ବୁଗୁଡ଼ାରେ ଅପରେସନ୍ ‘ପ୍ରହାର': ବ୍ୟାପକ ପରିମାଣର ନିଶା ଦ୍ରବ୍ୟ ଜବତ
ବୁଗୁଡା : ଶିକ୍ଷାନୁଷ୍ଠାନଠାରୁ ୧୦୦ ମିଟର ଦୂରତା ପର୍ଯ୍ୟନ୍ତ ସିଗାରେଟ୍, ଗୁଟଖା, ପାନ ମସଲା ଭଳି ନିକୋଟିନ୍ ଯୁକ୍ତ ଦ୍ରବ୍ୟ ବିକ୍ରି କରିବା ଆଇନାନୁଯାୟୀ ନିଷିଦ୍ଧ କରାଯାଇଛି । ରାଜ୍ୟ ପୋଲିସ୍ ବିଭାଗ ପକ୍ଷରୁ ଅପରେସନ ‘ପ୍ରହାର' ଜରିଆରେ ଏହି ଆଇନର କଡାକଡି ପଦକ୍ଷେପ ଗ୍ରହଣ କରାଯାଉଛି > ଏହି ପରିପ୍ରେକ୍ଷୀରେ ଗତ ଗୁରୁବାର ଦିନ ବୁଗୁଡା ପୋଲିସ ପକ୍ଷରୁ ସହରର ବିଭିନ୍ନ ଶିକ୍ଷାନୁଷ୍ଠାନଠାରୁ ୧୦୦ ମିଟର ଦୂରତାରେ ଦୋକାନ ଖୋଲି ସିଗାରେଟ୍,ବିଡି, ଗୁଟଖା, ପାନମସଲା ବିକ୍ରି କରୁଥିବା ଦୋକାନ ଗୁଡିକ ଉପରେ ଅତର୍କିତ ଚଢ଼ାଉ କରାଯାଇଛି । ଉକ୍ତ ଦୋକାନ ଗୁଡିକରୁ ବିପୁଳ ପରିମାଣର ଗୁଟଖା, ସିଗାରେଟ୍, ବିଡି, ପାନ ମସଲା ସମେତ ନିକୋଟିନ୍ ଯୁକ୍ତ ସାମଗ୍ରୀ ଜବତ କରାଯିବା ସହ ୨ଟି ଦୋକାନୀଙ୍କ ବିରୁଦ୍ଧରେ ଆଇନ ଅନୁଯାୟୀ ମାମଲା ରୁଜୁ କରାଯାଇଛି । ବୁଗୁଡା ଥାନାଧିକାରୀ ସୀତାଂଶୁ ଶେଖର ମାନ୍ଧାତାଙ୍କ ନିଦେ୍ର୍ଦଶ କ୍ରମେ ଏସ୍ଆଇ ଅଜିତ କୁମାର ପରିଡା ଓ ବିନାୟକ ବିଧାର, ଏଏସ୍ଆଇ ବାପୁଜୀ ଖଣ୍ଡଗିରିଙ୍କ ସମେତ ଅନ୍ୟ କର୍ମଚାରୀମାନେ ଚଢାଉରେ ସାମିଲ ଥିଲେ । ୧୫ ଦିନ ବ୍ୟାପି ହେବାକୁ ଥିବା ଏହି ଚଢ଼ଉ କାର୍ଯ୍ୟ ଆସନ୍ତା ୧୭ ତାରିଖ ପର୍ଯ୍ୟନ୍ତ ଥାନା ଇଲାକାରେ ଥିବା ଶିକ୍ଷାନୁଷ୍ଠାନ ନିକଟରେ ଥିବା ଦୋକାନରେ କରାଯିବ ।