ପୁଲିସ୍ ଏସଆଇ ସ୍କାମ୍ : ୧୧୯ ଜଣଙ୍କ ଜାମିନ୍ ଖାରଜ
ଭୁବନେଶ୍ୱର : ପୁଲିସ୍ ଏସଆଇ ସ୍କାମରେ ଗିରଫ ହୋଇଥିବା ୧୧୪ ପରୀକ୍ଷାର୍ଥି ଓ ୫ ଦଲାଲଙ୍କ ଜାମିନ୍ ଆବେଦନ ଖାରଜ ହୋଇଯାଇଛି । ବ୍ରହ୍ମପୁର ଜେଏମଏଫସି କୋର୍ଟ ସମସ୍ତଙ୍କ ଜାମିନ୍ ଆବେଦନ ଖାରଜ କରିଦେଇଛନ୍ତି । ଅପରପକ୍ଷରେ ଏଯାଏଁ ପୁଲିସ୍ ଏସଆଇ ସ୍କାମର ମାଷ୍ଟରମାଇଣ୍ଡକୁ କ୍ରାଇମବ୍ରାଞ୍ଚ ଧରି ପାରିନଥିବାବେଳେ ଏଥିରେ କେତେକ ବଡ଼ବାବୁମାନଙ୍କର ସଂପୃକ୍ତ ଥିବା ଅନୁମାନ କରାଯାଉଛି । କିନ୍ତୁ ସେଦିଗରେ ତଦନ୍ତ ଆଗାଉନଥିବା ମନେହେଉଛି ।
ସାରା ଓଡ଼ିଶାରେ ପୁଲିସ୍ ଏସଆଇ ଦୁର୍ନୀତି ଆଲୋଡ଼ନ ସୃଷ୍ଟି କରିଥିବାବେଳେ ଏଥିରେ ଅନେକ କନଷ୍ଟେବଳ, ଇଞ୍ଜିନିୟର ଗ୍ରାଜୁଏଟ, କମ୍ପାନୀ କର୍ମଚାରୀ ଓ ମହିଳା ମଧ୍ୟ ଅଛନ୍ତି । ଲାଞ୍ଚ ଦେବା ପିଲାମାନେ ଏବେ ଗିରଫ ହୋଇଥିବାବେଳେ କୋଟି କୋଟି ଟଙ୍କା ଲୁଟ୍ କରିଥିବା ମାଷ୍ଟରମାଇଣ୍ଡମାନଙ୍କର କିନ୍ତୁ ଟେର ମିଳୁନି । ଏମିତିକି ବରିଷ୍ଠ ପୁଲିସ୍ ଅଧିକାରୀଙ୍କ ପିଲା ମଧ୍ୟ ଧରା ହୋଇ ଜେଲ୍ରେ ଅଛନ୍ତି । ଏହା ପଛରେ ଏକ ବଡ଼ ଧରଣର ସିଣ୍ଡିକେଟ୍ କାମ କରୁଥିବା ଅନୁମାନ କରାଯାଉଛି । ଶଙ୍କର ପୃଷ୍ଟି ଓ ମୁନା ମହାନ୍ତି ପଛରେ ଅନେକ ବଡ଼ପଣ୍ଡା ପ୍ରଚ୍ଛଦପଟରେ ରହି ନିଯୁକ୍ତି କେଳେଙ୍କାରୀ କରୁଥିଲେ ବୋଲି ଚର୍ଚ୍ଚା ହେଉଛି । କିନ୍ତୁ ସେନେଇ କ୍ରାଇମବ୍ରାଞ୍ଚର ଅଗ୍ରଗତି କେତେବାଟ ଯାଇଛି ତାହା ଏଯାବତ୍ ସ୍ପଷ୍ଟ ହୋଇପାରିନାହିଁ । ତେବେ ଏନେଇ କିଛି ଅଧିକାରୀଙ୍କ ତାଲିକା ପ୍ରସ୍ତୁତ କରାଯାଇଥିବା କୁହାଯାଉଛି । ରାଜ୍ୟର ପ୍ରାୟ ୨୦ ଜିଲ୍ଲାରେ ୫୦ରୁ ଉଦ୍ଧ୍ୱର୍ ଦଲାଲ ଏଥିରେ ସଂପୃକ୍ତ ଥିଲେ । ଏମିତିକି ଆହୁରି ଦୁଇ ଶହରୁ ଉଦ୍ଧ୍ୱର୍ ଆଶାୟୀ ଟଙ୍କା ଦେଇ ଟ୍ରେନିଂ ନେବାକୁ ଯାଇଥିଲେ ବୋଲି କେତେକ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି । ଏହାକୁ ନେଇ ରାଜନୀତି ଜୋର ଧରିଥିବାବେଳେ ରାଜ୍ୟ ପୁଲିସ୍ କିଭଳି ନିଜ ବଡ଼ ବାବୁଙ୍କର ତଦନ୍ତ କରିବ ବୋଲି ପ୍ରଶ୍ନ ଉଠୁଛି । ଏଭଳି କ୍ଷେତ୍ରରେ ବିରୋଧୀ ସିବିଆଇ ତଦନ୍ତ ପାଇଁ ଦାବି କରୁଥିବାବେଳେ ଆଗକୁ ସରକାର କି ପଦକ୍ଷେପ ନେବେ ତାହା ଦେଖିବାକୁ ବାକି ରହିଲା ।