ଯାଜପୁର ରୋଡ ଚିକିତ୍ସକ ସଂଘର ଚିକିତ୍ସକ ଦିବସ ପାଳିତ


 ବ୍ୟାସନଗର: ଭାରତୀୟ ଚିକିତ୍ସକ ସଂଘ ଯାଜପୁର ରୋଡ଼ ଶାଖା ପକ୍ଷରୁ ଜାତୀୟ ଚିକିତ୍ସକ ଦିବସ ପାଳନ କରାଯିବା ସହ ଏକାଧିକ ଜନହିତକର କାର୍ଯ୍ୟକ୍ରମ କରାଯାଇଥିଲା । ବ୍ୟାସ ସରୋବର ଗୋଶାଳା ପରିସରରେ ଏକ ବୃକ୍ଷରୋପଣ କାର୍ଯ୍ୟକ୍ରମ ଶ୍ରୀ ସତ୍ୟସାଇ ସେବା ସମିତି ସହଯୋଗରେ ଅନୁଷ୍ଠିତ ହୋଇଥିଲା । ଚିକିତ୍ସକ ସଂଘର ସଭାପତି ଡାକ୍ତର ସୁରେନ୍ଦ୍ର କୁମାର ସାହୁ, ସମ୍ପାଦକ ଡାକ୍ତର ଗୌରୀଶଙ୍କର ଷଡ଼ଙ୍ଗୀ, ଡାକ୍ତର ସଦାନନ୍ଦ ମହାନ୍ତି, ଡାକ୍ତର ପ୍ରସନ୍ନ କୁମାର ସାହୁ ଓ ଡାକ୍ତର ରୁଦ୍ର ପ୍ରତାପ କର ଯୋଗଦାନ କରି ୨୦୦ ଚାରା ରୋପଣ କରିଥିଲେ । ସେହିପରି ଯାଜପୁର ରୋଡ଼ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା । ଯାହାକୁ କଳିଙ୍ଗନଗର ଏଡିଏମ୍ ଲଙ୍କେଶ୍ୱର ଅମାତ ଉଦ୍ଘାଟନ କରିଥିଲେ । ଡାକ୍ତର ବିକାଶ ନାୟକ, ଡାକ୍ତର ଦିବ୍ୟରଞ୍ଜନ ମଲିକ ଓ ଲଙ୍କେଶ୍ୱର ଅମାତଙ୍କ ବ୍ୟକ୍ତିଗତ ସୁରକ୍ଷା ଅଧିକାରୀ ରୁଦ୍ର ପ୍ରସାଦ ସାହୁ ପ୍ରମୁଖ ରକ୍ତଦାନ କରିଥିଲେ । ସନ୍ଧ୍ୟାରେ ଜାତୀୟ ଚିକିତ୍ସକ ଦିବସ ଉତ୍ସବ ପାଳିତ ହୋଇଥିଲା । ଉତ୍ସବର ନିରନ୍ତର ଶିକ୍ଷାଦାନ କର୍ମଶାଳା ଅନୁଷ୍ଠିତ ହେବା ସହ ଡାକ୍ତର ସେବନ୍ତି ରାଉଳ ସେଫଡିଟୋରେନ ଆଣ୍ଟି ବାୟୋଟିକ ଔଷଧ ବ୍ୟବହାର ଉପରେ ଏକ ସାରଗର୍ଭକ ଆଲୋଚନା କରିଥିଲେ । ଉତ୍ସବରେ କୋରେଇ ବିଧାୟକ ଆକାଶ ଦାସ ନାୟକ, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ଶିବାଶିଷ ମହାରଣା ଅତିଥିଭାବେ ଯୋଗ ଦେଇଥିଲେ । ଚିକିତ୍ସା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଡାକ୍ତର ସୁଧାକର ପୃଷ୍ଟିଙ୍କୁ ଆଜୀବନ ସାଧନା ସମ୍ମାନ ମାନପତ୍ର ଓ ଡାକ୍ତର ସେବନ୍ତି ରାଉଳଙ୍କୁ ନିରନ୍ତର ଶିକ୍ଷାଦାନ କାର୍ଯ୍ୟକ୍ରମ ପାଇଁ ଫଳକ ପ୍ରଦାନ କରାଯାଇଥିଲା । ଉତ୍ସବରେ ସଂଘର ସମସ୍ତ କାର୍ଯ୍ୟକର୍ତାଙ୍କ ସମେତ ୪୦ଜଣ ଚିକିତ୍ସକ ଭାଗ ନେଇଥିଲେ । ସଭାପତି ଡାକ୍ତର ସୁରେନ୍ଦ୍ର କୁମାର ସାହୁ ଅଧ୍ୟକ୍ଷତା କରିଥିବାବେଳେ ସମ୍ପାଦକ ଡାକ୍ତର ଗୌରୀଶଙ୍କର ଷଡ଼ଙ୍ଗୀ ବିବରଣୀ ପ୍ରଦାନ କରିଥିଲେ ଓ ଡାକ୍ତର ପ୍ରସନ୍ନ କୁମାର ସାହୁ ସଭା ପରିଚାଳନା କରିଥିଲେ । ଉପସଭାପତି ଡାକ୍ତର ପ୍ରଶାନ୍ତ ଦାସ ଧନ୍ୟବାଦ ପ୍ରଦାନ କରିଥିଲେ ।