୬ ପିଲାଙ୍କ ସଲୀଳ ସମାଧି ଦଶପଲ୍ଲାରେ ୩, ନିଶ୍ଚିନ୍ତକୋଇଲିରେ ୨ ଓ କଟକରେ ଜଣେ 


 ଦଶପଲ୍ଲା/ନିଶ୍ଚିନ୍ତକୋଇଲି/କଟକ:  ରାଜ୍ୟର ବିଭିନ୍ନ ସ୍ଥାନରେ ବଡ଼ ଅଘଟଣ ଘଟିଛି  । ୬ ପିଲାଙ୍କ ଜୀବନ ଅକାଳରେ ଚାଲିଯାଇଛି । ପୋଖରୀରେ ଓ ନଦୀରେ ଗାଧୋଉଥିବାବେଳେ ବୁଡ଼ିଯିବାରୁ ସେମାନଙ୍କର ମୃତୁ୍ୟ ହୋଇଛି । 
ଆମ ଦଶପଲ୍ଲା ପ୍ରତିନିଧିଙ୍କ ସୂଚନା ଅନୁଯାୟୀ, ରବିବାର ଦିନ ପ୍ରାୟ ମଧ୍ୟାହ୍ନ ସମୟରେ ଦଶପଲ୍ଲା ଥାନା ଅନ୍ତର୍ଗତ ଗୋଡ଼ିବିଡା ଗ୍ରାମରେ ଘଟି ଯାଇଛି ଏକ ହୃଦୟ ବିଦାରକ ଘଟଣା  । ବାହାଘର ଖୁସି ମନାଇବାକୁ ଆସି ପୋଖରୀକୁ ଗାଧୋଇବାକୁ ଯାଇଥିବାବେଳେ ୩ ନାବାଳକଙ୍କ ସଲୀଳ ସମାଧି ହୋଇଯାଇଛ  । ଏହି ନାବାଳକମାନେ ହେଲେ ଓଡ଼ଗାଁ ଥାନା ଅନ୍ତର୍ଗତ ପୋଡ଼ସାହି ଗ୍ରାମର କାଳୁ ଖିଲାରଙ୍କ ପୁଅ ଶୁଭ ଖିଲାର (୧୨), ନୂଆଗାଁ ଥାନା ଅନ୍ତର୍ଗତ ଖଲମଡା ଗ୍ରାମର ପ୍ରଦୀପ ପ୍ରଧାନଙ୍କ ପୁଅ ରିତେଶ ପ୍ରଧାନ ( ୧୧) ଓ ଦଶପଲ୍ଲା ଥାନା ଅନ୍ତର୍ଗତ ଗୋଡ଼ିବିଡା ଗ୍ରାମର ବିଜୟ ନାୟକଙ୍କ ପୁଅ ଉମାକାନ୍ତ ନାୟକ (୧୦)  । ଏମାନେ ସମସ୍ତେ ଗୋଡ଼ିବିଡା ଗାଁ ନିକଟରେ ଥିବା ଏକ ପୋଖରୀକୁ ସାଇକେଲ ଧରି  ଗାଧୋଇବା ପାଇଁ ଯାଇଥିଲେ । ଗାଧୋଇବା ବେଳେ ସେମାନେ ପୋଖରୀରେ ବୁଡି ଯାଇଥିଲେ  । ଘରକୁ ଫେରିବାରେ ବିଳମ୍ବ ହେବାରୁ ପରିବାର ଲୋକେ ଖୋଜାଖୋଜି କରିଥିଲେ  । ତେବେ ପୋଖରୀ ହୁଡାରେ ସାଇକେଲ ଥିବା ଦେଖି ପୋଖରୀରେ ବୁଡି ଯାଇଥିବା ଅନୁମାନ କରିଥିଲେ  । ଏନେଇ ଅଗ୍ନିଶମ ବାହିନୀଙ୍କୁ ଖବର ଦେବା ପରେ ସେମାନେ ଘଟଣା ସ୍ଥଳରେ ପହଞ୍ଚି ୩  ନାବାଳକଙ୍କୁ ଉଦ୍ଧାର କରି ଦଶପଲ୍ଲା ଡାକ୍ତରଖାନାରେ ଭର୍ତ୍ତି କରିଥିଲେ  । ଡାକ୍ତର ସେଠାରେ ୩ ଜଣ ଯାକଙ୍କୁ ମୃତ ଘୋଷଣା କରିଥିଲେ  । 
ସେହିପରି ଆମ ନିଶ୍ଚିନ୍ତକୋଇଲି ରିପୋର୍ଟରଙ୍କ ତଥ୍ୟ ଅନୁଯାୟୀ, କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବ୍ଲକ ଅନ୍ତର୍ଗତ ରାମକୃଷ୍ଣପୁର ଗ୍ରାମର ଦଲ୍ଲିପ ସାହୁଙ୍କ ଦୁଇ ବର୍ଷର ଶିଶୁପୁତ୍ର କାମେଶ୍ୱର ସାହୁ ଏବଂ ମାହାଙ୍ଗା ବ୍ଲକ ଅନ୍ତର୍ଗତ ଓସ୍ତପୁର ବାସିନ୍ଦା ବଳରାମ ସାହୁଙ୍କୁ ୪ ବର୍ଷର ଶିଶୁକନ୍ୟା ଭାଗ୍ୟଲକ୍ଷ୍ମୀ ସାହୁ ପାଣିରେ ବୁଡି ମୃତୁ୍ୟବରଣ କରିଛନ୍ତି  । ଉଭୟ ଶିଶୁ ଖେଳିବାକୁ ଯାଇ ଏକ ପୋଖରୀରେ ପଡି ମୃତୁ୍ୟବରଣ କରିଥିବା ସୂଚନା ମିଳିଛି  । ବଳରାମଙ୍କ ଝିଅ ଭାଗ୍ୟଲକ୍ଷ୍ମୀ ରାମକୃଷ୍ଣପୁରସ୍ଥିତ ତାଙ୍କ ମଉସା ଘରକୁ  ଆସିଥିବା ବେଳେ ଏଭଳି ଅଘଟଣ ଘଟିଛି । ସ୍ଥାନୀୟ ବାସିନ୍ଦା ଓ ପରିବାର ଲୋକେ ଉଭୟ ଶିଶୁଙ୍କୁ ନିଶ୍ଚିନ୍ତକୋଇଲି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଆଣିଥିବା ବେଳେ ସେଠାରେ ସ୍ୱାସ୍ଥ୍ୟକେନ୍ଦ୍ର ପକ୍ଷରୁ ଉଭୟ ଶିଶୁଙ୍କୁ ମୃତ ଘୋଷଣା କରାଯାଇଥିଲା ।  
ଆମ କଟକ ପ୍ରତିନିଧିଙ୍କ ସୂଚନା ଅନୁଯାୟୀ, ଖାନନଗର ନିକଟସ୍ଥ କାଠଯୋଡ଼ିରେ ଗାଧୋଇବା ବେଳେ ଜଣେ ନାବାଳକ ପାଣିରେ ବୁଡ଼ିଯିବାରୁ ତାଙ୍କର ମୃତୁ୍ୟ ଘଟିଛି  । ମୃତ ନାବାଳକ ହେଲେ ସ୍ଥାନୀୟ ଖାନନଗର ଅଞ୍ଚଳ ବେତବିନ୍ଧାଣି ସାହିର ସୂର୍ଯ୍ୟକାନ୍ତ ମାଝି (୧୪)  । ରବିବାର ମଧ୍ୟାହ୍ନରେ ସ୍ଥାନୀୟ ଖାନନଗର ନିକଟ କାଠଯୋଡ଼ି ନଦୀକୁ ୬ ଜଣ ଯୁବକ ଗାଧୋଇବାକୁ ଆସିଥିଲେ । ତେବେ ଗାଧୋଇବା ବେଳେ ନାବାଳକ ସୂର୍ଯ୍ୟକାନ୍ତ ପାଣି ସୁଅରେ ଭାସି ଯାଇଥିଲେ  । ଏହା ଦେଖି ତାଙ୍କ ବନ୍ଧୁମାନେ ଜୋରରେ ପାଟି କରିଥିଲେ  ।  ଫଳରେ ସ୍ଥାନୀୟ ଲୋକେ ଘଟଣା ସ୍ଥଳକୁ ଆସି ସୂର୍ଯ୍ୟକାନ୍ତକୁ ଉଦ୍ଧାର କରିବାକୁ ଚେଷ୍ଟା କରି ବିଫଳ ହୋଇଥିଲେ  । ଏହା ପରେ ସ୍ଥାନୀୟ ଲୋକେ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ । ଅଗ୍ନିଶମ ବିଭାଗ କର୍ମଚାରୀମାନେ ଘଟଣା ସ୍ଥଳରେ ପହଞ୍ଚô ବହୁତ ଖୋଜା ଖୋଜି କରିବା ପରେ ଗୁରୁତର ଅବସ୍ଥାରେ ସୂର୍ଯ୍ୟକାନ୍ତକୁ ଉଦ୍ଧାର କରି କଟକ ବଡ଼ ଡାକ୍ତରଖାନାକୁ ପଠାଇଥିଲେ । ସେଠାରେ ଡାକ୍ତର ସୂର୍ଯ୍ୟକାନ୍ତକୁ ମୃତ ଘୋଷଣା କରିଥିଲେ ।