ପଟିଦିଅଁ ପୂଜା ଓ ନେତ୍ରୋତ୍ସବ

ପଟିଦିଅଁ ପୂଜା ଓ ନେତ୍ରୋତ୍ସବ

ପ୍ରସନ୍ନ କୁମାର  : ପବିତ୍ର ସ୍ନାନ  ପୂର୍ଣ୍ଣିମା ଅବସରରେ ଶ୍ରୀ ମନ୍ଦିରରେ ବିରାଜିତ ତିନି ଠାକୁର ସ୍ନାନ ମଣ୍ଡପରେ ଶହେ ଆଠଗରା ଜଳରେ  ସ୍ଣାନ ଫଳରେ ଅସୁସ୍ଥ ହୋଇ  ଅଣସରରେ  ୧୫ ଦିନ ରହି ଚିକିତ୍ସିତ  ହୋଇଥାଆନ୍ତି ।ଏହା ଏକ ଗୁପ୍ତ ସେବା ହୋଇଥିବାରୁ ସଂପୃକ୍ତ  ସେବକଙ୍କ ବ୍ୟତୀତ ଅନ୍ୟ କେହି ମହାପ୍ରଭୁଙ୍କ  ଦର୍ଶନ ପାଇ ପାରିବେ ନାହିଁ । ଏହି ପନ୍ଦର ଦିନ ଭକ୍ତମାନେ ଅଣସର ପିଣ୍ଡି (କଳାହାଟ ଦ୍ୱାର ଓ ଭିତର କାଠ  ଅଂଚଳ )ସମ୍ମୁଖରେ ଶ୍ରୀ ବଳଭଦ୍ର ,ଦେବୀ ସୁଭଦ୍ରା ଓ ଶ୍ରୀ ଜଗନ୍ନାଥଙ୍କୁ   ଯଥାକ୍ରମେ  ଶ୍ରୀ ଅନନ୍ତ ,ଭୁୁବନେଶ୍ୱରୀ ଓ ଶ୍ରୀନାରାୟଣ ରୂପରେ ‘ପଟି ଠାକୁର’  ଭାବରେ  ପୂଜା ପାଆନ୍ତି ।ଏହି  ତିନି ଠାକୁରଙ୍କ ବ୍ୟତୀତ ଅନସର ତାଟି ନିକଟରେ ବଡ ଠାକୁରଙ୍କ ସମ୍ମୁଖରେ ଦୋଳଗୋବିନ୍ଦ ,ରାମ ଓ ନୃସିଂହ ,ମଝିବାଡରେ ଲଷ୍ମୀ ଓ ସରସ୍ୱତୀ ଏବଂ ଶ୍ରୀ ଜଗନ୍ନାଥଙ୍କ  ବାଡରେ  ମଦନ ମୋହନ ଓ ଶ୍ରୀ କୃଷ୍ଣ , ଏହି ଦଶ ଦିଅଁ  ରହି  ପୂଜିତ ହୋଇଥାଆନ୍ତି । ଏହି ପଟଚିତ୍ର  ଗୁଡିକ ରୁକି୍ମଣୀହରଣ  ଏକାଦଶୀ ଦିନଠାରୁ  ପୁରୀ ଚିତ୍ରକାର  ସାହିସ୍ଥ  ପାରମ୍ପରିକ କୁଶଳୀ ଚିତ୍ରକାର ସେବକ ମାନଙ୍କ  ଦ୍ୱାରା  ତିଆର ହୋଇ ଦେବସ୍ନାନ ପୂର୍ଣ୍ଣିମା ଦିନ ଘଂଟ ଛତା କାହାଳୀ ଓ ବାଜା ପଟୁଆରରେ  ସେମାନଙ୍କ  ବାସଭବନ ଠାରୁ ଅଣାଯାଇଥାଏ । ପୂର୍ଣ୍ଣିମାର ଗଭୀର ରାତ୍ରୀରେ ଠାକୁର ମାନେ  ସ୍ନାନ ଯାତ୍ରାରୁ ବାହୁଡା ବିଜେ କରି ରତ୍ନ ସିଂହାସନକୁ ନ ଯାଇ ଅନସର ପିଣ୍ଡିଠାରେ ବିଶ୍ରାମ  ନେବାପରେ , ସେମାନଙ୍କ ସମ୍ମୁଖରେ ପଟଚିତ୍ର ଗୁଡିକୁ  ଅଣସର ତାଟିରେ  ଖଂଜି ଦିଆଯାଏ । ଏହି  ପଟିଦିଅଁ ମାନଙ୍କ ଠାରେହିଁ ଅଣସର ସମୟରେ ଅନ୍ନ ମହାପ୍ରସାଦ (ଅଭଡା ) ଭୋଗ କରାଯାଇଥାଏ    ପଟଚିତ୍ର ଗୁଡିକରେ  କେବଳ ପାରମ୍ପରିକ ରଙ୍ଗ ଯଥା ; ନାଲି ପାଇଁ ହେଙ୍ଗୁଳ ,ଧଳା ପାଇଁ ଶଙ୍ଖ ,ହଳଦିଆ ପାଇଁ ହରିତାଳ ,କଳା ରଙ୍ଗ ପାଇଁ  ଘିଅଦୀପର କଳା ଓ ଢାଉ ରଙ୍ଗ ପାଇଁ ଗେରୁ ପଥର ବ୍ୟବହାର କରାଯାଇ ଥାଏ । ଶ୍ରୀ ଅନନ୍ତ (ଶ୍ରୀ ବଳଭଦ୍ର )ଙ୍କ ପଟିରେ ପ୍ରଭୁ ପଦ୍ମାସନରେ ବିରାଜିତ ହୋଇ ସପ୍ତଫେଣୀ  ନାଗ ଧାରଣ  କରିଥାନ୍ତି । ଚାରିଭୁଜରେ ଶଙ୍ଖଚକ୍ର ସହିତ ହଳ ମୂଷଳ ରହିଥାଏ  । ମଝି ବାଡରେ (ସୁଭଦ୍ରା ) ପଦ୍ମାସନରେ ବସି ଦୁଇ ହାତରେ  ଅଭୟ  ଓ ବରଦ ମୁୁଦ୍ରା  ଧାରଣ କରି ଥାଆନ୍ତି । ଦୁଇ ପାଖରେ ଆଲଟ ଚାମର ଧରି ଜୟା ଓ ବିଜୟା ରହିଥାନ୍ତି  । ଶ୍ରୀ ନାରାୟଣ  (ଜଗନ୍ନାଥ )ଙ୍କ ପଟିରେ ସ୍ୱୟଂ ନାରାୟଣ  ପଦ୍ମାସନରେ ବସିଥାନ୍ତି  । ଚାରି ହାତରେ  ଶଙ୍ଖ ,ଚକ୍ର ,ଗଦା ଓ ପଦ୍ମ ସହିତ ବକ୍ଷରେ ଶୀ୍ରବତ୍ସ  ଚିହ୍ନ ଓ କୈ÷ାସ୍ତୁଭ  ମଣି ଶୋଭା ପାଉଥାଏ । ଉଭୟ ପାଶ୍ୱର୍ରେ ସୂ୍ର୍ୟ୍ୟ ଓ ଚନ୍ଦ୍ରଙ୍କ ସହିତ ସପ୍ତଋଷି ଠିଆ ହୋଇ ଥାଆନ୍ତି । ପଟିଦିଅଁଙ୍କୁ  ପଟବ୍ରହ୍ମ  କୁହାଯାଏ ।
 ଅଣସର ସମାପ୍ତିରେ  ‘ଅଣସର ଚତୁର୍ଦ୍ଦଶୀ’  ଦିନ ଶୀ୍ର ଜୀଉଙ୍କର ଶେଷ  ଗୁପ୍ତନୀତି ‘ଚକା  ଅପସରଲାଗି’ ଅନୁଷ୍ଠିତ  ହୋଇଥାଏ । ପରଦିନ ଅମାବାସ୍ୟା ତିଥି  ପା୍ରତଃ କାଳରେ ‘ଅଣସର ତାଟି’ଠାରେ ଥିବା ‘ପଟି ଦିଅଁ’ ସମେତ  ଦଶ ଅବତାର ଠାକୁରମାନଙ୍କ  ମଙ୍ଗଳ ଆଳତି ଓ ଅବକାଶ ବଢିବା ପରେ  ଖଟରେ ବିଜେ କରିଥିବା ବିଜେ ଠାକୁରଙ୍କ  ମଧ୍ୟରୁ ପାଂଚ ପ୍ରତିମା  ମଦନ ମୋହନ ,ରାମ ,କୃଷ୍ଣ , ଲକ୍ଷ୍ମୀ  ଓ ସରସ୍ୱତୀ  ଦକ୍ଷିଣୀ  ଘରକୁ  ଓ  ଶ୍ରୀଦେବୀ ,ଭୂଦେବୀଙ୍କୁ  ଖଟଶେଯ  ଘରକୁ ନିଆଯାଏ । ମଣ୍ଡଣ  ପଟିରେ ଥିବା ତିନି ଦିଅଁ     (ଶ୍ରୀ ଅନନ୍ତ , ଭୁବନେଶ୍ୱରୀ ଓ ଶ୍ରୀ ନାରାୟଣ) ଙ୍କୁ ବିମଳା ମନ୍ଦିର କଡରେ ଥିବା ମଣ୍ଡଣି ଘରକୁ  ନିଆଯିବା ପରେ ଖଟ ବାହାରକୁ କଢାଯାଇ ଥାଏ । ଏହାପରେ ଅଣସର ତାଟି ଫିଟାଯାଇ ଭିତରେ ପାଣିପଡି ପୋଛାମରା ହେଲେ ପ୍ରଥମେ ସେବକମାନେ ଓ ପରେ ପରେ ସର୍ବସାଧାରଣ ମହାପ୍ରଭୁଙ୍କୁ  ଦର୍ଶନ କରିଥାନ୍ତି  ।   ଦର୍ଶନ ପରେ  ଭିତର  ପହଁରାଯାଇ ଚୂନପାଣି  ପଡେ । ଏହାପରେ ପ୍ରଭୁଙ୍କ  ‘ନେତ୍ରୋତ୍ସବ’  ନୀତି ଅନୁଷ୍ଠିତ  ହୁଏ ।  ପ୍ରଥମେ ତିନୋଟି  ରୂପା ପିଙ୍ଗଣରେ ଚନ୍ଦନ ବିଜେ ହୋଇ  ଆସିଲେ ପତି ମହାପାତ୍ର  ସେବକ  ତାହାକୁ ସଂସ୍କାର  କରିବା ପରେ  ଦଇତା ପତି ସେବକ ମାନେ ଠାକୁର ମାନଙ୍କୁ ଚନ୍ଦନ  ଲାଗି  କରି ଥାଆନ୍ତି । ବର୍ଷରେ ଏହି ଗୋଟିଏ ଦିନ ଦଇତା ମାନେ ଏହି ସେବା କରିବାର   ସୁଯୋଗ ପାଇଥାଆନ୍ତି । ବେଶ  ଓଲାଗି ହେବାପରେ  ତିନିଠାକୁରଙ୍କୁ ନଅ ଖଣ୍ଡ  ଓ ସୁଦର୍ଶନଙ୍କୁ  ଏକ ଖଣ୍ଡ ,ଏହିପରି  ଦଶଖଣ୍ଡ ନୂଆ ବୋଇରାଣୀ ଲୁଗା ଲାଗି କରାଯାଏ  । ପତି ମହାପାତ୍ର ଅକ୍ଷତ(ଅଖଣ୍ଡିଆ ଅରୁଆ ଚାଉଳ), କର୍ପୂର ଆଳତି,ସାତବତୀ ,ସଂଜବତୀ ଓ ସଂଜକାହାଳୀ   ବନ୍ଦାପନା  କରନ୍ତି  । ପୂର୍ବରୁ ଦତ୍ତ ମହାପାତ୍ର  ସେବକ ମାନଙ୍କ ଦ୍ୱାରା ରୁପା ବଟାରେ  ‘କଳା’  ପ୍ରସ୍ତୁତ ହୋଇ ରହିଥାଏ  । ତିନିଜଣ ପୂଜାପଣ୍ଡା ସେବକ ତିନିଗୋଟି କାଠିରେ ତିନିଠାକୁରଙ୍କର  ‘ଶୀ୍ର ନେତ୍ରଲାଗି’ କରନ୍ତି । ନାନା ବାଦ୍ୟ ଧ୍ୱନିର   ମହୋତ୍ସବ   ମଧ୍ୟରେ  ‘ତଳକ୍ଷୁ’ ମନ୍ତ୍ର୍ରରେ ତିନି ଠାକୁରଙ୍କର ନେତ୍ରପଦ୍ମରେ ଦୁଇଟି ଲେଖାଏଁ  ନେତ୍ର ପ୍ରଦାନ  କରାଯାଇ ଥାଏ । ଏହାପରେ ବନ୍ଦାପନା  ହୁଏ ।  ମୁଦିରସ୍ତ  ସେବକ  ନିଉଛାଣି ହୋଇ ଦଣ୍ଡ  ପ୍ରଣାମ  କରନ୍ତି  ଓ  ତିନି ବାଡ ‘ରାଜନୀତି’ରେ  ସୁବର୍ଣ୍ଣ ଆରତି ଦାନିରେ କର୍ପୂର ବସାଇ ମୁୁଦିରସ୍ତ  ଆଳତି କରିଥାଆନ୍ତି । ଏହି ସମୟରେ ସୁନା ଆଲଟ ଓ ସୁନା ଚାମର ପଡୁଥାଏ । ପାଳିଆ ଖୁଂଟିଆ  ରୂପା ପିଙ୍ଗଣରେ  ରଖିଥିବା ଶୁକ୍ଳ ପୁଷ୍ପ  ଠାକୁର ମାନଙ୍କୁ ଅର୍ପଣ ହୁଏ  । ପାଳିଆ ସେବକମାନଙ୍କ  ମଣିମା ମଣିମା  ଡାକ ପଡୁଥିବା  ବେଳେ  ଅଖଣ୍ଡ ମେକାପ  ସେବକ ବଇଠା ଧରି  ଠିଆ ହୋଇ ରହିଥାନ୍ତି  । ମୁଦିରସ୍ତ ସେବକ ତିନି ଠାକୁରଙ୍କୁ ଦହିପଟି (ସାକର ମିଶା ଓଳିଏ ଦହି  ମଣୋହି କରାନ୍ତି  । ମହାସ୍ନାନ ପରେ  ଶ୍ରୀଅଙ୍ଗରେ ଶାନ୍ତି ଜଳ ସିଂଚନ କରାଯାଏ । ଏହାପରେ ସର୍ବାଙ୍ଗଚନ୍ଦନ ଲାଗି   ଓ ବେଶ ପରେ ଘଂଟ ଛତା କାହାଳି ଓ ବାଜା ସହ ସକାଳ ଧୂପ ଭୋଗ ପୂଜା  ଅନୁଷ୍ଠିତ ହୁଏ । ଏହାହିଁ  ଶୀ୍ର ଜଗନ୍ନାଥଙ୍କର ନେତ୍ରୋତ୍ସବ ।
ପୁରୀ  
ମୋ:  ୮୦୧୮୮୭୫୩୩୫