ଐତିହାସିକ ବାଲିଯାତ୍ରା ଉଦ୍‌ଘାଟିତ ; ବାଲିଯାତ୍ରା ଗୌରବ ଓ ଐତିହ୍ୟର ପ୍ରତୀକ : ମୁଖ୍ୟମନ୍ତ୍ରୀ

ଐତିହାସିକ ବାଲିଯାତ୍ରା ଉଦ୍‌ଘାଟିତ ; ବାଲିଯାତ୍ରା ଗୌରବ ଓ ଐତିହ୍ୟର ପ୍ରତୀକ : ମୁଖ୍ୟମନ୍ତ୍ରୀ
  • ଓଡ଼ିଶା-ଇଣ୍ଡୋନେସିଆ ସମ୍ପର୍କ ବହୁ ପୁରୁଣା : କୃଷ୍ଣମୂର୍ତ୍ତି
  • ବାଲିଯାତ୍ରାକୁ ୧୦ କୋଟିର ଅନୁଦାନ
  • କଟକ ହେବ ତାରକସି ହବ୍‌
  • ମହାନଦୀ ତଟ ସୌନ୍ଦର୍ଯ୍ୟକରଣ ପାଇଁ ୨ଶହ କୋଟି

କଟକରୁ : ଐତିହାସିକ ବାଲିଯାତ୍ରା କଟକ ୨୦୨୫ ମହୋତ୍ସବ ବୁଧବାର ସନ୍ଧ୍ୟାରେ ଉଦଘାଟିତ ହୋଇଯାଇଛି । ପ୍ରାଚୀନ କଳିଙ୍ଗ ନୌବାଣିଜ୍ୟ ପରମ୍ପରାର ସ୍ମୃତି ଓ ସ୍ମାରକୀ ବହନ କରୁଥିବା ବାଲିଯାତ୍ରାର ଗୌରବମୟ ଇତିହାସକୁ ଉଜ୍ଜୀବିତ କରିବା ଲକ୍ଷ୍ୟ ନେଇ ଗଣକବି ବୈଷ୍ଣବ ପାଣି ମଂଚରେ ଆୟୋଜିତ ମହୋତ୍ସବରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ବାଲିଯାତ୍ରାର ଶୁଭ ଉଦଘାଟନ କରିଥିଲେ ।

      ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ତାଙ୍କ ଉଦ୍‌ବୋଧନରେ କହିଥିଲେ, ବାଲିଯାତ୍ରା ହେଉଛି ଓଡ଼ିଶାର ଇତିହାସ ଓ ସମୃଦ୍ଧ ନୌବାଣିଜ୍ୟର ପ୍ରତୀକ । ବାଲିଯାତ୍ରା କେବଳ ଏକ ଯାତ୍ରା ନୁହେଁ ଏହା ବିଦେଶ ସହ ସଂପର୍କ ସ୍ଥାପନର ଏକ ମାଧ୍ୟମ ଥିଲା । ତେଣୁ ବାଲିଯାତ୍ରାକୁ ଅଧିକରୁ ଅଧିକ ସଂପ୍ରସାରଣ କରିବା ପାଇଁ ରାଜ୍ୟ ସରକାର ସଚେତନ ଅଛନ୍ତି ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ମତବ୍ୟକ୍ତ କରିଥିଲେ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ରାଜ୍ୟର ପ୍ରାଚୀନ ନୌବାଣିଜ୍ୟ ପରମ୍ପରା ସଂପର୍କରେ ଆଲୋକପାତ କରିଥିଲେ । ଓଡ଼ିଶାରେ ୫୭୫ କିଲୋମିଟର ସୁଦୀର୍ଘ ସମୁଦ୍ର ତଟ ରହିଛି । ଓଡ଼ିଶାର ଅର୍ଥନୀତିକୁ ଦୃଢ଼ କରିବାରେ ଏହା ବିଶେଷ ସହାୟକ ହେବ । ରାଜ୍ୟରେ ବନ୍ଦରଭିତ୍ତିକ ଅର୍ଥନୀତି ପାଇଁ ସରକାର ଗୁରୁତ୍ୱାରୋପ କରୁଛନ୍ତି ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଥିଲେ । କଟକର ତାରକସି କାମ ସାରା ବିଶ୍ୱରେ ପ୍ରସିଦ୍ଧି ଲାଭ କରିଛି । କଟକର ସାମଗ୍ରିକ ଅଗ୍ରଗତି ପାଇଁ ଏ ସରକାର ପ୍ରତିଶ୍ରୁତିବଦ୍ଧ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । ବିଶେଷ ଅତିଥି ଭାବେ ଭାରତରେ ଅବସ୍ଥାପିତ ଇଣ୍ଡୋନେସିଆର ରାଷ୍ଟ୍ରଦୂତ ସୁଶ୍ରୀ କୃଷ୍ଣମୂର୍ତ୍ତି ତାଙ୍କ ଉଦବୋଧନରେ ପ୍ରାଚୀନ କଳିଙ୍ଗ ନୌବାଣିଜ୍ୟ ପରମ୍ପରାର ସ୍ମୃତି ସଂପର୍କରେ ଆଲୋକପାତ କରିଥିଲେ । ଏଥିସହିତ ଇଣ୍ଡୋନେସିଆ ଓ ଓଡ଼ିଶାର ଭାବଗତ ସଂପର୍କ ଅତି ପ୍ରାଚୀନ ଓ ସୁଦୃଢ଼ ବୋଲି ସେ ମତବ୍ୟକ୍ତ କରିଥିଲେ ।

     କଟକ ଜିଲ୍ଲାପାଳ ଦତ୍ତାତ୍ରୟ ଭାଉସାହେବ ସିନ୍ଦେଙ୍କ ପୌରହିତ୍ୟରେ ଆୟୋଜିତ ଉଦଘାଟନୀ କାର୍ଯ୍ୟକ୍ରମରେ  ଭାରତରେ ଅବସ୍ଥାପିତ ଇଣ୍ଡୋନେସିଆ ରାଷ୍ଟ୍ରଦୁତ ସୁଶ୍ରୀ ଇନା.ଏଚ କୃଷ୍ଣମୂର୍ତ୍ତି ଯୋଗ ଦେଇଥିଲେ । କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ କଟକ ସାଂସଦ ଭର୍ତ୍ତୃର୍ହରି ମହତାବ, ରାଜ୍ୟସଭା ସାଂସଦ ଦେବାଶିଷ ସାମନ୍ତରାୟ, ରାଜ୍ୟର ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ, ଚୌଦ୍ୱାର-କଟକ ବିଧାୟକ ସୌଭିକ ବିଶ୍ୱାଳ, ବାରବାଟୀ କଟକ ବିଧାୟିକା ସୋଫିଆ ଫିର୍ଦ୍ଦୋଷ, କଟକ ସଦର ବିଧାୟକ ପ୍ରକାଶ ଚନ୍ଦ୍ର ସେଠୀ, ଉନ୍ନୟନ କମିଶନର ଅନୁ ଗର୍ଗ, ପୋଲିସ କମିଶନର ଏସ ଦେବଦତ୍ତ ସିଂହ, କେନ୍ଦ୍ରାଞ୍ଚଳ ରାଜସ୍ୱ ଆୟୁକ୍ତ ଗୁହା ପୁନ ତାପସ କୁମାର ପ୍ରମୁଖ ଯୋଗ ଦେଇଥିଲେ ।

      ଅତିଥିମାନଙ୍କୁ ସିସୋର ବୋଟ କ୍ଲବ ନିକଟରୁ ବୋଇତରେ ଗଡ଼ଗଡ଼ିଆ ଘାଟକୁ ଅଣାଯାଇଥିଲା । ସେଠାରେ ପାରମ୍ପରିକ ବୋଇତ ବନ୍ଦାଣ କାର୍ଯ୍ୟକ୍ରମ ପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଟକ-ଇନ-କଟକ ପାଭିଲିୟନକୁ ଉଦଘାଟନ କରିଥିଲେ । ଏହାପରେ ଓରମାସ ଷ୍ଟଲ ପରିଦର୍ଶନ କରିବା ପରେ ଅତିଥିମାନେ ଗଣକବି ବୈଷ୍ଣବ ପାଣି ମଞ୍ଚକୁ ଆସିଥିଲେ । ଜିଲ୍ଲା ପ୍ରଶାସନ ପକ୍ଷରୁ ଅତିଥିମାନଙ୍କୁ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା । ଏହି ଅବସରରେ ଜିଲ୍ଲାପାଳ ଇଣ୍ଡୋନେସିଆ ରାଷ୍ଟ୍ରଦୁତ ଓ ମୁଖ୍ୟ ଅତିଥି ଶ୍ରୀ ମାଝୀଙ୍କୁ ବାଲିଯାତ୍ରାର ସ୍ମାରକୀ ଉପହାର ସ୍ୱରୂପ ପ୍ରଦାନ କରିଥିଲେ । କାର୍ଯ୍ୟକ୍ରମରେ ବାଲିଯାତ୍ରା ସ୍ମରଣିକାକୁ ମୁଖ୍ୟ ଅତିଥି ଉନ୍ମୋଚନ କରିଥିଲେ । ଅତିରିକ୍ତ ଜିଲ୍ଲାପାଳ ଶିବ ଟପୋ ଧନ୍ୟବାଦ ଅର୍ପଣ କରିଥିଲେ । ଚଳିତବର୍ଷ ବାରବାଟୀ କିଲ୍ଲା ଓ ମହାନଦୀ ପଠା ଉଭୟ ପଡ଼ିଆରେ ପ୍ରାୟ ୧୭ ଶହ ଷ୍ଟଲ ହୋଇଥିବାବେଳେ ୨ ହଜାର ବ୍ୟବସାୟୀ ଏଥିରେ ସାମିଲ ହୋଇଛନ୍ତି । ଏସିଆ ମହାଦେଶର ସର୍ବବୃହତ ମୁକ୍ତାକାଶ ବାଣିଜ୍ୟ ମେଳା କଟକ ବାଲିଯାତ୍ରା ନଭେମ୍ବର ୫ରୁ ନଭେମ୍ବର ୧୨ ଯାଏଁ ଅନୁଷ୍ଠିତ ହେବ । ପ୍ରଥମ ସନ୍ଧ୍ୟାର ସାଂସ୍କୃତିକ ମଞ୍ଚରେ ଇଣ୍ଡୋନେସିଆ କଳାକାରମାନଙ୍କ ପକ୍ଷରୁ ପରିବେଷିତ ହୋଇଥିବା ଚିତ୍ତାକର୍ଷକ କାର୍ଯ୍ୟକ୍ରମ ଦର୍ଶକମାନଙ୍କୁ ସମ୍ମୋହିତ କରିଥିଲା । ପ୍ରଥମ ସନ୍ଧ୍ୟାରେ ବାଲିଯାତ୍ରାରେ ଲକ୍ଷାଧିକ ଦର୍ଶକଙ୍କ ସମାଗମ ହୋଇଥିଲା ।