୃଷ୍ଣଙ୍କ ବିଗ୍ରହକୁ ଦୋଳିରେ ବସାଇ, ବିଭିନ୍ନ ରଙ୍ଗର ବସ୍ତ୍ର ପରିଧାନ କରାଇ ଏବଂ ପୁଷ୍ପଗୁଚ୍ଛରେ ସୁନ୍ଦର ଭାବେ ସଜ୍ଜିତ କରି ଦୋଳି ଖେଳାଇବା ଉତ୍ସବରେ ଭାଗ ନିଅନ୍ତି ଭକ୍ତମାନେ  । ଏହି ସମୟରେ ସବୁ ଦିନ ସନ୍ଧ୍ୟାରୁ ରାତି ପ୍ରଥମ ପ୍ରହର ପର୍ଯ୍ୟନ୍ତ ଜନସମାଗମ ହୋଇଥାଏ  । ପ୍ରାୟ ସବୁ ମନ୍ଦିରରେ ଏଥିଲାଗି ତିଆରି ହୋଇଥାଏ ଝୁଲଣ ମଣ୍ଡପ  । ପୁରୀ ଶ୍ରୀମନ୍ଦିରରେ ଜଗମୋହନ ଓ ମୁକ୍ତିମଣ୍ଡପ ମଝିରେ ରହିଛି ଝୁଲଣ ମଣ୍ଡପ  । ଏଠାରେ ଶ୍ରୀ ଜଗନ୍ନାଥଙ୍କ ପ୍ରତିନିଧିତ୍ୱ କରି ମଦନମୋହନ ଭାଗ ନିଅନ୍ତି ଝୁଲଣ ଯାତ୍ରାରେ  । ବିଭିନ୍ନ ପ୍ରକାର ଫୁଲରେ ଆଚ୍ଛାଦିତ କରାଯାଏ ପ୍ରଭୁଙ୍କ ଆସ୍ଥାନ  । 
    ଝୁଲଣ ଯାତ୍ରା ରୀତି ପାଇଁ ପୁରୀ ମନ୍ଦିରରେ ରହିଛି ଏକ ପ୍ରଶସ୍ତ ପ୍ରାଙ୍ଗଣ । ଜଗମୋହନର ଦକ୍ଷିଣପଟେ ଥିବା ବେହରଣ ଦ୍ୱାରର ପାହାଚ ଶ୍ରେଣୀ ଦେଇ ତଳକୁ ଓହ୍ଲାଇଲେ ପହଞ୍ଚôହୁଏ ଏଇ ଝୁଲଣ ପ୍ରାଙ୍ଗଣରେ । ବର୍ଷସାରା ମନ୍ଦିର ଯାତ୍ରୀମାନେ ଯଦିଓ ଏହି ପ୍ରାଙ୍ଗଣରେ ଚଳପ୍ରଚଳ ହୁଅନ୍ତି, ଶ୍ରାବଣ ଶୁକ୍ଳ ଦଶମୀ ଠାରୁ ସାତଦିନ ପାଇଁ ଏହାର ରୂପ ବଦଳିଯାଏ । କାରଣ ଏଇଠି ହିଁ ଆରମ୍ଭ ହୋଇଯାଏ ଆକର୍ଷଣୀୟ ଝୁଲଣ ଯାତ୍ରା । ଖୁବ୍ ଉଚ୍ଚା ଉଚ୍ଚା ୧୬ଗୋଟି ଖମ୍ବ ଥିବା ଝୁଲଣ ଅଗଣା ଛାତଯୁକ୍ତ ଆସ୍ଥାନଟିଏ । ଚତୁଃପାଶ୍ୱର୍ରେ ମୁକ୍ତ ଏହି ଝୁଲଣ ଅଗଣା, ଜଗମୋହନ ଦକ୍ଷିଣ ପାଶ୍ୱର୍ର ବେହରଣ ଦ୍ୱାର ଏବଂ ମୁକ୍ତି ମଣ୍ଡପ ମଝିରେ ରହିଛି । ୪୦ ଫୁଟ ଲମ୍ବା ଓ ୩୦ ଫୁଟ ପ୍ରସ୍ଥର ଏହା ଏକ ପ୍ରଶସ୍ତ ସ୍ଥାନ । ଶ୍ରାବଣ ଶୁକ୍ଳପକ୍ଷର ଯାତ୍ରା କେବଳ ନୁହେଁ ଯେ କୌଣସି ସାଧାରଣ ଦିନରେ ମଧ୍ୟ ଝୁଲଣ ପ୍ରାଙ୍ଗଣ ଦର୍ଶକର ଦୃଷ୍ଟି ଆକର୍ଷଣ କରିଥାଏ । ସହଜରେ ଦୃଷ୍ଟି ଆକର୍ଷଣ କରିନିଏ, ପ୍ରାଙ୍ଗଣ ଛାତକୁ ଧରି ରଖିଥିବା ମଜବୁତ ସ୍ତମ୍ଭଗୁଡ଼ିକ ଏବଂ ରଙ୍ଗବେରଙ୍ଗର ଚିତ୍ରାବଳୀ ଦ୍ୱାରା ଅଳଙ୍କୃତ ସୁ-ଉଚ୍ଚ ଛାତଟି ମଧ୍ୟ । ଚଟାଣରୁ ପ୍ରାୟ ୧୫ ଫୁଟ ଉଚ୍ଚରେ ଥିବା ଛାତର ସବା ଉପରେ ମଧ୍ୟ ଛିଡ଼ା ହୋଇଛନ୍ତି ଆଠଗୋଟି ଚାମର ଧାରିଣୀ ମୂର୍ତ୍ତି । ତେବେ ଡାହାଣ ହାତରେ ଚାମର ଧାରଣ କରିଥିବା ପଥରର ଏଇ ନାରୀ ମୂର୍ତ୍ତିଗୁଡ଼ିକ ସାନ ସାନ ଉଚ୍ଚତାରେ ପ୍ରାୟ ଦୁଇଫୁଟ ।
    ଝୁଲଣ ଅଗଣା ରୂପକ ଆୟତକ୍ଷେତ୍ରରେ ଖମ୍ବଗୁଡ଼ିକର ସଜ୍ଜୀକରଣରେ ସ୍ୱାତନ୍ତ୍ର୍ୟ ରହିଛି । ଏହି ଆୟତକ୍ଷେତ୍ରର ପ୍ରତି କୋଣରେ ତିନୋଟି କରି ଚାରି କୋଣରେ ରହିଛି ବାରଗୋଟି ସ୍ତମ୍ଭ । ପୁଣି ଏ କ୍ଷେତ୍ରର ଦକ୍ଷିଣପଟେ ରହିଛି ଦୁଇଟି ସ୍ତମ୍ଭ ଏବଂ ଉତ୍ତର ପଟେ ଅନ୍ୟ ଦୁଇଟି ସ୍ତମ୍ଭ । ଉତ୍ତରପଟର ସ୍ତମ୍ଭଦ୍ୱୟ ପ୍ରାୟ ଲାଗି ଲାଗି ରହିଛି । ସ୍ତମ୍ଭ ଦୁଇଟି ମଧ୍ୟରେ ମାତ୍ର ତିରିଶ ଇଞ୍ଚର ବ୍ୟବଧାନ ଏବଂ ଏଇ ଜାଗାତକ ମଧ୍ୟ ତଳୁ ଉପର ଯାଏ ସିମେଣ୍ଟରେ ଯୋଡ଼ି ଦିଆଯାଇଛି । ତେବେ ଦକ୍ଷିଣପଟେ ଥିବା ସ୍ତମ୍ଭ ଦୁଇଟି ମଧ୍ୟରେ ଆଠଫୁଟର ବ୍ୟବଧାନ ଏବଂ ଏ ଦୁଇଟି ମୁକ୍ତି ମଣ୍ଡପର ସନ୍ନିକଟରେ ରହିଛି । ପ୍ରତି ଖମ୍ବର ଉଚ୍ଚତା ପ୍ରାୟ ୧୫ ଫୁଟ ଏବଂ ଗୋଲେଇ ଅତି କମ୍ରେ ଛଅଫୁଟ । ସ୍ତମ୍ଭଗୁଡ଼ିକ ଯଦିଓ ଶାଣପଥରରେ ନିର୍ମିତ, ଏଗୁଡ଼ିକ ଉପରେ ଚୁନର ପଲସ୍ତରା ଦିଆଯାଇଛି । ପ୍ରତି ଖମ୍ବକୁ ମଧ୍ୟ ରଙ୍ଗୀନ କରାଯାଇଛି । ତଳୁ ପ୍ରାୟ ଛଅଫୁଟ ଉଚ୍ଚତା ଯାଏଁ ସ୍ତମ୍ଭଗୁଡ଼ିକ କୃଷ୍ଣବର୍ଣ୍ଣର, ତା'ଉପରକୁ ଶୀର୍ଷଯାଏ ଈଷତ୍ ନୀଳ । ମଝିରେ ମଝିରେ ଧଳାବର୍ଣ୍ଣରେ ଚିତ୍ରିତ ହୋଇଛି ବୃନ୍ତଯୁକ୍ତ ଫୁଲର ଚିତ୍ର । ଅବଶ୍ୟ ଝୁଲଣ ପ୍ରାଙ୍ଗଣକୁ ସବୁଠାରୁ ଅଧିକ ଆକର୍ଷଣୀୟ କରିଛି ଛାତ ତଳର ଅସଂଖ୍ୟ ଚିତ୍ର । ଜଣା ଅଜଣା ଅସଂଖ୍ୟ ପଶୁ ଓ ପକ୍ଷୀ, ଗୋଲାକୃତିର ନିର୍ଦ୍ଦିଷ୍ଟ ଫୁଲ ଏବଂ ସରୁ ସରୁ ପତ୍ର ଥିବା ଡାଳର ଛବି ଏଇ ବିସ୍ତୃତ ଛାତର ନିମ୍ନପଟଟିକୁ ସୁଶୋଭିତ କରିଛି । ଛାତର ଚାରିପଟେ ବ୍ୟାପୀ ନିମ୍ନକୁ ପ୍ରସରି ଆସିଛି ପ୍ରାୟ ଏକଫୁଟ ପ୍ରସ୍ଥର କାନ୍ଥ । ଏଇ କାନ୍ଥଗୁଡ଼ିକ ଉପରେ ମଧ୍ୟ ଶୋଭା ପାଉଛି ଅନେକ କାନ୍ଥ ଚିତ୍ର । ଏ ଚିତ୍ରଗୁଡ଼ିକରେ ଶିଶୁ ଶ୍ରୀକୃଷ୍ଣଙ୍କ ଲୀଳା ରୂପାୟିତ । 
    କେବଳ ଶ୍ରୀମନ୍ଦିରରେ ନୁହେଁ ଉତ୍ସବ ସାତଦିନ ବିଂଶାଧିକ ମଠରେ ଆତ୍ମପ୍ରକାଶ କରେ ଝୁଲଣ କୁଞ୍ଜମାନ । ଅନ୍ୟ କୁଞ୍ଜଗୁଡ଼ିକ ମଧ୍ୟରେ ସବୁଠାରୁ ଅଧିକ ଆକର୍ଷଣୀୟ ହୁଏ ପୁରୀ ଦେଉଳର ପୂର୍ବପଟେ ଥିବା ଏମାର ମଠର ଝୁଲଣ କୁଞ୍ଜ । ଏ କୁଞ୍ଜର ଦୈର୍ଘ୍ୟ ଶ୍ରୀମନ୍ଦିର କୁଞ୍ଜଠାରୁ କମ୍ ହେଲେ ମଧ୍ୟ ଏ କୁଞ୍ଜର ଉଚ୍ଚତା ପ୍ରାୟ ୨୨ଫୁଟ । ପୁରୀର ଝୁଲଣ ଯାତ୍ରା ପ୍ରାଚୀନ ନିଶ୍ଚୟ କିନ୍ତୁ କେତେ ପ୍ରାଚୀନ ନିରୂପଣ କରିବା ସହଜ ନୁହେଁ । ରାଧାକୃଷ୍ଣ ଉପାସନା ସଂସ୍କୃତି ଝୁଲଣ ପର୍ବକୁ ଜନ୍ମ ଦେଇଥିବା ସହଜେ ଅନୁମେୟ । ସ୍ୱକୀୟ ପ୍ରେମକୁ ପ୍ରାଧାନ୍ୟ ଦେଇଥିବା ପୁରୀ ମନ୍ଦିରର ଝୁଲଣ କୁଞ୍ଜରେ କିନ୍ତୁ ପତି-ପତ୍ନୀଙ୍କ ପ୍ରଣୟ ପ୍ରତିଫଳିତ ହୁଏ । ଷୋଡ଼ଶ ଶତାବ୍ଦୀର ଶେଷ ଆଡ଼କୁ ସମ୍ଭବତଃ ପୁରୀରେ ଝୁଲଣ ଯାତ୍ରା ଆରମ୍ଭ ହୋଇଥିଲା । ଝୁଲଣ ସମାପ୍ତ ହେବାର ଗୋଟିଏ ଦିନ ପୂର୍ବରୁ ଶ୍ରାବଣ ପୂର୍ଣ୍ଣିମା ଦିନ ଅନୁଷ୍ଠିତ ହୁଏ ବଳଭଦ୍ର ଜୟନ୍ତୀ । 
ବିପିନ ବିହାରୀ ରାଉତ,ମୋ : ୯୪୩୭୬୬୬୪୫୩