ଅସହ୍ୟ ତାତି, ଅସ୍ତବ୍ୟସ୍ତ ଜନଜୀବନ

 ତାଳଚେର : ଶିଳ୍ପନଗରୀ ତାଳଚେର ଅଞ୍ଚଳରେ ପ୍ରଚଣ୍ଡ ଖରା ସହିତ ଅତ୍ୟଧିକ ଗୁଳୁଗୁଳି ଜନଜୀବନ ଅସ୍ତବ୍ୟସ୍ତ କରି ପକାଇଛି । ତାଳଚେରରେ ତାପମାତ୍ରା ୩୯.୮ରହିଥିବାବେଳେ ବେସରକାରୀସ୍ତରରେ ୪୨ଡ଼ିଗ୍ରୀରୁ ଅଧିକ ଥିବା ଜଣାପଡ଼ିଛି । ପ୍ରଚଣ୍ଡ ଖରା ଯୋଗୁଁ ଲୋକେ ଘରୁ ପଦାକୁ ଗୋଡ଼ କାଢ଼ିବାକୁ ଅମଙ୍ଗ ହେଉଛନ୍ତି । ଶିଳ୍ପନଗରୀ ତାଳଚେର ଅଂଚଳରେ ଦୁଇଟି ଦୁଇଟି ତାପଜ କେନ୍ଦ୍ର ରହିଥିଲେ ମଧ୍ୟ ଏଠାରେ ସର୍ବାଧିକ ବିଦୁ୍ୟତ୍କାଟ୍ ସହିତ ଲୋଭୋଲଟେଜ୍ ଅଂଚଳବାସୀଙ୍କୁ ନାହିଁ ନ ଥିବା ଅକଥନୀୟ ଦୁର୍ଦ୍ଦଶା ଦେଉଛନ୍ତି । ଅସହ୍ୟ ଗୁଳୁଗୁଳୁ ସହ ବିଦୁ୍ୟତ୍ କାଟ ଲୋକଙ୍କ ସମସ୍ୟାକୁ ଦ୍ୱିଗୁଣିତ କରୁଛି ।  ଏଠାରୁ ଦୈନିକ କୋଟି କୋଟି ଟଙ୍କା ରାଜସ୍ୱ ଯାଉଥିଲେ ମଧ୍ୟ ଏହି ତାଳଚେର ଅଂଚଳପାଇଁ ସାମାନ୍ୟ କାହାରି ଦରଦି ମନେ ହେଉନାହିଁ ବୋଲି ଚର୍ଚ୍ଚା ସବୁବେଳେ ଲାଗି ରହିଛି । ପ୍ରଚଣ୍ଡ ଖରା ଯୋଗୁଁ ଆଜି ସକାଳ ୧୦ଟାରୁ ଦୋକାନ ବଜାର ବନ୍ଦ ରହିବା ସହ ରାସ୍ତା ଜନଶୂନ୍ୟ ହୋଇପଡ଼ିଥିଲା । ଏପରିକି ପଶୁପକ୍ଷୀମାନେ ଏହି ଖରାରୁ ରକ୍ଷା ପାଇବାକୁ ଗଛତଳେ ଆଶ୍ରୟ ନେଇଥିବା ଦେଖିବାକୁ ମିଳିଥିଲା । ତେଣୁ ତାଳଚେର ଅଂଚଳରେ ବର୍ତ୍ତମାନ ପ୍ରଚୁର ବୃକ୍ଷରୋପଣ ସହିତ ସହର ଓ ପ୍ରତି ଗାଁ ଗୁଡ଼ିକରେ ପୋଖରୀ ନିର୍ମାଣ କରାଗଲେ କିଛି କାଂଶରେ ଉତ୍ତାପ କମିବା ସହିତ କୋଇଲା ଖଣି ଗୁଡ଼ିକରେ ଷ୍ଟକ୍ରେ ଲାଗୁଥିବା ନିଅାଁକୁ ଯଦି ଆୟତ୍ତ କରାଯାଇ ପାରିବ ତେବେ କିଛି ମାତ୍ରାରେ ଲୋକମାନେ ଆଶ୍ୱସ୍ତି ପାଇବେ ବୋଲି ପରିବେଶବିତ୍ ମହଲରେ ଚର୍ଚ୍ଚା ହେଉଛି ।