ହତ୍ୟା ଘଟଣା: ଗୋଟିଏ ପରିବାରର ୬ ଜଣଙ୍କୁ ଆଜୀବନ

 ନବରଙ୍ଗପୁର: ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଗତ ୨୦୨୨ ଅଗଷ୍ଟ ୬ରେ ନବରଙ୍ଗପୁର ଜିଲ୍ଲା କୋଡ଼ିଙ୍ଗା ଥାନା ଅନ୍ତର୍ଗତ ବାରମାସି ଗ୍ରାମରେ ଜଘନ୍ୟ ହତ୍ୟାକାଣ୍ଡ ଘଟିଥିଲା  । ଯାହାର ଶୁଣାଣୀ କରି ନବରଙ୍ଗପୁର ଅତିରିକ୍ତ ଜିଲ୍ଲା ଦୌରା ଜଜ୍ ବିଷ୍ଣୁ ପ୍ରସାଦ ମିଶ୍ର ଜଣେ ନାବାଳକଙ୍କ ସମେତ ୬ ଜଣଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି  ।ସେମାନଙ୍କୁ ଆଜୀବନ କାରାଦଣ୍ଡାଦେଶ ସହ ୧୦ ହଜାର ଟଙ୍କା ଜରିମାନାରେ ଦଣ୍ଡିତ କରାଯାଇଛି  । ଗତ ୨୦୨୨ ଅଗଷ୍ଟ ୬ରେ ନବରଙ୍ଗପୁର ଜିଲ୍ଲା କୋଡ଼ିଙ୍ଗା ଥାନା ଅନ୍ତର୍ଗତ ବାରମାସି ଗ୍ରାମର ଡମ୍ବୁରୁ ପୂଜାରୀ ଓ ପଡ଼ଲାମ ପୂଜାରୀ ନିଜ ଜମିରେ କାମ କରୁଥିଲେ  । ଏହି ସମୟରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଅଭିଯୁକ୍ତ ଅନନ୍ତ ପୂଜାରୀ, ଶିବ ପୂଜାରୀ, ଚନ୍ଦନ ପୂଜାରୀ, ଡୁମର ପୂଜାରୀ, ଡାଲିମ୍ବ ପୂଜାରୀଙ୍କ ସମେତ ଜଣେ ନାବାଳକ ମିଳିତ ଭାବେ ଆକ୍ରମଣ କରିଥିଲେ  । ପଦଲାମ ପୂଜାରୀଙ୍କୁ ଟ୍ରାକ୍ଟରରେ ଚାପି ଦେବାରୁ ତାଙ୍କୁ ଦୁଇ ଗୋଡ଼ ଭାଙ୍ଗିଯିବା ସହ ସେ ଗୁରୁତର ହୋଇ ଯାଇଥିଲେ  । ତେବେ ୬ ଜଣଙ୍କ ଆକ୍ରମଣରେ ଡମ୍ବୁରୁ ପୂଜାରୀଙ୍କର ମୃତୁ୍ୟ ହୋଇଥିଲା  । ଏନେଇ ଭରତ ପୂଜାରୀ ଥାନାରେ ଏତଲା ଦେଇଥିଲେ  । ଏହି ଏତଲା ଆଧାରରେ କୋଡ଼ିଙ୍ଗା ପୁଲିସ୍ କେଶ୍ ନମ୍ବର ୧୧୪/୨୦୨୨ରେ ଏକ ମାମଲା ରୁଜୁ କରି ତଦନ୍ତ କରିଥିଲେ  । ନବରଙ୍ଗପୁର ଅତିରିକ୍ତ ଜିଲ୍ଲା ଦୌରା ଜଜ ବିଷ୍ଣୁ ପ୍ରସାଦ ମିଶ୍ରଙ୍କ କୋର୍ଟରେ ମାମଲାର ଶୁଣାଣୀ ଚାଲିଥିଲା  । ୨୭ ଜଣଙ୍କ ସାକ୍ଷ୍ୟ ପ୍ରମାଣକୁ ଭିତ୍ତି କରି କୋର୍ଟ ତାଙ୍କର ରାୟ ଶୁଣାଇଛନ୍ତି  ।