"ଦକ୍ଷ ହୁଅନ୍ତୁ, ଓଡ଼ିଶାରେ ଚାକିରି ମିଳିବ'

"ଦକ୍ଷ ହୁଅନ୍ତୁ, ଓଡ଼ିଶାରେ ଚାକିରି ମିଳିବ'
  • ଓଡିଶା ଦକ୍ଷତା ପ୍ରତିଯୋଗିତାର ସମାପନୀ ସମାରୋହ

  • ୫୪ ଜଣଙ୍କୁ ସ୍ୱର୍ଣ୍ଣ, ୫୩ ଜଣଙ୍କୁ ରୌପ୍ୟ ଏବଂ ୫୦ ଜଣଙ୍କୁ ବ୍ରୋଞ୍ଜ

  • ୪୭ ଆଇଟିଆଇ ହେବ ସେଣ୍ଟର ଅଫ୍‌ ଏକ୍‌ସେଲେନସ, ୯ ଆଇଟିଆଇରେ ଏଆଇ ଲ୍ୟାବ୍‌ 

ଭୁବନେଶ୍ୱର : ଓଡିଶାରେ ଏବେ ବ୍ୟାପକ ଶିଳ୍ପାୟନ ପ୍ରକ୍ରିୟା ଆରମ୍ଭ ହୋଇଛି । ନିଜକୁ କୌଣସି କ୍ଷେତ୍ରରେ ଦକ୍ଷ କରାନ୍ତୁ, ଦେଖିବେ ଆମରି ଓଡିଶାରେ ହିଁ ଆପଣଙ୍କୁ ନିଯୁକ୍ତି ମିଳିବ । କାରଣ ଦକ୍ଷତା କ୍ଷେତ୍ରର ସମସ୍ତ ସ୍ତରରେ  ଉତ୍କର୍ଷତା ହାସଲ କରିବା ହେଉଛି ଆମର ଲକ୍ଷ୍ୟ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଓଡିଶା ଦକ୍ଷତା ପ୍ରତିଯୋଗିତା ୨୦୨୫-୨୬ର ସମାପନୀ ସମାରୋହରେ ରାଜ୍ୟର ଦକ୍ଷ ଓ ଯୁବ କୁଶଳୀ ଛାତ୍ରଛାତ୍ରୀମାନଙ୍କୁ ଉଦ୍‌ବୋଧନ ଦେଇ କହିଥିଲେ । ଏହି ଦକ୍ଷତା ପ୍ରତିଯୋଗିତାରେ ଉଲ୍ଲେଖନୀୟ ପ୍ରଦର୍ଶନ କରିଥିବା ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୫୪ ଜଣଙ୍କୁ ସ୍ୱର୍ଣ୍ଣ, ୫୩ ଜଣଙ୍କୁ ରୌପ୍ୟ ଏବଂ ୫୦ ଜଣଙ୍କୁ ବ୍ରୋଞ୍ଜ ପଦକ ଦେଇ ମୁଖ୍ୟମନ୍ତ୍ରୀ ପୁରସ୍କୃତ କରିଥିଲେ । ସ୍ୱର୍ଣ୍ଣ ବିଜେତାମାନଙ୍କୁ ୨୫ ହଜାର, ରୌପ୍ୟ ବିଜେତାଙ୍କୁ ୨୦ ହଜାର ଏବଂ ବ୍ରୋଞ୍ଜ ବିଜେତାଙ୍କୁ ୧୫ ହଜାର ଟଙ୍କା କ୍ୟାସ୍‌ ପ୍ରାଇଜ ଓ ମାନପତ୍ର ଦିଆଯାଇଥିଲା ।


   ସେ ପୁଣି କହିଥିଲେ, ରାଜ୍ୟର ଦୀର୍ଘସ୍ଥାୟୀ ବିକାଶ ପାଇଁ ଏବଂ ଅର୍ଥନୈତିକ ଉନ୍ନତି ପାଇଁ ଦକ୍ଷତା ଜରୁରୀ ଆବଶ୍ୟକ । ଆମର ମୂଳଲକ୍ଷ୍ୟ ହେଉଛି ଲୋକଙ୍କୁ ସଶକ୍ତ କରିବା । ଆମର ଯୁବବର୍ଗ ଯେତେ ପରିମାଣରେ ଦକ୍ଷ ହେବେ, ଆତ୍ମବିଶ୍ୱାସୀ ହେବେ, ସେମାନେ ନିଜର ଭବିଷ୍ୟତକୁ ଉଜ୍ଜ୍ୱଳ କରି ଗଢିପାରିବେ । ଯାହା ୨୦୩୬ ସମୃଦ୍ଧ ଓଡିଶା ଏବଂ ୨୦୪୭ ବିକଶିତ ଭାରତର ପରିକଳ୍ପନାକୁ ସାକାର କରିପାରିବ । ଯୁବବର୍ଗଙ୍କ ଭବିଷ୍ୟତ ଉଜ୍ଜ୍ୱଳ ହେଲେ, ଓଡିଶାର ଭବିଷ୍ୟତ ମଧ୍ୟ ଉଜ୍ଜ୍ୱଳ ହେବ । ମୁଖ୍ୟମନ୍ତ୍ରୀ କହିଥିଲେଯେ, ଆମର ଶିଳ୍ପାୟନଲକ୍ଷ୍ୟର ତିନୋଟି ମୁଖ୍ୟ ସ୍ତମ୍ଭ ହେଉଛି- ଭିତ୍ତିଭୂମି, ଶିଳ୍ପ ସ୍ଥାପନ ପାଇଁ ଅନୁକୂଳ ପରିବେଶ ସୃଷ୍ଟି ଏବଂ ଦକ୍ଷତା । ଏସବୁ କ୍ଷେତ୍ରକୁ ସୁଦୃଢ଼ କରି ଓଡିଶାର ଇଣ୍ଡଷ୍ଟ୍ରିଆଲ୍‌ ଇକୋ-ସିଷ୍ଟମକୁ ଶ୍ରେଷ୍ଠ କରିବା ପାଇଁ ଆମର ଉଦ୍ୟମ ଜାରି ରହିଛି । ଗତ ୧୮ ମାସରେ ୬.୧୫ ଲକ୍ଷ କୋଟି ଟଙ୍କାର ପ୍ରକଳ୍ପକୁ ମଞ୍ଜୁରୀ ଦିଆଯାଇଛି । ଯାହାଦ୍ୱାରା ୩ ଲକ୍ଷ ୬୪ ହଜାର ନିଯୁକ୍ତି ସୃଷ୍ଟି ହୋଇପାରିବ ।


  ସେ ଆହୁରି କହିଥିଲେଯେ, ଛାତ୍ରଛାତ୍ରୀଙ୍କ ଦକ୍ଷତା ବୃଦ୍ଧି କରିବା ପାଇଁ ସରକାର ଉଦ୍ୟମ କରୁଛନ୍ତି । କ୍ୟାବିନେଟରେ ଉତ୍କର୍ଷ ଆଇଟିଆଇ ସ୍କିମ୍‌କୁ ଅନୁମୋଦନ କରାଯାଇଛି । ରାଜ୍ୟର ୪୭ ଆଇଟିଆଇକୁ ସେଣ୍ଟର ଅଫ୍‌ ଏକସେଲନ୍‌ସରେ ପରିଣତ କରିବା ସହିତ ଏଠାରେ ଭିତ୍ତିଭୂମିରେ ଉନ୍ନତି ଏବଂ ଅତ୍ୟାଧୁନିକ ସ୍କିଲ ମାଧ୍ୟମରେ ଟ୍ରେନିଂ ଦିଆଯାଇପାରିବ ବୋଲି ସେ କହିଥିଲେ । ସେହିପରି କୃତିମ ବୁଦ୍ଧିମତ୍ତା କ୍ଷେତ୍ରରେ ଦକ୍ଷତା ହାସଲ ପାଇଁ ରାଜ୍ୟର ୯ଟି ଆଇଟିଆଇରେ ଏଆଇ ଲାବୋରୋଟୋରୀ ଖୋଲାଯାଉଛି । ଶିଳ୍ପ ଓ ଦକ୍ଷତା ବିକାଶ ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ କହିଥିଲେଯେ, ଓଡିଶା ଦକ୍ଷତା ପ୍ରତିଯୋଗିତା କେବଳ ଏକ ପ୍ରତିଯୋଗିତା ନୁହେଁ ବରଂ ନୂତନ ଓଡିଶାର ସାମୂହିକ ଆକାଂକ୍ଷାକୁ ପ୍ରଦର୍ଶନ କରୁଛି । ଏହା ପ୍ରତିଭା ଚିହ୍ନଟ, ଉତ୍କର୍ଷତାକୁ ପ୍ରୋତ୍ସାହନ ଏବଂ ବୃହତ୍‌ ଜାତୀୟ ଓ ଅନ୍ତର୍ଜାତୀୟ ସୁଯୋଗ ଦେଇପାରିଛି । କାର୍ଯ୍ୟକ୍ରମରେ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ, ଉନ୍ନୟନ କମିଶନର ଦେଓ ରଞ୍ଜନ କୁମାର ସିଂହ, ବିଭାଗୀୟ କମିଶନର ଭୂପେନ୍ଦ୍ର ସିଂ ପୁନିଆ ପ୍ରମୁଖ ଉପସ୍ଥିତ ଥିଲେ ।