୨୪ତମ ସ୍ୱନକ୍ଷତ୍ର ଦିବସ
ସାଲେପୁର : ଓଡ଼ିଶାର ଅସ୍ମିତା ଏକ ରାଜନୈତିକ ସ୍ଲୋଗାନ୍ ନୁହେଁ । ପ୍ରତ୍ୟେକ ଓଡ଼ିଆର ଜୀବନର ଏହା ଲକ୍ଷ୍ୟ ବୋଲି ସାଲେପୁର ସାରସ୍ୱତ ସମାରୋହ ସମିତିର ୨୪ତମ ସ୍ୱନକ୍ଷତ୍ର ଉତ୍ସବରେ ମୁଖ୍ୟଅତିଥି ରୂପେ ଯୋଗଦେଇ ଓଡ଼ିଶା ସାହିତ୍ୟ ଏକାଡେମୀର ସଂପାଦକ ସାହିତି୍ୟକ ଚନ୍ଦ୍ରଶେଖର ହୋତା ଏହା କହିଛନ୍ତି । ଏହି ଅବସରରେ ଗାଳ୍ପିକ ଡ. ଗିରୀଶ ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଉତ୍ସବରେ ସାଲେପୁର ସାରସ୍ୱତ ସମାରୋହ ସମିତିର କାର୍ଯ୍ୟକାରୀ ସଭାପତି ଅକ୍ଷୟ ଦାଶ ସ୍ୱାଗତ ଭାଷଣ ଦେଇ ଏହି ଅନୁଷ୍ଠାନର ଐତିହ୍ୟ ଓ ଇତିହାସ ସମ୍ପର୍କରେ କହିଥିଲେ । ଅନୁଷ୍ଠାନର ସାଧାରଣ ସଂପାଦିକା ଡଃ ତରୁଲତା ଦେବୀ ଅତିଥିପରିଚୟ ପ୍ରଦାନ କରିଥିବାବେଳେ ଏହି ଅବସରରେ ବିଶିଷ୍ଟ ସାହିତି୍ୟକା ତଥା ଅବସରପ୍ରାପ୍ତ ପ୍ରଫେସର ଡଃ ସଂଘମିତ୍ରା ମିଶ୍ରଙ୍କୁ ରାଜ୍ୟସ୍ତରୀୟ ସାରସ୍ୱତ ସାହିତ୍ୟ ସମ୍ମାନରେ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି ଅବସରରେ ବିଶିଷ୍ଟ କଥାକାର ଡ, ଅରବିନ୍ଦ ରାୟ ଅତିଥି ରୂପେ ଯୋଗଦେଇ ପୂର୍ବ ଜନ୍ମ, ପ୍ରେମ ପରମ୍ପରା ସହ ଆମ ମାଟିର ଆମ ଜାତିର ସଂପର୍କ କେଉଁ କାଳରୁ ରହିଆସିଛି ବୋଲି ପ୍ରକାଶ କରିଥିଲେ । ସାହିତ୍ୟରେ ଲାଭକ୍ଷତିର ବିଚାର ନଥାଏ ବୋଲି ସେ କହିଥିଲେ । ଏହି ଅବସରରେ ମୁଖ୍ୟବକ୍ତା ରୂପେ ରମାଦେବୀ ମହିଳା ମହାବିଦ୍ୟାଳୟର ଓଡ଼ିଆ ଭାଷା ସାହିତ୍ୟ ବିଭାଗର ମୁଖ୍ୟ ଡ. ସଂଘମିତ୍ରା ଭଞ୍ଜ ଯୋଗଦେଇ ଆମ ସମସ୍ତଙ୍କ ମଧ୍ୟରେ ସାହିତ୍ୟମୟ ପରିବେଶ ସୃଷ୍ଟି କରି ନୂତନ ସର୍ଜନା ସୃଷ୍ଟି କରିବାକୁ ପରାମର୍ଶ ଦେବା ସହ ସାହିତ୍ୟର ବିଭିନ୍ନ ଦିଗ ସଂପର୍କରେ ଆଲୋଚନା କରିଥିଲେ । ସାରସ୍ୱତ ସମାରୋହ ସମିତିର ମୁଖପତ୍ର ଶାଶ୍ୱତୀ ଏବଂ ସାରସ୍ୱତ ସମାରୋହ ସମିତିର କାର୍ଯ୍ୟକାରୀ ସଭାପତି ଅକ୍ଷୟ କୁମାର ଦାଶଙ୍କ ଦ୍ୱାରା ଲିଖିତ ‘ଅପରେସନ୍ ସିନ୍ଦୂର’କୁ ଅତିଥିମାନେ ଉନ୍ମୋଚନ କରିଥିଲେ । ଗାରସ୍ୱତ ସାହିତ୍ୟ ସମ୍ମାନ ୨୦୨୫ରେ ସାହିତି୍ୟକ ବିଷ୍ଣୁଚରଣ ମିଶ୍ର, ଅଧ୍ୟାପିକା ଜ୍ୟୋତିର୍ମୟୀ, କବି ରାଜୀବ ଷଡ଼ଙ୍ଗୀଙ୍କୁ ଅତିଥିମାନେ ସମ୍ବର୍ଦ୍ଧିତ କରିଥିଲେ । ଡ. ରୁକ୍ମଣୀ ଦେବୀ ସ୍ମାରକୀ ସାରସ୍ୱତ ସମ୍ମାନ ୨୦୨୫ କବୟିତ୍ରୀ ପ୍ରଶାସକ ନିରୂପମା ସ୍ୱାଇଁଙ୍କୁ ପ୍ରଦାନ କରିଥିଲେ । ଜାହ୍ନବୀ ଦେବୀ ସ୍ମୃତି କଳା ସମ୍ମାନ ୨୦୨୫ରେ ନାଟ୍ୟକାର ଭାବଗ୍ରାହୀ ଦାଶଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ସୂର୍ଯ୍ୟାଦେବୀ ସ୍ମୃତି ପୁରସ୍କାର ଛାତ୍ରଛାତ୍ରୀମାନଙ୍କୁ ପ୍ରଦାନ କରାଯାଇଥିଲା । ଏହି ଅବସରରେ ତହସିଲଦାର ଜୟନ୍ତ ଜୟସିଂହ, କବି ସଦାଶିବ ଦାଶ ମୁଖ୍ୟଅତିଥି, ଅଧ୍ୟାପିକା ମମତା ପଣ୍ଡା, ଡଃ ଆର୍ଯ୍ୟପୁତ୍ରୀ ସ୍ଥିତପ୍ରଜ୍ଞା, ଡ. ପ୍ରଫୁଲ୍ଲ ସାହୁ, ଡ, ଲକ୍ଷ୍ମଣ ଦାଶ, ସୁସ୍ମିତା ପଣ୍ଡା, ଦେବେନ୍ଦ୍ର ନାୟକ, ମାନସ କୁମାର ଦାଶ, ବିଶ୍ୱରଂଜନ ସାହୁ, ଅନୁଷ୍ଠାନ ଉପସଭାପତି ବିଷ୍ଣୁଚରଣ ମିଶ୍ର, ଦିପ୍ତିମୟୀ ରାଉତରାୟ, ପ୍ରବୀର ଚନ୍ଦ୍ର ଦାସ, କବି ପ୍ରସନ୍ନ ମିଶ୍ର, ସମ୍ବିତ ଦାସ ପ୍ରମୁଖ ଉପସ୍ଥିତ ଥିଲେ ।