ଟ୍ରାନ୍ସଫର୍ମର ସ୍ଥାପନ ପାଇଁ ଦାବିପତ୍ର
ନୂଆପଡା : ନୂଆପଡ଼ା ଜିଲ୍ଲା କୋମନା ବ୍ଲକ ଗଣ୍ଡାମେର ଗ୍ରାମପଞ୍ଚାୟତ ଅନ୍ତର୍ଗତ ସ୍ଥାନୀୟ ଗ୍ରାମର ଜନସାଧାରଣ ଭୋଲଟେଜ ଅସ୍ଥିରତା ଓ ବାରମ୍ବାର ସ୍ପାର୍କିଙ୍ଗ ସମସ୍ୟା ଦେଖା ଦେଉଥିବା ଯୋଗୁଁ ନୂଆ ଟ୍ରାନ୍ସଫର୍ମର ସ୍ଥାପନ କରିବା ନେଇ କୁରୁମପୁରୀ ବିଦୁ୍ୟତ୍ ଆବଣ୍ଟନ ବିଭାଗ ଯନ୍ତ୍ରୀଙ୍କୁ ଏକ ଲିଖିତ ଅଭିଯୋଗ କରିଛନ୍ତି । ଭୋଲଟେଜ ବାରମ୍ବାର ଅସ୍ଥିରତା ଓ ନିୟମିତ ସ୍ପାର୍କିଙ୍ଗ ହେବା ଫଳରେ ଅନେକ ଘରର ବିଦୁ୍ୟତ୍ ଉପକରଣ ନଷ୍ଟ ହୋଇଯାଉଛି । ସର୍ଟ ସ୍ପାର୍କିଙ୍ଗ ଯୋଗୁଁ ଅଗ୍ନିକାଣ୍ଡ ଘଟିବାର ସମ୍ଭାବନା ବହୁତ ରହୁଛି । ଗ୍ରାମବାସୀମାନେ ବହୁତ ଅସୁବିଧା ଭୋଗ କରୁଛନ୍ତି । ଏହା ସହିତ ଛାତ୍ରଛାତ୍ରୀମାନେ ପାଠପଢି ପାରୁ ନାହାନ୍ତି । ଏପରିକି ଛୋଟ ଛୋଟ ବ୍ୟବସାୟୀ ଓ ଘରେ ବିଦୁ୍ୟତ୍ ଉପରେ ନିର୍ଭର କରୁଥିବା କାମ ଗୁଡିକ ବନ୍ଦ ହୋଇଯାଉଛି । ରାତ୍ରି ସମୟରେ ବିଦୁ୍ୟତ୍ କାଟ ଯୋଗୁଁ ବିପିଏଲ ଓ ଅନ୍ୟ ସାଧରଣ ଉପଭୋକ୍ତା ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏଥି ସକାଶେ ଗ୍ରାମର ଉମାକାନ୍ତ ଶବର, ଗୌର ଚନ୍ଦ୍ର, ଗୋକୁଳ ଶବର, ବିଶ୍ୱମ୍ବର ଶବର, ଶତ୍ରୁଘନ ଶବର, ଭିକାରୀ ଶବର, ନୀଳମଣି ଶବର, ମୁଖ ସୁନା ପ୍ରମୁଖ ଗ୍ରାମବାସୀ ନୂତନ ଟ୍ରାନ୍ସଫର୍ମର ସ୍ଥାପନ ପାଇଁ ଲିଖିତ ଭାବରେ ବିଭାଗୀୟ ଅଧିକାରୀଙ୍କୁ ଅଭିଯୋଗ କରିଛନ୍ତି ।