ନାବାଳିକା କୁର୍କମକାରୀକୁ ୧୦ବର୍ଷ ଜେଲ୍

 ସମ୍ବଲପୁର:  ସମ୍ବଲପୁର ସ୍ୱତନ୍ତ୍ର ପୋକ୍ସୋ କୋର୍ଟ ବିଚାରପତି ଅଭିଳାଶ ସେନାପତି ଏକ ନାବାଳିକା ଅସଦାଚରଣ ଓ କୁର୍କମ ମାମଲାର ବିଚାର କରି ରାୟ ପ୍ରଦାନ କରିଛନ୍ତି । ଦୋଷୀ ସୁମନ୍ତ ବେହେରା(୩୧)ଙ୍କୁ ୧୦ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି । ଏଥିସହ ୫୦ହଜାର ଟଙ୍କା ଜରିମାନା କରିଥିବା ବେଳେ ଅର୍ଥ  ଅନାଦେୟ ଦେଲେ ଅଧିକ ୧ବର୍ଷ ଦଣ୍ଡାଦେଶ ରହିଛି । ସୂଚନାଯୋଗ୍ୟ, ନାକଟିଦେଉଳ ଥାନା ଅଞ୍ଚଳର ଜଣେ ୧୪ବର୍ଷିୟା ନାବାଳିକା ଗତ ୨୩ଅକ୍ଟୋବର, ୨୦୧୩ ସନ୍ଧ୍ୟାରେ ଶୌଚ ହେବା ପାଇଁ ଗାଁ ପାଖ ଆମ୍ବବୁରିକୁ ଯାଇଥିଲେ । ବିନ୍ଧାପୁର ଗ୍ରାମର ସୁମନ୍ତ ବେହେରା ନାବାଳିକାକୁ ଏକଚୀ ପାଇ  ବଳପୂର୍ବକ କୁର୍କମ କରିଥିଲା । ଗ୍ରାମର ଅନ୍ୟ ମହିଳାମାନେ ଆସୁଥିବା ଦେଖି ଅଭିଯୁକ୍ତ ଘଟଣାସ୍ଥଳରୁ ଖସି ପଳାଇଥିଲା । ପୀଡିତା ଜଣକ ମହିଳାମାନଙ୍କୁ ଓ ପରେ ପରିବାର ଲୋକଙ୍କୁ ଘଟଣା ସମ୍ପର୍କରେ କହିଥିଲା । ଅଭିଯୋଗ ପରେ ନାକଟିଦେଉଳ ଥାନାରେ ୬୯/୨୫ରେ ଏକ ମାମଲା ରୁଜୁ ହୋଇଥିଲା । ପୋଲିସ ଏହି ଘଟଣାର ଅଭିଯୁକ୍ତ ସୁମନ୍ତଙ୍କୁ ଘଟଣାର ୨ଦିନ ପରେ ଗିରଫ କରି କୋର୍ଟ ଚାଲାଣ କରିଥିଲା ।  ସ୍ୱତନ୍ତ୍ର ପୋକ୍ସୋ କୋର୍ଟ ୨୩୨/୧୩ରେ ଏହି ମାମଲାର ବିଚାର ଆରମ୍ଭ ହୋଇଥିଲା । ୧୧ଜଣ ସାକ୍ଷ୍ୟ ବୟାନକୁ ଭିତ୍ତି କରି କୋର୍ଟ ଏହି ରାୟ ପ୍ରଦାନ କରିଛନ୍ତି । ଏହି ମାମଲାକୁ ସ୍ୱତନ୍ତ୍ର ପିପି ସନ୍ତୋଷ କୁମାର ପଣ୍ଡା ପରିଚାଳନା କରିଥିଲେ ।