ସାମାଜିକ ଅଶାନ୍ତି ଓ ରାଜନୀତି
ପ୍ରଫୁଲ୍ଲ କୁମାର ପଣ୍ଡା : ସାମୂହିକ ଏବଂ ସାମଗ୍ରିକ ଭାବରେ ଦେଖିବାକୁ ଗଲେ ଆମ ରାଜ୍ୟ ଓଡ଼ିଶା ଭାରତର ଏକ ଶାନ୍ତିପ୍ରିୟ ପ୍ରଦେଶ । କ୍ୱଚିତ କାଁ ଭାଁ, ଘଟଣାକୁ ଛାଡିଦେଲେ ଓଡ଼ିଶାରେ ସାମାଜିକ ଶାନ୍ତି ଓ ସୌହାର୍ଦ୍ଦ୍ୟ ଉଦାହରଣ ସାପେକ୍ଷ, କିନ୍ତୁ ଅତି ଦୁଃଖ ଓ ପରିତାପର ବିଷୟ ଏହିକିଯେ ଚଳିତ ବର୍ଷ ଦୁର୍ଗାପୂଜା ଭସାଣି ଉତ୍ସବ ସମୟରେ ଏକ ଭୟଙ୍କର ଗୋଷ୍ଠୀ ସଂଘର୍ଷର ସୂତ୍ରପାତ ହୋଇଥିଲା । ତାହା ପରେ ସାମ୍ପ୍ରଦାୟିକ ଗଣ୍ଡଗୋଳର ରୂପ ନେଇଥିଲା । ଯେହେତୁ ପ୍ରଥମ ଦିନର ଗଣ୍ଡଗୋଳରେ ବହୁ ସଂଖ୍ୟକ ସମ୍ପ୍ରଦାୟର କିଛି ଜଣ ଆହତ ହେଇଥିଲେ ଏବଂ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଥିଲେ ସେଥିପାଇଁ ସେମାନଙ୍କୁ ପ୍ରତିନିଧିତ୍ୱ୍ୱ କରୁଥିବା ଏକ ସଙ୍ଗଠନ କଟକ ସହର ବନ୍ଦ ଡାକରା ଦେଇଥିଲେ । କିନ୍ତୁ ହଠାତ୍ କଟକ ବନ୍ଦ ପୂର୍ବ ଦିନ ସନ୍ଧ୍ୟା ସମୟରେ ଏକ ଭୟଙ୍କର ପରିସ୍ଥିତି ଉପୁଜିଥିଲା । ପୋଲିସକୁ ଲାଠି ଚାର୍ଜ କରିବାକୁ ପଡ଼ିଥିଲା । ଅତ୍ୟନ୍ତ ଦୁର୍ଭାଗ୍ୟର କଥା ଯେ କଟକ ଡିସିପିଙ୍କ ସମେତ ଅନେକ ପୋଲିସ କର୍ମଚାରୀ କର୍ତ୍ତବ୍ୟରତ ଅବସ୍ଥାରେ ଶାନ୍ତି ରକ୍ଷା କରିବାକୁ ଯାଇଥିବା ବେଳେ ପ୍ରଦର୍ଶନକାରୀଙ୍କ ଆକ୍ରମଣର ଶିକାର ହୋଇ ଆହତ ହେଲେ । କଟକ ସହରରେ ୪୮ ଘଣ୍ଟା ଇଣ୍ଟରନେଟ ବନ୍ଦ ରହିଲା ଏବଂ ୩୬ ଘଣ୍ଟା ପାଇଁ ୧୩ ଟି ଥାନା ଅଞ୍ଚଳରେ କର୍ଫ୍ୟୁ ଜାରି କରାଗଲା । ସାଧାରଣ ଜନତା ନାହିଁ ନଥିବା ହଇରାଣ ହରକତ ହେଲେ । କଟକ ସହରକୁ ପୋଲିସ ଛାଉଣୀରେ ପରିଣତ କରି ଦିଆଗଲା । କଟକବାସୀ ସମ୍ପୂର୍ଣ ସ୍ତବ୍ଧ ଏବଂ ଅତ୍ୟନ୍ତ ବିବ୍ରତ ଅବସ୍ଥାରେ ଥିଲେ । ଭଗବାନଙ୍କୁ ଅନେକ ଅନେକ ଧନ୍ୟବାଦ ଦେବା ଯେ ଓଡ଼ିଶା ପୋଲିସର ଠିକଣା ଓ ସମୟ ଉପଯୋଗୀ କାର୍ଯ୍ୟାନୁଷ୍ଠାନ, ତତ୍ପରତା ଦ୍ୱାରା କୌଣସି ବଡ଼ ଅଘଟଣକୁ ଏଡାଇ ଦିଆଯାଇପାରିଲା । ନିରବଛିନ୍ନ ବର୍ଷା ଓ ପ୍ରତିକୂଳ ପରିସ୍ଥିତିରେ ପୋଲିସ ଓ ଅର୍ଦ୍ଧ ସାମରିକ ବାହିନୀର ଯବାନ ମାନେ ଯେଭଳି କର୍ତ୍ତବ୍ୟ ସମ୍ପାଦନ କଲେ ତାହା ନିଶ୍ଚିତ ଭାବରେ ପ୍ରଶଂସନୀୟ ଓ ସେମାନଙ୍କ ସେବା ପାଇଁ ଆନ୍ତରିକ ଅଭିନନ୍ଦନ ଓ ଧନ୍ୟବାଦ୍ । କଟକରେ ଏଭଳି ଏକ ଅଘଟଣ ସାଧାରଣ ଲୋକ ମାନଙ୍କୁ ବିବ୍ରତ କରିଛି ।
ଏବେ ଆସନ୍ତୁ ସମାଜରେ ଘଟୁଥିବା ଅଶାନ୍ତିକର ପରିବେଶ ପାଇଁ କେଉଁମାନେ ଓ କେଉଁ କାରଣ ଦାୟୀ ତା ଉପରେ ଆଲୋକପାତ କରିବା । ସାମାଜିକ ଅଶାନ୍ତି କହିଲେ ଆମେ ସାଧାରଣତଃ ସମାଜରେ ବିଭିନ୍ନ ବର୍ଗର ଲୋକମାନଙ୍କ ମଧ୍ୟରେ ଘଟୁଥିବା ଗୋଷ୍ଠୀ ସଂଘର୍ଷ, ସାମ୍ପ୍ରଦାୟିକ ଦଙ୍ଗା ବା ଉତ୍ତେଜନା, ଜାତିଗତ ଦଙ୍ଗା, ଭାଷା ଭିତ୍ତିକ ଦଙ୍ଗା, ଧର୍ମ ନାମରେ ବିଦ୍ୱେଷ ଓ ଦଙ୍ଗା, ଗୋଟିଏ ଧର୍ମ ଭିତରେ ଥିବା ବିଭିନ୍ନ ବର୍ଗଙ୍କ ମଧ୍ୟରେ ଦ୍ୱନ୍ଦ୍ୱ ଇତ୍ୟାଦି ଇତ୍ୟାଦି । ଏପରିକି ଗ୍ରାମ ଗ୍ରାମ ଭିତରେ ସଂଘର୍ଷ, ସାହି ସାହି ଭିତରେ ସଂଘର୍ଷ ମଧ୍ୟ ସାମାଜିକ ଅଶାନ୍ତି ସୃଷ୍ଟି କରିଥାଏ । କେବେ କେବେ ସମାଜର ବିଭିନ୍ନ ଗୋଷ୍ଠୀର ନେତାମାନଙ୍କ ମଧ୍ୟରେ ସାମୂହିକ କିମ୍ବା ବ୍ୟକ୍ତିଗତ ମନେମାଳିନ୍ୟ ଥିଲେ ସମାଜରେ ଅଶାନ୍ତିର ସୂତ୍ରପାତ ହୁଏ । ତେବେ ଅଧିକାଂଶ ସମୟରେ ରାଜନେତାମାନଙ୍କ ପ୍ରତ୍ୟକ୍ଷ ବା ପରୋକ୍ଷ ପ୍ରୋତ୍ସାହନରେ ମଧ୍ୟ ସମାଜରେ ଗଣ୍ଡଗୋଳ ଓ ଦଙ୍ଗାଫସାଦ ହେବାର ଦେଖାଯାଉଛି । କ୍ଷୁଦ୍ର ରାଜନୈତିକ ଫାଇଦା ପାଇଁ ହେଉ କିମ୍ବା ଦଳରେ ନିଜର ପତିଆରା ପ୍ରଦର୍ଶନ କରିବାର ଅଭିସନ୍ଧି ହେଉ ରାଜନେତାମାନେ ସମାଜରେ ବିଭେଦ, ବିଭାଜନ ଓ ବିଭ୍ରାଟ ସୃଷ୍ଟି କରିବାକୁ ପଛାଉନାହାଁନ୍ତି । ଏଇ କ୍ଷେତ୍ରରେ ସମାଜସେବା ବା ସାର୍ବଜନୀନ ମଙ୍ଗଳକୁ ସେମାନେ ପଛରେ ପକାଇ ଦଳୀୟ କିମ୍ବା ବ୍ୟକ୍ତିଗତ ସ୍ୱାର୍ଥକୁ ଆଗରେ ରଖି ସମାଜରେ ବିଶୃଙ୍ଖଳା ସୃଷ୍ଟି କରନ୍ତି । ଗୋଳିଆ ପାଣିରୁ ମାଛ ଧରିବା ରାଜନୀତିର ଏକ ପ୍ରତିଷ୍ଠିତ ଓ ପରୀକ୍ଷିତ ରଣ ନୀତି । କୌଣସି ରାଜନୈତିକ ଦଳ ବା ନେତା ଏଇ ଅମୋଘ ଅସ୍ତ୍ରକୁ ହାତଛଡ଼ା କରନ୍ତି ନାହିଁ । ଆମ ଦେଶରେ ରାଜନୈତିକ ଏବଂ ସାମାଜିକ ଦୃଶ୍ୟପଟ ଅତ୍ୟନ୍ତ ଜଟିଳ ଓ ଏହା ଉପରେ କୌଣସି ନିର୍ଦ୍ଦିଷ୍ଟ ସିଦ୍ଧାନ୍ତରେ ପହଞ୍ଚିବା ଦୁରୂହ ବ୍ୟାପାର । କାରଣ ଭାରତ ଏକ ବିଶାଳ ଦେଶ ଯାହାକୁ ଉପମହାଦେଶ ବି କୁହାଯାଏ । ପ୍ରାୟ ୧୪୫ କୋଟି ଜନବସଖ୍ୟା, ଅନେକ ଧର୍ମ ର ଅନୁଗାମୀ ଲୋକ, ବିଭିନ୍ନ ସମ୍ପ୍ରଦାୟ , ଅନେକ ଜାତି ଓ ଜନଜାତି , ଅନେକ ଭାଷାଭାଷୀ ଏବଂ ଭୌଗୋଳିକ ବିବିଧତା ହେଉଛି ଭାରତର ରାଜନୈତିକ ଓ ସାମାଜିକ ଚିତ୍ରପଟର ଅଂଶ । ସେହିଭଳି ରାଜନୈତିକ ଦୃଷ୍ଟିକୋଣରୁ ଦେଖିଲେ ବାମପନ୍ଥୀ, ଦକ୍ଷିଣ ପନ୍ଥୀ, ମଧ୍ୟମ ପନ୍ଥୀ ଚିନ୍ତାଧାରାର ରାଜନୈତିକ ଦଳମାନେ ସକ୍ରିୟ ଅଛନ୍ତି । ତାକୁ ଛାଡି ଅନେକ କ୍ଷେତ୍ରୀୟ ଦଳ ବି ଅଛନ୍ତି । ସମାଜରେ ରାଜନୈତିକ ସ୍ୱାର୍ଥ ପାଇଁ ବିଶୃଙ୍ଖଳା ସୃଷ୍ଟି କରାଇବା ଏକ ଭୟଙ୍କର ଆଭିମୁଖ୍ୟ ଏବଂ ଏଇ ବିଦ୍ୱେଷବାଦୀ ରୋଗ ଦ୍ୱାରା ସମସ୍ତ ରାଜନୈତିକ ଦଳ ଆକ୍ରାନ୍ତ । ସୁସ୍ଥ ସମାଜ ସେମାନଙ୍କୁ ସୁହାଏ ନାହିଁ । କିଛି ନା କିଛି ଦ୍ୱନ୍ଦ୍ୱ ନିହାତି ଆବଶ୍ୟକ । ଏବଂ ସେହି ନିଆଁରେ ରାଜନୈତିକ ରୁଟି ସେକିବା ନେତାମାନେ ଭଲ ଭାବରେ ଜାଣନ୍ତି ।
ଚାଲନ୍ତୁ ଆମ ଦେଶରେ କେତେଗୁଡିଏ ବିଭ୍ରାଟ ସୃଷ୍ଟିକାରୀ ପ୍ରସଙ୍ଗ ବିଷୟରେ ଆଲୋଚନା କରିବା । ଧରନ୍ତୁ ତାମିଲନାଡୁ ପ୍ରଦେଶର ଉଦାହରଣ ନିଆଯାଉ । ସେ ପ୍ରଦେଶର ରାଜନୀତି ଜାତିବାଦ ଓ ଭାଷାବାଦ ଉପରେ ଆଧାରିତ । ହିନ୍ଦୀ ହେଉଛି ଭାରତର ରାଷ୍ଟ୍ରଭାଷା କିନ୍ତୁ ସେଠାରେ ହିନ୍ଦୀ ଭାଷାକୁ ନେଇ ସବୁ ସମୟରେ ବିବାଦ । ସେଠି ହିନ୍ଦୀ ଭାଷା ଲୋକମାନେ ନାହିଁ ନଥିବା ହଇରାଣ ହୁଅନ୍ତି, କେବେ କେବେ ସେଠିକାର ରାଜନେତା ମାନେ ବିଚ୍ଛିନ୍ନବାଦୀ ବକ୍ତବ୍ୟ ଦିଅନ୍ତି । ଏହି ଭାଷା ଭିତ୍ତିକ ବିଦ୍ୱେଷ ମହାରାଷ୍ଟ୍ରରେ ମଧ୍ୟ ଦେଖାଦେଇଛି । ମରାଠୀ କହିବାକୁ ବାଧ୍ୟ କରାଯାଉଛି । ଏବଂ ଅନ୍ୟ ଭାଷାଭାଷୀ ଲୋକଙ୍କୁ ଆକ୍ରମଣ କରାଯାଉଛି । ଅବସୋସର କଥା ଏହିକି ଯେ ଆକ୍ରମଣକାରୀ ନେତା ଓ କର୍ମୀମାନେ ଆଇନର ଊଦ୍ଧ୍ୱର୍ରେ ଏବଂ ରାଜନୈତିକ କାରଣ ହେତୁ ସେମାନଙ୍କ ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ହେଉନାହିଁ । ଏ ପରିସ୍ଥିତିରେ ସାମାଜିକ ଶାନ୍ତି କେଉଁଠୁ ଆସିବ ? ସବୁବେଳେ ଅଶାନ୍ତି ହିଁ ଅଶାନ୍ତି । ଆଉ ଗୋଟିଏ ଗୁରୁତ୍ୱର୍ଣ୍ଣ ପ୍ରସଙ୍ଗ ହେଉଛି ଜାତିଭିତ୍ତିକ ବିବାଦ ଓ ବିଭାଜନ । ଆମ ସମାଜରେ ଏବେ ବି ଜାତିପ୍ରଥା ଖୁବ୍ ଦୃଢ଼ ଭାବରେ ରହିଅଛି । ଏବଂ ଏହା ରାଜନେତା ମାନଙ୍କର ସବୁ ଠାରୁ ବଡ ଅସ୍ତ୍ର । ନିର୍ବାଚନ ସମୟ ଆସିଲେ ଏହି ଜାତିବାଦ ଭିତ୍ତିକ ବାକ ବିତଣ୍ଡା ଖୁବ୍ ଚାଲେ । ଉଚ୍ଚ ଜାତି, ଦଳିତ, ଅନୁସୂଚିତ ଜାତି ଅନ୍ୟାନ୍ୟ ପଛୁଆ ବର୍ଗ, ରାଜପୁତ, ଜାଠ, ଠାକୁର, ଯାଦବ, କୁର୍ମି, ଆହିର ଇତ୍ୟାଦି ଇତ୍ୟାଦି ଜାତି ଓ ସମୁଦାୟକୁ ନେଇ ରାଜନୈତିକ ଦଳ ଓ ନେତାମାନେ ସେମାନଙ୍କ ନେତା ଚୟନ ଓ ପ୍ରଚାର ରଣନୀତି ସ୍ଥିର କରନ୍ତି । ଚଳିତ ବିହାର ବିଧାନ ସଭା ନିର୍ବାଚନ ଦୃଷ୍ୟପଟ୍ଟକୁ ଦେଖିଲେ ଜଣାଯାଉଛି ଯେମିତି ସେଠି ଜାତି ଓ ସମ୍ପ୍ରଦାୟକୁ ନେଇ ହିଁ ନିର୍ବାଚନ ବୈତରଣୀ ପାରି ହେବା ପାଇଁ ସମସ୍ତେ ଚେଷ୍ଟିତ। ଏହି ପରିପ୍ରେକ୍ଷୀରେ ଏୟା ହିଁ କୁହାଯାଇପାରିବ ଯେ ରାଜନୈତିକ ସ୍ୱାର୍ଥ ହାସଲ କରିବା ପାଇଁ ସମାଜରେ ବିଭାଜନ, ବିବାଦ, ବିଶୃଙ୍ଖଳା, ଦଙ୍ଗା ସୃଷ୍ଟି ପଛରେ ରାଜନୀତି ଓ ରାଜନେତା ଦାୟୀ । ଆଉ ଗୋଟିଏ ଗୁରୁତ୍ୱପୂର୍ଣ୍ଣ ଦିଗକୁ ଆଲୋଚନା କରିବାର ଆବଶ୍ୟକତା ଅଛି ।
ଆମ ଦେଶରେ କୌଣସି ଅପରାଧ ଯେମିତିକି ହତ୍ୟା, ଧର୍ଷଣ, ଅପହରଣ ଇତ୍ୟାଦିକୁ ସାମ୍ପ୍ରଦାୟିକ ଏବଂ ଜାତିଗତ ରଙ୍ଗ ଦିଆଯାଇ, ଘଟଣାର ପ୍ରଚାର ଓ ପ୍ରସାର କରାଯାଏ । ଯଦି କୌଣସି ଜାଗାରେ ସାଧାରଣ ବର୍ଗର କୌଣସି ଝିଅ ବା ମହିଳାକୁ ପାଶବିକ ଅତ୍ୟାଚାର କରାଯାଏ ଏବଂ ହତ୍ୟା କରାଯାଏ, ତାହାକୁ ସାଧାରଣ ଘଟଣା ଭାବେ ଗ୍ରହଣ କରାଯାଏ। ଏବଂ ତଦନୁସାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଏ । କିନ୍ତୁ ଯଦି ପୀଡ଼ିତା ଅନୁସୂଚିତ ଜାତି, ଆଦିବାସୀ, ଦଳିତ କିମ୍ବା ଅଳ୍ପସଂଖ୍ୟକ ସମ୍ପ୍ରଦାୟର ହୋଇଥାନ୍ତି ତେବେ ଏପରି ଘଟଣାର ରୂପରେଖ ଅଲଗା ହୁଏ । ପୀଡିତାର ଜାତି ଓ ସମ୍ପ୍ରଦାୟ ନେଇ ରାଜନେତାମାନେ ତାଙ୍କୁ ସୁହାଉଥିବା କାର୍ଯ୍ୟକ୍ରମ ସ୍ଥିର କରନ୍ତି । ପୋଡ଼ାଜଳା, ରାସ୍ତା ବନ୍ଦ, ସହର ବନ୍ଦ,ବଜାର ବନ୍ଦ ଇତ୍ୟାଦି କାର୍ଯ୍ୟକ୍ରମ ବିରୋଧୀ ଦଳ ତରଫରୁ ଆରମ୍ଭ ହୁଏ । ଗଣମାଧ୍ୟମ ଗୁଡ଼ିକ ମଧ୍ୟ ସେଭଳି ପ୍ରଚାର ପ୍ରସାରରେ ଲାଗି ପଡ଼ନ୍ତି । ଏ କ୍ଷେତ୍ରରେ ଯଦି ଅପରାଧୀ ଭିନ୍ନ ସମ୍ପ୍ରଦାୟର ହୋଇଥାଏ ତେବେ କଥା ସରିଲା । ଘଟନାକୁ ତୁରନ୍ତ ସାମ୍ପ୍ରଦାୟିକ ରଙ୍ଗ ଦିଆଯାଏ ଏବଂ ବିଭିନ୍ନ ପ୍ରକାର ପ୍ରତିରୋଧ କାର୍ଯ୍ୟକ୍ରମ ଆରମ୍ଭ ହୋଇଥାଏ ।ତେବେ ଆମେ ବୁଝିପାରୁନୁଯେ ପୀଡିତା ସାଧାରଣ ବର୍ଗର ହେଉ କିମ୍ବା ଅନ୍ୟ କୌଣସି ବର୍ଗର ହେଉ, ସେ ଜଣେ ମହିଳା ଏବଂ ନିର୍ଯାତନାର ଶିକାର ହୋଇଛି । କୌଣସି ନିର୍ଦ୍ଧିଷ୍ଟ ବର୍ଗରେ ହେଲେ ତାର କଷ୍ଟ ଯନ୍ତ୍ରଣା କମ୍ କି ବେଶୀ ହେବନି । ତାଙ୍କ ଦୁଃଖରେ ସମଦୁଃଖ ନହୋଇ ଘଟଣାକୁ ନେଇ ରାଜନୀତି କରି ସମାଜରେ ଅଶାନ୍ତି ଓ ବିଶୃଙ୍ଖଳା ସୃଷ୍ଟି କରିବା କେତେଦୂର ସମୀଚୀନ ତାହା ପାଠକେ ବିଚାର କରନ୍ତୁ ।
ଏଠି ଗୁରୁତ୍ୱପୂର୍ଣ ପ୍ରସଙ୍ଗ ହେଉଛି ସାମ୍ପ୍ରତିକ ପରିସ୍ଥିତି ଆମେ ସମ୍ପୂର୍ଣ୍ଣ ଶାନ୍ତିପୂର୍ଣ ବାତାବରଣ ଆଶା କରିପାରିବାକି ? ରାଜନୈତିକ ଦଳ ଏବଂ ନେତାମାନଙ୍କ ଅଶାନ୍ତି ସୃଷ୍ଟିକାରୀ ଏବଂ ବିଘଟନକାରୀ ଚିନ୍ତାଧାରା ଓ ହିଂସାତ୍ମକ କାର୍ଯ୍ୟକ୍ରମ ବନ୍ଦ କରାଯାଇପାରିବାକି ? ଦେଶରେ ଓ ସମାଜରେ ସମସ୍ତଙ୍କ ପାଇଁ ସମାନ ନ୍ୟାୟ ଏବଂ ଆଇନର ଶାସନ ପ୍ରତିଷ୍ଠା ହୋଇପାରିବ କି ? ଗଣମାଧ୍ୟମ ମାନେ ନିରପେକ୍ଷ ଭାବରେ ପ୍ରସଙ୍ଗ ଗୁଡିକୁ ଜନସମୁଖରେ ଉପସ୍ଥାପନ କରିବା ପାଇଁ ସକ୍ଷମ କି ? ଆମ ବିଚାରରେ ଏସବୁ ବୁଢିଆଣୀ ଜାଲ । ସେଥିରୁ ଗୋଟେ ଖିଅ ବାହାର କରାଯାଇପାରିବନି । କାରଣ ଆମ ଦେଶର ରାଜନୈତିକ ଦୃଶ୍ୟପଟକୁ ଗୋଟିଏ ଅପେରା ପାର୍ଟି ସଂଗେ ତୁଳନା କରାଯାଇପାରେ । ଯାତ୍ରା ଦଳରେ ବିଭିନ୍ନ ଭୂମିକା ଯଥା ନାୟକ, ନାୟିକା, ଖଳନାୟକ, ପାର୍ଶ୍ୱ ଚରିତ୍ର, ହାସ୍ୟକାର ଇତ୍ୟାଦିରେ ବିଭିନ୍ନ କଳାକାର ଅବତ୍ତୀର୍ଣ୍ଣ ହୋଇ ସେ ଚରିତ୍ରଟି ଦର୍ଶକମାନଙ୍କ ସମ୍ମୁଖରେ ପରିବେଷଣ କରନ୍ତି । ସେମାନେ ନାଟ୍ୟକାଙ୍କ ଲିଖିତ ପଂକ୍ତି ଏବଂ ନିର୍ଦ୍ଦେଶକଙ୍କ ଦ୍ୱାରା ଶିଖା ଯାଇଥିବା ଅଭିନୟ ଉପସ୍ଥାପନା କରିଥାନ୍ତି । ଯାତ୍ରା ସରିଲେ ଚରିତ୍ର ସରିଲା । ଆଉ ଗୋଟେ ଯାତ୍ରାର ଅଲଗା ଚରିତ୍ର, ଅଲଗା ସଂଳାପ ଓ ଅଲଗା ଅଭିନୟ । ଟିକିଏ ଗଭୀର ଭାବରେ ଚିନ୍ତା କରନ୍ତୁ ତ, ଆପଣଙ୍କୁ ପ୍ରତ୍ୟେକ ରାଜନୈତିକ ଦଳ ଏକ ଯାତ୍ରା ପାର୍ଟି ଭଳି ଲାଗିବ । ରାଜନେତା ଓ କର୍ମୀ ମାନେ ଅଭିନେତା । କୌଣସି ରାଜନୈତିକ ଦଳ ସାମାଜିକ ବାଛବିଚାର ଊଦ୍ଧ୍ୱର୍ରେ ନୁହନ୍ତି । ଯଦିଓ ସେମାନଙ୍କ ଭାଷଣ ସମାଜ ସୁଧାରିବା ଦିଗରେ ପ୍ରେରିତ କିନ୍ତୁ ଅସଲରେ ସବୁ ରାଜନୈତିକ ଦଳ ଭିତରେ ଜାତିବାଦ, ସାମ୍ପ୍ରଦାୟିକ ଚିନ୍ତାଧାରା, ଶୋଷଣ, ଦୁର୍ନୀତି, ଅନୀତି ଭରି ରହିଛି । ସମସ୍ତଙ୍କର ଦୋହରା ମାପଦଣ୍ଡ । ଯୋଉଠି ଶାସକ ଦଳ ସେଠି ଗୋଟେ ଭାଷା, ଯେଉଁଠି ବିପକ୍ଷ ଦଳ ସେଠି ଏକା ପ୍ରସଙ୍ଗରେ ଠିକ ବିପରୀତ ଭାଷା । ସମସ୍ତେ ସୁବିଧା ପାଇଲେ ସରଳ ଜନତାଙ୍କର ଅଶିକ୍ଷା ଓ ଦରିଦ୍ରତାର ଫାଇଦା ଉଠାନ୍ତି । ରାଜନୈତିକ ସୁବିଧା ପାଇଁ ସମାଜରେ ଅଶାନ୍ତି ସୃଷ୍ଟି କରନ୍ତି । ସମସ୍ତେ ଏକ ଲାଉର ମଞ୍ଜି ଭଳି । ରାଜନୈତିକେ ସ୍ୱାର୍ଥ ସର୍ବାଗ୍ରେ ଏବଂ ସାମାଜିକ ସ୍ୱାର୍ଥ ଓ ଜନକଲ୍ୟାଣ ପଛରେ ।
ତେବେ ଏହି ପରିସ୍ଥିତିରେ ଆମେ ସାଧାରଣ ଜନତା " କିଂ କର୍ତ୍ତବ୍ୟ ବିମୁଢ’ ନହୋଇ ଆଶାବାଦୀ ହେବାର ଯଥେଷ୍ଟ କାରଣ ଅଛି । ରାଜନୈତିକ ଦଳ ଓ ରାଜନେତାମାନେ ଆମ ଗଣତାନ୍ତ୍ରିକ ପ୍ରକ୍ରିୟାର ଅଭିନ୍ନ ଅଙ୍ଗ । ତାଙ୍କୁ ସମ୍ପୂର୍ଣ୍ଣ ଭାବେ ଦୃଶ୍ୟପଟରୁ ବିଲୁପ୍ତ କରିବା ଚିନ୍ତାଧାରା ଅବାସ୍ତବ ଓ ଅକଳ୍ପନୀୟ । ଆମେ ସମସ୍ତେ ବିଶେଷକରି ଯୁବବର୍ଗ ହୃଦବୋଧ କରିବା ଉଚିତ ଯେ ଜନତା ହିଁ ରାଜନେତା ଓ ଦଳର ଶକ୍ତି । ଆମ ବଳରେ ସେମାନେ ବଳୀୟାନ । ଆମକୁ ଅଧିକ କ୍ରିୟାଶୀଳ ହେବାର ଅଛି । ସେମାନଙ୍କ ଚାଲ ଓ ବିଭିନ୍ନ ଜନବିରୋଧୀ କାର୍ଯ୍ୟକଳାପକୁ ଦୃଢ଼ଭାବରେ ପ୍ରତିବାଦ କରିବାର ଅଛି । ଦରକାର ପଡିଲେ ଗଣତାନ୍ତ୍ରିକ ଓ ସାମ୍ବିଧାନିକ ମାର୍ଗରେ ବିଦ୍ରୋହ କରିବାର ଅଛି । ସେମାନଙ୍କୁ ସ୍ୱେଛାଚାରୀ ଓ ଲଗାମଛଡ଼ା ଆଚରଣରୁ ନିବୃତ୍ତ କରିବାକୁ ହେବ । କିନ୍ତୁ ଦୁଃଖର ବିଷୟ ଆମେ ସାଧାରଣ ଜନତା ରାଜନେତା ଓ ରାଜନୀତି ଆଗରେ ଆତ୍ମସମର୍ପଣ କରିଦେଉଛେ । " ଆପେ ବଞ୍ଚିଲେ ବାପର ନାଁ" ନୀତିରେ ଉଦାସୀନ ଭାବ ପ୍ରଦର୍ଶନ କରୁଛେ । ଏବେ ସମୟ ଆସିଛି ଆମେ ମହାନ ବିପ୍ଲବୀ କବି ଗୋଦାବରୀଶ ମହାପାତ୍ରଙ୍କ କାଳଜୟୀ କବିତା " ଉଠ କଙ୍କାଳ, ଜାଗ ଦୁର୍ବଳ’ କୁ ମନେ ପକାଇ ସାମାଜିକ ଶାନ୍ତି ଓ ସୌହାର୍ଦ୍ଦ୍ୟ ପାଇଁ ଏକଜୁଟ ହୋଇ ଆମର ମହାନ ଭାରତୀୟ ଦର୍ଶନ "ବସୁଧୈବ କୁଟୁମ୍ବକମ’ର ଆଭିମୁଖ୍ୟ ପ୍ରତିପାଦିତ କରି ସମାଜରେ ଶାନ୍ତିର ବାର୍ତ୍ତା ପ୍ରଚାର କରିବା ।
ମୋ:୯୯୩୭୦୮୦୭୧୦
Samir Kumar Rout