ଟାଟା ଷ୍ଟିଲ ଫାଉଣ୍ଡେସନର ‘ରିସ୍ତା’ ପ୍ରକଳ୍ପ
ଢେଙ୍କାନାଳ : ଢେଙ୍କାନାଳ ଜିଲ୍ଲା ଓଡ଼ାପଡା ବ୍ଲକ ଅନ୍ତର୍ଗତ ଏକ ଛୋଟ ଗାଁ ହେଉଛି କୁଞ୍ଜବିହାରୀପୁର । ଦିନେ ବାଲ୍ୟ ବିବାହ, ଅଧାରୁ ପାଠପଢ଼ା ଛାଡ଼ିଦେବା, ମାଦକ ଦ୍ରବ୍ୟ ସେବନ ଏବଂ ଲିଙ୍ଗ ଭିତିକ ହିଂସା ଭିତରେ କାଳ କାଟୁଥିବା ଗାଁକୁ ଆଜି ନୂଆ ଦିଶା ଦେଇଛି ଟାଟା ଷ୍ଟିଲ ଫାଉଣ୍ଡେସନର ରିସ୍ତା କାର୍ଯ୍ୟକ୍ରମ । ଏହି ଗାଁରେ ଝିଅ ମାନଙ୍କ ପାଇଁସୀମିତ ଥିଲା ଦୁନିଆ ଏବଂ ଅନେକ ଆହ୍ୱାନ ଓ ପରମ୍ପରା ଭିତରେ ପେସି ହୋଇଯାଉଥିଲେ ସେମାନେ । ମାତ୍ର ୬୦୦ ଅନୁସୂଚିତ ଜାତି ଏବଂ ଅନୁସୂଚିତ ଜନଜାତି ସମ୍ପ୍ରଦାୟର ଲୋକ ବସବାସ କରୁଥିବା ଏହି ଗାଁରେ ଆଶାର ନୂଆ ଆଲୋକ ନେଇ ପହଞ୍ଚିଥିଲା ଟାଟା ଷ୍ଟିଲ ଫାଉଣ୍ଡେସନରରିସ୍ତା । ୨୦୨୨ ମସିହା ଡିସେମ୍ବରରେ ଟିଏସଏଫ୍ ପକ୍ଷରୁ ଏହି ଗାଁରେ ରିସ୍ତା ପ୍ରକଳ୍ପ ଆରମ୍ଭକରାଯାଇଥିଲା । କେବଳ ପରାମର୍ଶ ଦେବା କିମ୍ବା ପାମ୍ପଲେଟ୍ ବାଂଟିବାରେ ସୀମିତ ନ ରହି ଗ୍ରାମବାସୀ, ପିତାମାତା/ଅଭିଭାବକ, ସ୍ୱାସ୍ଥ୍ୟକର୍ମୀ ଏବଂ ବିଶେଷ ଭାବରେ କିଶୋର-କିଶୋରୀଙ୍କ ସହିତ ରିସ୍ତା ଟିମ୍ ତରଫରୁ ଏହିସବୁ ଆହ୍ୱାନର ସାମ୍ନା କରିବା ପାଇଁ ଆଲୋଚନା ଆରମ୍ଭ କରାଯାଇଥିଲା । ସେତେବେଳେ ଅଧିକାଂଶ ଯୁବକଯୁବତୀ ପ୍ରଜନନ ସ୍ୱାସ୍ଥ୍ୟ, ଋତୁସ୍ରାବ ସ୍ୱଚ୍ଛତା, ପୁଷ୍ଟିକର ଖାଦ୍ୟ ଏବଂ କ୍ଷତିକାରକ ମାଦକ ଦ୍ରବ୍ୟ ବିଷୟରେ ସଚେତନ ନଥିଲେ । ସମାନ୍ତରାଳ ଭାବେ କାର୍ଯ୍ୟକ୍ରମରେ ପିତାମାତା, ଶିକ୍ଷକ ଏବଂ ସ୍ଥାନୀୟ ଆଶା କର୍ମୀମାନେ ମଧ୍ୟ ସମାନଧରଣର ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରାଯାଉଥିଲା । ଏହି ପ୍ରୟାସ ଏକ ନିର୍ଣ୍ଣାୟକ ମୋଡ ନେଇଥିଲା ଯେତେବେଳେ ୩୫ରୁ ଅଧିକ ଯୁବକଯୁବତୀ ‘ପିଅର ଲିଡର’ ଭାବେ ପରିବର୍ତନର ଚିନ୍ତାଧାରା ନେଇ ଆଗକୁ ଆସିବା ସହ ଏସବୁ ଆହ୍ୱାନର ସାମ୍ନା କରିବାକୁ ଅଟାଂ ଭିଡିଥିଲେ । ସେମାନେ ନିଜ ଭାଷାରେ ସେଠାକାର ଯୁବକଯୁବତୀଙ୍କ ସହ ବିଭିନ୍ନ ସମସ୍ୟାର ଆଲୋଚନା କରିବା ସହ ପଥପ୍ରାନ୍ତ ନାଟକ, ବିଶ୍ୱ ଏଡସ୍ ଦିବସରେ ସଚେତନତା ଶୋଭାଯାତ୍ରା ସହ ନିଶା ବିରୋଧୀ ଅଭିଯାନର ଆୟୋଜନ କରିଥିଲେ । କାର୍ଯ୍ୟକ୍ରମରେ କେବଳ କିଶୋରକିଶୋରୀଙ୍କ ଭାଗୀଦାରୀ ନୁହେଁ ସେମାନଙ୍କ ନେତୃତ୍ୱରେ ପରିବର୍ତନ କରାଯାଇପାରିବ ବୋଲି ଟାଟା ଷ୍ଟିଲ ଫାଉଣ୍ଡେସନର ରିସ୍ତା କାର୍ଯ୍ୟକ୍ରମ ପ୍ରମାଣିତ କରିପାରିଛି ।