ଟିଏସ୍ଏଫ ପକ୍ଷରୁ ଗ୍ରୀନ ଥେରାପି କାର୍ଯ୍ୟକ୍ରମ 

 କାଳିଆପାଣି:  ସ୍ୱଦେଶୀ ଚିକିତ୍ସା ଔଷଧ ଓ ଅଭ୍ୟାସର ସଂରକ୍ଷଣ ଓ ପ୍ରୋତ୍ସାହନ ଦେବା ଉଦେ୍ଦଶ୍ୟରେ ଟାଟାଷ୍ଟିଲ ଫାଉଣ୍ଡେସନ ପକ୍ଷରୁ ସୁକିନ୍ଦା କ୍ରୋମାଇଟ୍ ଖଣି ପରିସରରେଗ୍ରୀନ୍ ଥେରାପି କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । କାର୍ଯ୍ୟକ୍ରମରେ ବ୍ରାହ୍ମଣୀପାଳ, କଳିଙ୍ଗନଗର ଓ ସୁକିନ୍ଦା ଅଞ୍ଚଳର ୫୦ଜଣ ପ୍ରତିଯୋଗୀ ଏକାଠି ହୋଇ ଔଷଧୀୟ ଉଦ୍ଭିଦ ବ୍ୟବହାର କରି ପାରମ୍ପରିକ ଚିକିତ୍ସା ପଦ୍ଧତି ସମ୍ପର୍କିତ ଜ୍ଞାନ ଓ ଅନୁଭୂତି ସମ୍ପର୍କରେ ଆଲୋକପାତ କରିଥିଲେ । କାର୍ଯ୍ୟକ୍ରମରେ ଅତିଥି ଭାବେ ବଲାଙ୍ଗୀର ସରକାରୀ ଆୟୁର୍ବେଦିକ କଲେଜ ଅବସରପ୍ରାପ୍ତ ଅଧ୍ୟକ୍ଷ ଡ. ବ୍ରହ୍ମାନନ୍ଦ ମହାପାତ୍ର, ଗ୍ରିନ୍ ଏସେନ୍ସ ଫାଉଣ୍ଡେସନର ପରିଚାଳନା ନିଦେ୍ର୍ଦଶକ ଗୌତମ ମହାନ୍ତି ଓ ସମ୍ବଲପୁରର ଆଦିବାସୀ ଚିକିତ୍ସକ ତହସିଲ ଟପ୍ପୋ ପ୍ରମୁଖ ଯୋଗ ଦେଇଥିଲେ । ସେମାନେ ପାରମ୍ପରିକ ଚିକିତ୍ସାରେ ଔଷଧୀୟ ବୃକ୍ଷର ଗୁରୁତ୍ୱପୂର୍ଣ୍ଣ ଭୂମିକା ଉପରେ ଗୁରୁତ୍ୱାରୋପ କରିବା ସହ ଅନେକ ସାଧାରଣ ରୋଗରୁ ରକ୍ଷା ପାଇବା ପାଇଁ ପ୍ରକୃତି ସହିତ ସମନ୍ୱୟ ରକ୍ଷା କରି ବଞ୍ଚôବା ଉପରେ ଗୁରୁତ୍ୱାରୋପ କରି ଆରୋଗ୍ୟ ଏବଂ ସାମୟିକ ସୁସ୍ଥତା ପାଇଁ ବ୍ୟବହୃତ ବିଭିନ୍ନ ଉଦ୍ଭିଦର ତୈଳ ଉପରେ ଆଲୋକପାତ କରାଯାଇଥିଲା । ଏହି ଅବସରରେ ଟାଟା ଷ୍ଟିଲ ଫେରୋ ଆଲଏଜ୍ ଆଣ୍ଡ ମିନେରାଲ୍ସ ଡିଭିଜନର କାର୍ଯ୍ୟନିର୍ବାହୀ ଇନଚାର୍ଜ ପଙ୍କଜ ସତିଜା କହିଛନ୍ତି ଯେ, ଆଦିବାସୀ ସମ୍ପ୍ରଦାୟର ସମୃଦ୍ଧ ସାଂସ୍କୃତିକ ଐତିହ୍ୟକୁ ସଂରକ୍ଷିତ ରଖିବା ଏବଂ ବୃକ୍ଷରୁ ଜାତ ଔଷଧୀୟ ପ୍ରଥାକୁ ପ୍ରୋତ୍ସାହିତ କରିବା ଗୁରୁତ୍ୱପୂର୍ଣ୍ଣ । ଗ୍ରୀନ୍ ଥେରାପି କାର୍ଯ୍ୟକ୍ରମ ଭଳି ପଦକ୍ଷେପ ମାଧ୍ୟମରେ ଆମେ ଆଦିବାସୀ ଚିକିତ୍ସକଙ୍କୁ ସେମାନଙ୍କ ଜ୍ଞାନ ବାଣ୍ଟିବା ଏବଂ ଆଧୁନିକ ଚିକିତ୍ସା ସହିତ ପାରମ୍ପରିକ ଚିକିତ୍ସା ପଦ୍ଧତିକୁ ଏକୀକୃତ କରିବା ପାଇଁ ଏକ ମଞ୍ଚ ପ୍ରଦାନ କରିବାକୁ ଚେଷ୍ଟା କରୁଛୁ । ଭବିଷ୍ୟତ ପିଢ଼ି ପାଇଁ ଅମୂଲ୍ୟ ଚିକିତ୍ସା ପରମ୍ପରାର ସ୍ଥାୟିତ୍ୱକୁ ସୁନିଶ୍ଚିତ କରିବା ଦିଗରେ ଏହି କାର୍ଯ୍ୟକ୍ରମ ଏକ ପଦକ୍ଷେପ ବୋଲି କହିଥିଲେ । କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରି ସ୍ଥାନୀୟ ଆଦିବାସୀ ଚିକିତ୍ସକ ବୁଦ୍ଧିମନ୍ତ ଗଗରାଇ, ନାରଦ ପିଙ୍ଗୁଆ ଓ ଯଦୁନାଥ ମାରାଣ୍ଡି ନିଜର ଅନୁଭୂତି ବାଣ୍ଟିବା ସହ ଏହି ସ୍ୱଦେଶୀ ଜ୍ଞାନର ସଂରକ୍ଷଣ ଉପରେ ଆଲୋଚନାକୁ  ସମୃଦ୍ଧ କରିଥିଲେ । କାର୍ଯ୍ୟକ୍ରମରେ ଆଦିବାସୀ ଚିକିତ୍ସା ପଦ୍ଧତିର ଦସ୍ତାବିଜ ଓ ସଂରକ୍ଷଣ ଉପରେ ଗୁରୁତ୍ୱାରୋପ କରାଯାଇଥିବା ବେଳେ, ବକ୍ତାମାନେ ସଚେତନତା ଅଭିଯାନ, ସ୍ଥାନୀୟ ସମ୍ପ୍ରଦାୟର ସଶକ୍ତୀକରଣ, ପାରମ୍ପରିକ ଜ୍ଞାନର ଆଇନଗତ ସୁରକ୍ଷା ଏବଂ ଆଧୁନିକ ଚିକିତ୍ସା ସହିତ ଆଦିବାସୀ ଚିକିତ୍ସାର ଏକୀକରଣ ଉପରେ ଗୁରୁତ୍ୱାରୋପ କରିଥିଲେ । କାର୍ଯ୍ୟକ୍ରମରେ ଟାଟା ଷ୍ଟିଲର ଖଣି ମୁଖ୍ୟ ନବୀନ ଶ୍ରୀବାସ୍ତବ, ମୁଖ୍ୟ ପ୍ରଶାସକ ପ୍ରମୋଦ କୁମାର ଏବଂ ଟାଟା ଷ୍ଟିଲ ଫାଉଣ୍ଡେସନର ମୁଖ୍ୟ କେଆଇସି ଦେବାଞ୍ଜନ ମୁଖାର୍ଜୀଙ୍କ ସମେତ ଟାଟା ଷ୍ଟିଲ ଅଧିକାରୀ ଉପସ୍ଥିତଥିଲେ ।