ଡବଲ ଇଞ୍ଜିନ୍ ସରକାରର ବଜେଟ ସର୍ବସ୍ପର୍ଶୀ: ମନ୍ତ୍ରୀ

 ଅନୁଗୁଳ : କେନ୍ଦ୍ର ଓ  ରାଜ୍ୟର ଡବଲ ଇଂଜିନ ସରକାର ରାଜ୍ୟବାସୀଙ୍କ ଆବଶ୍ୟକତାକୁ ଦୃଷ୍ଟି ଦେଇ ଏକ ସର୍ବ ସମାବେଶୀ ଓ ସର୍ବସ୍ପର୍ଶୀ ବଜେଟ ଉପସ୍ଥାପନ କରିଛନ୍ତି । ଏହି ବଜେଟରେ ଗରିବ, ଯୁବବର୍ଗ, କୃଷକ, ମହିଳାଙ୍କ ଉପରେ ସର୍ବାଧିକ ଗୁରୁତ୍ୱ ଦିଆଯାଇଛି । ଚଳିତ ବର୍ଷ  ଦୁଇ ଲକ୍ଷ  ନବେ ହଜାର କୋଟିର  ବଜେଟ  ଉପସ୍ଥାପିତ ହୋଇଛି । ୨୦୩୬ରେ ଓଡିଶା ଗଠନର ୧୦୦ ବର୍ଷ ପୂର୍ତ୍ତି ପାଳନ ହେବ । ଆଗାମୀ ୧୧ ବର୍ଷରେ ଓଡିଶାକୁ ବିକଶିତ ଓ ଆତ୍ମନିର୍ଭରଶୀଳ କରିବାକୁ ସ୍ୱତନ୍ତ୍ର ଦୃଷ୍ଟି ଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର ଓଡିଶା ପ୍ରତି ସ୍ୱତନ୍ତ୍ର ଦୃଷ୍ଟି ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ନେତୃତ୍ୱରେ ରାଜ୍ୟ ବଜେଟ୍ ପ୍ରସ୍ତୁତ କରାଯାଇଛି । ପଛୁଆ ଅଞ୍ଚଳ ଗୁଡିକର ସନ୍ତୁଳିତ ଓ ସମତୁଳ ବିକାଶ ପାଇଁ ବଜେଟ୍ରେ ବିଶେଷ ଧ୍ୟାନ ଦିଆଯାଇଛି ବୋଲି ରାଜ୍ୟ ଖାଉଟି କଲ୍ୟାଣ ଓ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ପ୍ରକାଶ କରିଛନ୍ତି ।
କେନ୍ଦ୍ର ଓ ରାଜ୍ୟ ବଜେଟ ସମ୍ପର୍କିତ ଏକ ସାମ୍ବାଦିକ ସମ୍ମିଳନୀ ରେ ବିଜେପି ଅନୁଗୁଳ ଜିଲ୍ଲା କାର୍ଯ୍ୟାଳୟରେ ଆଜି ରବିବାର ମନ୍ତ୍ରୀ ଶ୍ରୀ ପାତ୍ର ପ୍ରକାଶ କରିଛନ୍ତି । ଓଡିଶା ସମେତ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କର ବଳିଷ୍ଠ ନେତୃତ୍ୱରେ ଅନୁଗୁଳ ଜିଲ୍ଲାର ବିକାଶ ପାଇଁ ସବୁ କ୍ଷେତ୍ରରେ ସ୍ୱତନ୍ତ୍ର ଭାବେ ଦୃଷ୍ଟି ଦିଆଯାଇଛି । ଓଡିଶାର ଭତ୍ତିଭୂମିର ବିକାଶ ପାଇଁ ରେକର୍ଡ ୩୭ ହଜାର କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି । ବିକଶିତ ଭାରତ, ବିକଶିତ ଓଡିଶା ଓ ବିକଶିତ ଅନୁଗୁଳ ଗଠନ ପାଇଁ ବଜେଟରେ ବ୍ୟୟ ବରାଦ କରାଯାଇଛି ।
ଗରିବଙ୍କ ପାଇଁ ଗ୍ରାମାଞ୍ଚଳର ଅର୍ଥନୀତି ବିକାଶ ପାଇଁ ବ୍ୟବସ୍ଥା କରାଯାଇଛି । ବିଧାୟକଙ୍କ ଉନ୍ନୟନ ପାଣ୍ଠିକୁ ବାର୍ଷିକ ୫କୋଟି ଟଙ୍କାକୁ ବୃଦ୍ଧି କରାଯାଇଛି । ପାନୀୟ ଜଳ, ବିଦୁ୍ୟତ, ରାସ୍ତା ଆଦି ମୌଳିକ ସେବାକୁ ଗ୍ରାମାଞ୍ଚଳରେ ଗୁରୁତ୍ୱ ଦିଆଯିବା ସହ ସମ୍ପୂର୍ଣ ଗ୍ରାମୀଣ ବିକାଶକୁ ପ୍ରାଧାନ୍ୟ ଦିଆଯାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସବୁ ଗରିବଙ୍କୁ ପକ୍କା ଘର ଦେବାପାଇଁ ଯେଉଁ ସ୍ୱପ୍ନ ଦେଖିଛନ୍ତି ତାହା ଆଜି ଓଡିଶାରେ ସାକାର ହେବାକୁ ଯାଉଛି । ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ସାଢେ ଚାରି ହଜାର କୋଟି ଓ ମୁଖ୍ୟମନ୍ତ୍ରୀ ଅନ୍ତୋଦୟ ଗୃହ ଯୋଜନାରେ ୨୬୦୦ କୋଟି ବ୍ୟୟବରାଦ ଓଡିଶାର ଗରିବ ମନରେ ଖୁସି ସଂଚାର କରିଛି ବୋଲି ଶ୍ରୀ ପାତ୍ର କହିଛନ୍ତି । ରାଜ୍ୟରେ ୨୨ଲକ୍ଷ କୋଟିର ପୁଞ୍ଜି ନିବେଶ ପାଇଁ ଯୋଜନା ହୋଇଛି । ସୁଭଦ୍ରା ଯୋଜନା ଲାଗୁ କରାଯାଇ ପାଞ୍ଚ ବର୍ଷରେ ୫୦ହଜାର ଟଙ୍କା ଦେବାର ବ୍ୟବସ୍ଥା କରାଯାଇଛି । ନଗର ଉନ୍ନୟନ ପାଇଁ ୯୯୮୫ କୋଟି ,ଗ୍ରାମୀଣ ବିକାଶ ପାଇଁ  ୩୯୨୨୧ କୋଟି ବ୍ୟୟ ବରାଦ ହୋଇଛି । ସମାଜର ତଳ ପାହାଚରେ ଥିବା ଲୋକେ କିପରି ଲାଭାନ୍ୱିତ ହୋଇପାରିବେ, ସେଥିପାଇଁ ବଜେଟ୍ରେ ବ୍ୟବସ୍ଥା କରାଯାଇଛି । ଏଭଳି ଐତିହାସିକ ଓ ଦୁରଦୃଷ୍ଟି ସଂପନ୍ନ ବଜେଟ ବିକଶିତ ଅନୁଗୁଳ,ବିକଶିତ ଓଡିଶା ଗଠନ ପାଇଁ ପ୍ରୟାସ ।ଆଗାମୀ ୨୦୩୬ ପାଇଁ ଏହା ପ୍ରଥମ ସୋପାନ ବୋଲି ମନ୍ତ୍ରୀ ଶ୍ର ପାତ୍ର କହିଥିଲେ । କେନ୍ଦ୍ରରେ ବିଜେପି ସରକାର ଆସିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଭାରତର ବଜେଟ ୧୬ ଲକ୍ଷ କୋଟିରୁ ଆରମ୍ଭ ହୋଇଥିଲା । ଏବେ ୫୧ ଲକ୍ଷ କୋଟିରେ ପହଂଚିଛି ।
ସେହିପରି ଦେଶର ଉପକୂଳଗୁଡିକର ବିକାଶ ପାଇଁ ୨୫ ହଜାର କୋଟି ଟଙ୍କାର ଏକ କର୍ପସ ଫଣ୍ଡ  ଗଠନ କରାଯାଇଛି  । ମୋଦିଜୀଙ୍କ ଯୋଗୁ ଓଡିଶାରେ ଏବେ ୫ଟି ଏୟାରପୋର୍ଟ ଥିଲାବେଳେ ପୂର୍ବ ସରକାର ସମୟରେ ଏହି ସଂଖ୍ୟା ୧ ଥିଲା  । ଆଗକୁ ଓଡିଶା ଆହୁରି ୫ରୁ ୬ଟି ଏୟାରପୋର୍ଟ ଖୋଲିବାର ଯୋଜନା ରହିଛି  । ଆଗକୁ ଓଡିଶା କିଭଳି ଦେଶର ସବୁଠାରୁ ବଡ ଟସର ସିଲ୍କ ଉପାଦନକାରୀ ରାଜ୍ୟ ହୋଇପାରିବ ସେଥିପାଇଁ କେନ୍ଦ୍ର ସରକାର ଯୋଜନା କରିଛନ୍ତି  । ବିଶ୍ୱରେ ଭାରତ ସବୁଠାରୁ ବଡ ସିଲ୍କ ଉତ୍ପାଦନକାରୀ ରାଷ୍ଟ୍ର ହେବାକୁ ଥିଲାବେଳେ ଓଡିଶା ବିଭିନ୍ନ ଶିଳ୍କର କିପରି ହବ୍ ବନିବ ସେଥିପାଇଁ ଯୋଜନା କରାଯାଇଛି  । ରାଜ୍ୟର ୪ରୁ ୫ଟି ଜିଲାକୁ ବୟନ ଶିଳ୍ପ ପାଇଁ ପ୍ରୋସôାହନ ଯୋଗାଇ ଦିଆଯିବ  । ଆଗାମୀ ୫ ବର୍ଷ ଭିତରେ ରାଜ୍ୟ ସରକାରଙ୍କ ଦ୍ୱାରା ଚିହ୍ନଟ ଜିଲାକୁ ପର୍ଯ୍ୟଟନ ସହ ଯୋଡାଯାଇ ବୟନଶିଳ୍ପ ବ୍ୟବସାୟକୁ ସୁଦୃ? କରାଯିବ । ଉକ୍ତ ଜିଲ୍ଲାରେ ସମସ୍ତ ବୁଣାକାରଙ୍କ ଆମଦାନୀ କିପରି ବଞ୍ଚିବ ସେଥିପାଇଁ କେନ୍ଦ୍ର ସରକାର ଯୋଜନା କରୁଛନ୍ତି  । ଦେଶର ଏଫ୍ଡିଆଇ ୩୦୪ ବିଲୟନ ଡଲାରରୁ ବଢ଼ି ୭୦୦ ବିଲିୟନ ଡଲାରରେ ପହଞ୍ଚିଛି । ବୈଦେଶିକ ମୁଦ୍ରା ପାଣ୍ଠି ୨୫୦ରୁ ବଢ଼ି ୬୫୦ ବିଲିୟନ ଡଲାରରେ ପହଞ୍ଚିଛି । ପୂର୍ବରୁ ଦେଶର ରପ୍ତାନୀ ମାତ୍ର ୧୯ ଲକ୍ଷ କୋଟି ଟଙ୍କା ଥିଲାବେଳେ ମୋଦିଜୀଙ୍କ ନେତୃତ୍ୱରେ ଏହା ବୃଦ୍ଧି ପାଇ ୮୦ ଲକ୍ଷ କୋଟି ଟଙ୍କାରେ ପହଞ୍ଚିଛି । କଂଗ୍ରେସ କେବଳ ଗରିବ ହଟାଓ ନାରା ଦେଇଥିବାବେଳେ ବିଜେପି ସରକାର ୩୦ କୋଟି ଲୋକଙ୍କୁ ଗରିବ ସୀମାରେଖାରୁ ଉର୍ଦ୍ଧ୍ୱକୁ ଉଠାଇବାରେ ସଫଳ ହୋଇଛି ବୋଲି ମନ୍ତ୍ରୀ ଶ୍ରୀ ପାତ୍ର କହିଛନ୍ତି । ଅନୁଗୁଳ ଜୋନାଲ ମିଡ଼ିଆ ସେଲ ସଂଯୋଜକ ପର୍ଶୁରାମ ବାରିକଙ୍କ ସଂଯୋଜନାରେ ଅନୁଷ୍ଠିତ ଉକ୍ତ ସାମ୍ବାଦିକ ସମ୍ମିଳନୀରେ ପାଳଲହଡା ବିଧାୟକ ଅଶୋକ ମହାନ୍ତି, ଅନୁଗୁଳ ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନ, ଛେଣ୍ଡିପଦା ବିଧାୟକ ଅଗସ୍ତି ବେହେରା, ଜିଲ୍ଲା ସଭାପତି ଯଯାତି ପଟ୍ଟନାୟକ, ପ୍ରାକ୍ତନ ଜିଲ୍ଲା ସଭାପତି ଦିଲେଶ୍ୱର ପ୍ରଧାନ ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ସମସ୍ତ ପଦାଧିକାରୀ ଉପସ୍ଥିତ ଥିଲେ ।