ଆଦିବାସୀ ଜନନାୟକ ମନମୋହନ ଟୁଡୁ
ଦଶରଥ ହେମ୍ବ୍ରମ୍ :
ଜାତି, ସମାଜ କିମ୍ବା ରାଷ୍ଟ୍ରରେ ଯେତେବେଳେ ଦୁର୍ଦ୍ଦିନ ବେଳା ଆସିଥାଏ, ସେତେବେଳେ କେହି ଜଣେ ମହାପୁରୁଷ ସୃଷ୍ଟିରେ ଧରାବତରଣ କରିଥାନ୍ତି ବୋଲି ଶାସ୍ତ୍ରରେ ଉଲ୍ଲେଖ ଅଛି । ତା’ପରେ ନିଜର ଆଦର୍ଶ, କର୍ମ ଓ ଜ୍ଞାନରେ ସମଗ୍ର ମାନବ ଜାତିର ପଥ ପ୍ରଦର୍ଶକ ରୂପେ କର୍ମ କରି ସେମାନେ ଅମରତ୍ୱ ଲାଭ କରିଥାନ୍ତି । ବ୍ୟକ୍ତି ବିଶେଷର ଏ ଗୁଣ ସେମାନଙ୍କ ବାଲ୍ୟକାଳରୁ ହିଁ ପ୍ରକାଶ ପାଇଥାଏ । ଯେମିତି ସକାଳର ସୂର୍ଯ୍ୟଠାରୁ ପାଣିପାଗର ସୂଚନା ମିଳିଥାଏ, ସେମିତି ହିଁ ବାଲ୍ୟକାଳର ବିଶିଷ୍ଟ ଗୁଣାବଳୀ ଦ୍ୱାରା ସେମାନଙ୍କ ଉତ୍ତମ ଜୀବନ ସମ୍ପର୍କରେ ସ୍ପଷ୍ଟ ଧାରଣା ମିଳିଥାଏ । ଯୁଗେଯୁଗେ ସେମାନଙ୍କର ଆବିର୍ଭାବ ଏ ଦେଶ ଓ ଜାତି ପାଇଁ ମଙ୍ଗଳମୟ ହୋଇଛି । ସେମାନଙ୍କ ତ୍ୟାଗପୂତ ଜୀବନର ମହନୀୟ କର୍ମଧାରା ପାଇଁ ମାନବ ହୃଦୟରେ ସ୍ୱତନ୍ତ୍ର ଆସନ ଅଳଙ୍କୃତ କରିପାରିଛନ୍ତି । ମାତ୍ର ନିଜର ଆଲୌକିକ ପ୍ରତିଭାରେ ଅନ୍ୟମାନଙ୍କୁ ସହଜରେ ପ୍ରଭାବିତ କରିଥାନ୍ତି । ଏହି ପ୍ରତିଭା ବାଲ୍ୟକାଳରୁ ହିଁ ସେହି ଅମର ପୁରୁଷମାନଙ୍କୁ କାର୍ଯ୍ୟକଳାପରୁ ପରିଲକ୍ଷିତ ହୋଇଥାଏ । ତେବେ ସେହି ଅମର ପୁରୁଷମାନଙ୍କ ମଧ୍ୟରୁ ସ୍ୱର୍ଗତ ମନମୋହନ ଟୁଡୁ ଅନ୍ୟତମ ।
ମୟୂରଭଞ୍ଜ ଜିଲ୍ଲାର ଉଦଳା ବ୍ଲକ ଅନ୍ତର୍ଗତ ଅଦାପାଳ ଗ୍ରାମରେ ୧୯୧୮ ମସିହା, ଜାନୁଆରୀ ୧୪ ତାରିଖ ମକର ସଙ୍କ୍ରାନ୍ତିରେ ମନମୋହନ ଟୁଡୁଙ୍କ ଜନ୍ମ ହୋଇଥିଲା । ତାଙ୍କର ପିତାଙ୍କର ନାମ ଥିଲା ଫୁଦାନ ମାଝୀ । ବିଦ୍ୟାଳୟରୁ ମାଟ୍ରିକ ପାଠପଢ଼ି କୌଣସି କାରଣରୁ ଉଚ୍ଚଶିକ୍ଷାରୁ ସେ ବଞ୍ଚିତ ହେଲେ । କିନ୍ତୁ ସେ ଜଣେ ମେଧାବୀ ଛାତ୍ର ଥିଲେ । ମାତ୍ର ପାଠପଢ଼ା ଛାଡ଼ି ରାଜନୀତିରେ ପ୍ରବେଶ କରିଥିଲେ । ଜଣେ ରାଜନୀତିର ସକ୍ରିୟ କାର୍ଯ୍ୟକର୍ତ୍ତା ଭାବରେ ତାଙ୍କର ନାମ ଓଡ଼ିଶାରେ ବେଶ ସୁପରିଚିତ । କେବଳ ସେ ରାଜନେତା ନୁହନ୍ତି, ଜଣେ ସମାଜ ସଂସ୍କାରକ, ସଂଗଠକ, ରାଷ୍ଟ୍ରନୀତିଜ୍ଞ, ଗାନ୍ଧୀବାଦୀ ଏବଂ ଆଦିବାସୀ ସମାଜର ଜଣେ ଉତ୍ତମ ମାର୍ଗଦର୍ଶକ ମଧ୍ୟ । ସୀତା ଦେବୀଙ୍କୁ ସେ ବିବାହ କରିଥିଲେ ।
ମନମୋହନ ଟୁଡୁଙ୍କ କର୍ମମୟ ଜୀବନ ଚଳଚଞ୍ଚଳ ଥିଲା ବୋଲି ସାଧାରଣରେ ଚର୍ଚ୍ଚା ହୁଏ । କିନ୍ତୁ ଲୋକମାନେ କୁହନ୍ତି, ସେ ଜାତୀୟ ଆହ୍ୱାନରେ ଉଦ୍ବୁଦ୍ଧ ହୋଇ ଅଧ୍ୟୟନରୁ ବିରତ ରହି ଜାତୀୟ ରାଜନୀତିରେ ଭାଗ ନେଇଥିଲେ । ଜଣେ ଟାଣୁଆ ଆଦିବାସୀ ନେତା ଭାବେ ସାରାଦେଶରେ ତାଙ୍କର ପରିଚୟ ରହିଛି । ତା’ର ଜ୍ୱଳନ୍ତ ଉଦାହରଣ ହେଲା, ଓଡ଼ିଶାରେ ହେଉଥିବା ସାଧାରଣ ନିର୍ବାଚନ ୧୯୫୭, ୧୯୬୧, ୧୯୬୭ ଏବଂ ୧୯୭୧ ମସିହାରେ ଉଦଳା ନିର୍ବାଚନୀ ମଣ୍ଡଳରୁ ବିଧାୟକ ଭାବେ ଲଢ଼ି ଲଗାତରେ ଚାରିଥର ଓଡ଼ିଶା ବିଧାନସଭାକୁ ନିର୍ବାଚିତ ହୋଇଥିଲେ । ସେହିପରି ଭାରତରେ ହେଉଥିବା ପଞ୍ଚମ ସାଧାରଣ ଲୋକସଭା ନିର୍ବାଚନ ୧୯୭୧ ଏବଂ ସପ୍ତମ ସାଧାରଣ ଲୋକସଭା ନିର୍ବାଚନ ୧୯୮୦ ମସିହାରେ ମୟୂରଭଞ୍ଜ ଲୋକସଭା ଆସନରୁ ଦୁଇଥର ସାଂସଦ ଭାବେ ନିର୍ବାଚିତ ହୋଇ ଦିଲ୍ଲୀ ସଂସଦରେ ସମାଜର ଅସହାୟ, ଅବହେଳିତ, ଗରିବ ଓ ନିଷ୍ପେସିତ ଲୋକମାନଙ୍କୁ ନ୍ୟାୟ ଦେବା ପାଇଁ ସ୍ୱର ଉତ୍ତୋଳନ କରୁଥିଲେ । ସମାଜବାଦରେ ବିଶ୍ୱାସ ରଖି ଜନସାଧାରଣଙ୍କ ନିମନ୍ତେ ରାଜନୀତି କ୍ଷେତ୍ରରେ ନିଜ ଜୀବନ ଯେଉଁ ଭଳି ଭାବେ ସେ ଉସର୍ଗୀକୃତ କରିଦେଇଥିଲେ, ତାହା ଦେଖି ତକôାଳୀନ ଭାରତର ପ୍ରଧାନମନ୍ତ୍ରୀ ସ୍ୱର୍ଗତ ଇନ୍ଦିରା ଗାନ୍ଧୀଙ୍କର ପ୍ରିୟପାତ୍ର ହୋଇପାରିଥିଲେ । ଆଦିବାସୀମାନେ ଅର୍ଥନୀତି ବିକାଶ ଦିଗରେ ମଧ୍ୟ ଅନଗ୍ରସର ଅଛନ୍ତି । ସେତେବେଳେ ଅର୍ଥନୀତିର ‘ଅ’ ଅକ୍ଷର ବୋଲି ସେମାନେ ଜାଣି ନଥିଲେ । ବାଣିଜ୍ୟ-କାରବାର ତ ଦୂରର କଥା, ଭଲଭାବେ ଓଡ଼ିଆ କହିବା ଓ ବୁଝିବା ସେମାନଙ୍କ ପକ୍ଷେ ସମ୍ଭବ ନଥିଲା । ସେହି ସମୟରେ ଗାଁକୁ କିଏ ଅଣ-ଆଦିବାସୀ ଆସିଲେ ସେହି ଗାଁରେ ଭୟର ବାତାବରଣ ସୃଷ୍ଟି ହେଉଥିଲା । ଏମିତି ହେଲେ ଆଦିବାସୀଙ୍କ ବିକାଶ ହେବ କେମିତି? ସେମାନେ କିପରି ଜାଣିବେ ବ୍ୟାଙ୍କ ଅନୁଷ୍ଠାନକୁ? ଆୟ ଦୃଷ୍ଟିରୁ ସେମାନେ କେମିତି ଜାଣିବେ ପ୍ରତ୍ୟେକଙ୍କ ମୁଣ୍ଡପିଛା ଆୟ କେତେ? ସମସ୍ତେ ଜାଣନ୍ତି, ଆଦିବାସୀମାନେ ଜଙ୍ଗଲରେ ବସବାସ କରନ୍ତି । ତେଣୁ ସେମାନେ ଜଙ୍ଗଲରୁ ଝୁଣା, ଲାଖ, ମହୁଲ, ତେନ୍ତୁଳି, ହଳଦୀ, କେନ୍ଦୁପତ୍ର ଭଳି ସାମଗ୍ରୀ ସଂଗ୍ରହ କରନ୍ତି । ମାତ୍ର ସେମାନେ ବଜାର ଭିତରକୁ ପ୍ରବେଶ କରି ପାରନ୍ତି ନାହିଁ । ସେମାନଙ୍କ ଦ୍ୱାରା ସଂଗୃହୀତ ବନ୍ୟଜାତ ସାମଗ୍ରୀ ଆବଶ୍ୟକରୁ ଅଧିକ ନଷ୍ଟ ହୁଏ । ତେଣୁ ସେସବୁ ସୁଲଭ ମୂଲ୍ୟରେ ଟିଡ଼ିସିସିରେ ବିକ୍ରି କରି ତାଙ୍କର ପ୍ରାପ୍ୟକୁ ବ୍ୟାଙ୍କ ଖାତାରେ ସଞ୍ଚୟ ରଖିପାରିବାର ବ୍ୟବସ୍ଥା ଥିଲା । ଭବିଷ୍ୟତରେ ସେହି ଅର୍ଥବଳରେ ସେମାନଙ୍କ ଆର୍ଥିକ ଅବସ୍ଥା କିଛି ପରିମାଣରେ ସ୍ୱଚ୍ଛଳ ହୋଇପାରିବା ଏବଂ ସେମାନଙ୍କର ଉନ୍ନତମାନର ଜୀବନ ଯାପନ ଉଦେ୍ଦଶ୍ୟ ନେଇ ଟିଡ଼ିସିସିର ଜନ୍ମ ହୋଇଥିଲା । ଏହିପରି ଭାବେ ମନମୋହନଙ୍କ ଜୀବନ ସମାଜସେବାରେ ସଂପୂର୍ଣ୍ଣ ଉସର୍ଗୀକୃତ ଥିବାବେଳେ ୨୦୦୭ ମସିହା ଜାନୁଆରୀ ୯ ତାରିଖରେ ମୃତୁ୍ୟବରଣ କରିଥିଲେ । ଏପରିକି ତାଙ୍କର ପ୍ରତ୍ୟେକ କାର୍ଯ୍ୟରେ ସ୍ୱକୀୟତା, ସାହସ ଓ ନିର୍ଭୀକତାର ଯେଉଁ ପରିଚୟର ବୀଜ ବୁଣି ଯାଇଛନ୍ତି, ତାହା ଆଦିବାସୀ ସମ୍ପ୍ରଦାୟରେ ଅବିସ୍ମରିଣୀୟ ହୋଇ ରହିବ ।
ଦୁର୍ନୀତି ନିବାରଣ ଅଧିକାରୀ
ବାଲେଶ୍ୱର
ମୋ -୯୩୩୭୪୦୪୨୫୪