ଭୋଟର ତାଲିକା ପ୍ରସ୍ତୁତି ନେଇ ବୈଠକ
ଛତ୍ରପୁର : ନିର୍ବାଚନ କମିଶନ ପକ୍ଷରୁ ନିଭୁଲ ଭୋଟର ତାଲିକା ପ୍ରସ୍ତୁତିକୁ ଗୁରୁତ୍ୱ ଦେଇଛନ୍ତି । ତେଣୁ ଜିଲ୍ଲା ର୍ନିବାଚନ କାର୍ଯ୍ୟାଳୟ ଗୁଡିକ ତୃଣମୂଳ ସ୍ତରରୁ ତଥ୍ୟ ସଂଗ୍ରହ କରି ନିର୍ଭୁଲ ଭୋଟର ତାଲିକା ପ୍ରସ୍ତୁତି ଚଳାଇ ଥିବାବେଳେ ଜିଲାସ୍ତରରେ ଏହାର ବାରମ୍ବାର ସମୀକ୍ଷା କରାଯାଉଛି । ବିଶେଷ ଭାବରେ ରାଜନୈତିକ ଦଳର ପ୍ରତିନିଧିଙ୍କ ସହିତ ଆଲୋଚନା କରି ମୃତ ଲୋକଙ୍କୁ ତାଲିକାରୁ ବାଦ ଦେବା ସହିତ ଜଣେ ମଧ୍ୟ ଯୋଗ୍ୟ ଭୋଟର ଯେପରି ତାଲିକାରୁ ବାଦ ନପଡିବେ ସେଥିପାଇଁ ଗୁରୁତ୍ୱ ଦିଆଯାଉଅଛି । ଗଞ୍ଜାମ ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ଦିବ୍ୟ ଜ୍ୟୋତି ପରିଡାଙ୍କ ଅଧ୍ୟକ୍ଷତାରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସମ୍ମିଳନୀ କକ୍ଷଠାରେ ଆୟୋଜିତ ବୈଠକରେ ନିର୍ଭୁଲ ଭାବରେ ଚୁଡାନ୍ତ ଭୋଟର ତାଲିକା ପ୍ରସ୍ତୁତି ପାଇଁ ପ୍ରତି ବୁଥ ପାଇଁ ଜଣେ ବୁଥ ଲେବଲ ଏଜେଣ୍ଟଙ୍କ ନାମ ଦେବାକୁ ରାଜନୈତିକ ଦଳର ପ୍ରତିନିଧିଙ୍କୁ ଅନୁରୋଧ କରାଯାଇଥିଲା । ଏମାନେ ବିଏଲଓମାନଙ୍କୁ ସହଯୋଗ କରିବେ । ଭୋଟର ପରିଚୟପତ୍ର ସହ ଆଧାର ସଂଯୁକ୍ତ କରିବା, ତାଲିକା ପ୍ରସ୍ତୁତିରେ ସ୍ୱଚ୍ଛତା ଅବଲମ୍ବନ କରିବା ସହ ମାର୍ଗଦର୍ଶିକାକୁ ଅନୁସରଣ କରି ତାଲିକା ପ୍ରସ୍ତୁତି କରିବା ଉପରେ ଆଲୋଚନା ହୋଇଥିଲା । ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଗଞ୍ଜାମ ଜିଲ୍ଲାର ଅତିରିକ୍ତ ଜିଲ୍ଲାପାଳ ଦେବଦତ୍ତ ପଣ୍ଡା, ଉପଜିଲ୍ଲାପାଳ ପାର୍ଥ ସାରଥୀ ହାଁସଦା,ଡେପୁଟି କଲେକ୍ଟର ଅଭିଷେକ ସାହୁ, ଭାଜପା ଜିଲ୍ଲା ସମ୍ପାଦକ ଲକ୍ଷ୍ମୀ ନାରାୟଣ ପଣ୍ଡା, ଭାଜପା ନେତା ଦିପ୍ତୀସ ପଟ୍ଟନାୟକ, ଆପ ପାର୍ଟିର ଲିଗାଲ ସେଲର ସଭାପତି କୈଳାଶ ସେଠି, ବିଏସପିର ରାଜେନ୍ଦ୍ର ବେହେରା ଓ ସୁନୀଲ କୁମାର ବେହେରା, ସିପିଆଇର ଏନ. ଗଙ୍ଗାଧର ରେଡ୍ଡୀ, ଛାତ୍ର ବିଜୁ ଜନତାଦଳର ଜିଲ୍ଲା ସଭାପତି ପ୍ରଶାନ୍ତ କୁମାର ପଣ୍ଡା, ଭି ମଙ୍ଗଳେଶ୍ୱର ରାଓଙ୍କ ସମେତ ବିଭିନ୍ନ ରାଜନୈତିକ ଦଳର ପ୍ରତିନିଧିମାନେ ଉପସ୍ଥିତ ଥିଲେ ।