ମିଆଁମାର ଭୂମିକମ୍ପରେ ମୃତ୍ୟୁ ସଂଖ୍ୟା ବଢ଼ୁଛି
ମିଆଁମାର ଓ ଥାଇଲ୍ୟାଣ୍ଡରେ ଶକ୍ତିଶାଳୀ ଭୂକମ୍ପ ଯୋଗୁଁ ଭୀଷଣ ବିପର୍ଯ୍ୟୟ ଆସିଛି । ୭.୭ ଏବଂ ୬.୪ ତୀବ୍ରତାର ୨ଟି ଭୂକମ୍ପ ପ୍ରଭାବରେ ମିଆଁମାରରେ ଅନେକ ସୁଉଚ୍ଚ ଅଟ୍ଟାଳିକା ଆଖି ପିଛୁଳାକେ ମାଟିରେ ମିଶିଯାଇଛି । ମିଆଁମାରରେ ୬୯୪ ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ୭୦୦ରୁ ଅଧିକ ଆହତ ହୋଇଛନ୍ତି ।
ଭୂକମ୍ପର ପ୍ରଭାବ ଏତେ ଅଧିକ ଥିଲା ଯେ ଏହା ୯୦୦ କିମି ଦୂରରେ ଥିବା ପଡ଼ୋଶୀ ଥାଇଲ୍ୟାଣ୍ଡର ରାଜଧାନୀ ବ୍ୟାଙ୍କକ୍ରେ ମଧ୍ୟ ବ୍ୟାପକ କ୍ଷୟକ୍ଷତି ଘଟିଛି । ଭାରତରେ ମେଘାଳୟ, ମଣିପୁର, ଦିଲ୍ଲୀ, ଉତ୍ତରପ୍ରଦେଶ ଏବଂ ପଶ୍ଚିମବଙ୍ଗରେ ଭୂକମ୍ପର ଝଟ୍କା ଅନୁଭୂତ ହୋଇଛି । ବାଂଲାଦେଶ, ଭିଏତ୍ନାମ ଏବଂ ଚୀନ୍ର ଦକ୍ଷିଣପଶ୍ଚିମ ୟୁନାନ୍ ପ୍ରଦେଶରେ ମଧ୍ୟ ଭୂକମ୍ପର ତୀବ୍ର ଝଟ୍କା ଅନୁଭୂତ ହୋଇଛି । ମିଆଁମାର ଓ ଥାଇଲ୍ୟାଣ୍ଡରେ ଭୂକମ୍ପଜନିତ ନିଖୋଜଙ୍କ ସଂଖ୍ୟା ୨ ଶହ ଅତିକ୍ରମ କରିଥିବା ସରକାରୀ ସୂତ୍ରରୁ ଜଣାପଡ଼ିଛି । କେନ୍ଦ୍ରୀୟ ମିଆଁମାରର ମାଣ୍ଡଲେ ନିକଟରେ ଶୁକ୍ରବାର ସ୍ଥାନୀୟ ସମୟ ମଧ୍ୟାହ୍ନ ପ୍ରାୟ ୧୨.୫୦ରେ ପ୍ରଥମ ଭୂକମ୍ପ ଆସିଥିଲା ଏବଂ ଏହାର ତୀବ୍ରତା ୭.୭ ରହିଥିଲା । ଏହାର ୧୧ ମିନିଟ୍ ପରେ ଆସିଥିବା ଦ୍ବିତୀୟ କମ୍ପନର ତୀବ୍ରତା ୬.୪ ରହିଥିଲା ।
ଏହାର କେନ୍ଦ୍ରସ୍ଥଳ ସଗାଇଙ୍ଗ ସହରର ୧୬ କିମି ଦକ୍ଷିଣ ପଶ୍ଚିମରେ ୧୦ରୁ ୩୦ କିମି ଗଭୀରତାରେ ଥିଲା ବୋଲି ଜଣାପଡ଼ିଛି । ଭୂକମ୍ପର ଭୀଷଣ ଝଟ୍କାରେ ଥାଇଲ୍ୟାଣ୍ଡରେ ଅନେକ ସୁଉଚ୍ଚ ଅଟ୍ଟାଳିକା ଭୁଶୁଡ଼ି ପଡ଼ିଛି । ବ୍ୟାଙ୍କକ୍ରେ ଏକ ୩୦ ମହଲା ବିଶିଷ୍ଟ ନିର୍ମାଣାଧୀନ କୋଠା ଭୁଶୁଡ଼ି ପଡ଼ି ୩ ଜଣଙ୍କର ମୃତ୍ୟୁ ହୋଇଛି । ୮୦ରୁ ଅଧିକ ଲୋକ ଭଗ୍ନାବଶେଷ ତଳେ ଫସି ରହିଥିବା ଜଣାପଡ଼ିଛି । ମିଆଁମାରରେ ଜାତୀୟ ଜରୁରୀ ସ୍ଥିତି ଘୋଷଣା କରାଯାଇଥିବା ବେଳେ ଥାଇଲ୍ୟାଣ୍ଡର ବ୍ୟାଙ୍କକ୍କୁ ଇମର୍ଜେନ୍ସି ଜୋନ୍ ଘୋଷଣା କରାଯାଇଛି । ଉଭୟ ରାଷ୍ଟ୍ରରେ ବିଶାଳ ଉଦ୍ଧାର ଅଭିଯାନ ଆରମ୍ଭ ହୋଇଛି । ସେପଟେ ବର୍ତ୍ତମାନ ଭୂକମ୍ପରେ ବିପର୍ଯ୍ୟସ୍ତ ମିଆଁମାରକୁ ସହାୟତାର ହାତ ବଢାଇଛି ଭାରତ । ବାୟୁସେନାର ଏକ ସ୍ୱତନ୍ତ୍ର ବିମାନ ଯୋଗେ ୧୫ ଟନରୁ ଅଧିକ ରିଲିଫ ସାମଗ୍ରୀ ପଠାଯାଇଛି । ସେହିପରି ତମ୍ବୁ,କମ୍ବଳ, ଖାଦ୍ୟ, ଜଳ ବିଶୋଧନ, ସ୍ୱାସ୍ଥ୍ୟ କିଟ୍, ସୌର ଲ୍ୟାମ୍ପ, ଜେନେରେଟର ସେଟ୍ ସହ ଅତ୍ୟାବଶ୍ୟକ ଔଷଧ ସାମଗ୍ରୀ ମଧ୍ୟ ପଠାଯାଇଛି । ପ୍ରଧାନମନ୍ତ୍ରୀ ମୋଦି ମିଆଁମାର ହୋଇଥିବା ଭୂକମ୍ପ ଏବଂ ଏହା ପରର ସ୍ଥିତି ନେଇ ଚିନ୍ତା ପ୍ରକଟ କରିଛନ୍ତି ।