ଠିକାଦାର ଓ ବିଭାଗୀୟ ଅଧିକାରୀଙ୍କ ମଧୁଚନ୍ଦ୍ରିକା : ବର୍ଷାରେ ଚାଲିଛି ରାସ୍ତା କାର୍ଯ୍ୟ
କୋଷାଗୁମୁଡା: ଝିପି ଝିପି ବର୍ଷାରେ ଚାଲିଛି ରାସ୍ତା ପିଚୁ କାର୍ଯ୍ୟ । ଠିକାଦାର ଓ ବିଭାଗୀୟ ଅଧିକାରୀଙ୍କ ମଧୁଚନ୍ଦ୍ରିକାରେ ହେଉଛି ନିମ୍ନମାନର କାମ । ଏ ନେଇ ଅଭିଯୋଗ କଲେ ମଧ୍ୟ ଫଳ ଶୂନ୍ୟ । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡା ବ୍ଲକ କୋଷାଗୁମୁଡା-ପାପଡାହାଣ୍ଡି ପୂର୍ତ୍ତ ବିଭାଗ ରାସ୍ତାରେ । କୋଷାଗୁମୁଡା-କୋଡିଙ୍ଗା-ପାପଡାହାଣ୍ଡି ୩୨.୬୦୦କିମି ପୂର୍ତ୍ତ ବିଭାଗର ମୁଖ୍ୟରାସ୍ତା । ଉକ୍ତ ରାସ୍ତା ଉପରେ ନବରଙ୍ଗପୁର କଳାହାଣ୍ଡି ଜିଲ୍ଲା ପାପଡାହାଣ୍ଡି, କୋଷାଗୁମୁଡା ବ୍ଲକ ସମେତ ପୋଡଶୀ ଛତିଶଗଡ ରାଜ୍ୟ ବସ୍ତର ଜିଲ୍ଲାର ପ୍ରାୟ ସମସ୍ତ ଲୋକ ସ୍କୁଲ, କଲେଜ, ସ୍ୱାସ୍ଥ୍ୟ, ସରକାରୀ ବେସରକାରୀ କାର୍ଯ୍ୟାଳୟ, ବ୍ୟାଙ୍କ, ହାଟ ବ୍ୟବସାୟ, ସମସ୍ତ ପ୍ରକାର ଦୈନନ୍ଦିନ ଜୀବନ ପାଇଁ ଉପଯୋଗ ସମସ୍ତ କାର୍ଯ୍ୟ ପାଇଁ ମୁଖ୍ୟତଃ ଏହି ରାସ୍ତା ଉପରେ ବର୍ଷ ତମାମ ନିର୍ଭର କରିଥାନ୍ତି । ଏପରିକି ରାସ୍ତାଟି ଭାରତ ମାଲାକୁ ସଂଯୋଗ କରୁଥିବା ହେତୁ ଅତି ଗୁରୁତ୍ୱପୂର୍ଣ୍ଣ ମୁଖ୍ୟ ରାସ୍ତାର ସଂପ୍ରସାରଣ ନବରଙ୍ଗପୁର ନିର୍ମାଣ ବିଭାଗ ଦ୍ୱାରା ୨୦୨୪-୨୫ ଆର୍ଥôକ ବର୍ଷରେ ପ୍ରାୟ ୨୮କୋଟି ଟଙ୍କା ବ୍ୟୟରେ ନବରଙ୍ଗପୁର ମା’ ଭଣ୍ଡାର ଘରଣୀ ଠିକା ସଂସ୍ଥା ଦ୍ୱାରା ନିର୍ମାଣ କାର୍ଯ୍ୟ ଆରମ୍ଭ କରଯାଇଥିଲା । ରାସ୍ତାର କୋଡିଙ୍ଗା ନିକଟରେ ପ୍ରାୟ ବର୍ଷକ ପୂର୍ବେ ଡ୍ରେନ ସହ ରାସ୍ତାରେ ଜିଏସପି ପକାଇ ପରେ ଡବ୍ଲୁଏମଏମ ପକାଇ ରାସ୍ତାକୁ ସମ୍ପ୍ରସାରିତ କରି ପିଚୁ ନ ପକାଇ ରଖାଯାଇଥିଲା । ସପ୍ତାହ ପୂର୍ବରୁ ବର୍ଷା ସାଙ୍ଗକୁ ମେଘୁଆ ପାଗରେ କୋଡିଙ୍ଗା ମହାବିଦ୍ୟାଳୟ, ଜାହାଜଭଟା ନିକଟରେ ପିଚୁ ପକାଇ ଥିବାବେଳେ ପିଚୁ ଓ ଗୁଡି ଗୁଡିକ ରାସ୍ତାରୁ ଉଠି ଯାଇଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି । ଏଥିସହ ବର୍ଷା ଓ ମେଘୁଆ ପାଗରେ ପିଚୁ ନ ପକାଇବା ପାଇଁ ବିଭାଗ ପକ୍ଷରୁ ସ୍ପଷ୍ଟ ନିଦେ୍ର୍ଦଶ ରହିଥିଲେ ମଧ୍ୟ ଏହାକୁ ଖିଲାପ କରି ଠିକା ସଂସ୍ଥା କୋଡିଙ୍ଗା ନିକଟରେ ଝିପି ଝିପି ବର୍ଷାରେ ମନମୁଖୀ ପିଚୁ ପକା କାମ କରୁଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି । ବିଭାଗୀୟ ଅଧିକାରୀଙ୍କ ବିନା ଉପସ୍ଥିତିରେ କିଭଳି ରାସ୍ତା କାମ ହେଉଛି ସେ ନେଇ ପ୍ରଶ୍ନ କରିଛନ୍ତି । ସୂଚନାଥାଉକି, ନିର୍ମାଣର ମାତ୍ର ଦୁଇ ମାସ ମଧ୍ୟରେ ମାଲେକୋଟ-ଭଣ୍ଡିଆ, କୋଡିଙ୍ଗା-ଡାଲଖାଇ, ଦାନିଗୁଡା, କୁଡିବଦରା ଛକ ନିକଟରେ ରାସ୍ତାରୁ ପିଚୁ ସବୁ ଉଠିଯାଇଥିବା ଲୋକେ ଅଭିଯୋଗ କରିବା ସହ ଏ ନେଇ ଗଣମାଧ୍ୟମରେ ଖବର ପ୍ରକାଶିତ ହୋଇଥିଲେ ମଧ୍ୟ ବିଭାଗ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଇନଥିଲା । ବିଭାଗୀୟ ଅଧିକାରୀଙ୍କ ଠିକାସଂସ୍ଥା ପ୍ରୀତି ଯୋଗୁଁ ଠିକସଂସ୍ଥା ମନମୁଖୀ କାର୍ଯ୍ୟକୁ ଖୁରାକ ଯୋଗଉ ଥିବା ସାଧାରଣରେ ଚର୍ଚ୍ଚା ହେଉଛି । ଏନେଇ ଆମେ ନିର୍ମାଣ ବିଭାଗ ଏସଇ କ୍ଷୀରଧର ଖଣ୍ଡପାଣିଙ୍କୁ ଫୋନ୍ ଯୋଗେ ଯୋଗାଯୋଗ କରିବାକୁ ଚେଷ୍ଟା କରିଥିଲେ ମଧ୍ୟ ସେ ଫୋନ ଉଠାଇ ନଥିଲେ । ତେଣୁ ଜିଲ୍ଲା ପ୍ରଶାସନ ଏଥିପ୍ରତି ସ୍ୱତନ୍ତ୍ର ଦୃଷ୍ଟି ଦେଇ ନିମ୍ନମାନର ରାସ୍ତା କାମର ଭିଜିଲାନ୍ସ ତଦନ୍ତ କରାଇ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବା ପାଇଁ ଅଞ୍ଚଳବାସୀ ଦାବି କରିଛନ୍ତି ।