ଅହେମ୍ମଦ ବକ୍ସ ବିଦ୍ୟାଳୟର ନୈରାଶ୍ୟଜନକ ଫଳାଫଳ
ନିଶ୍ଚିନ୍ତକୋଇଲି : ଚଳିତ ବର୍ଷ ଦଶମ ଶ୍ରେଣୀ ମାଟି୍ରକ ପରୀକ୍ଷା ଫଳ ପ୍ରକାଶିତ ହୋଇଛି । ନିଶ୍ଚିନ୍ତକୋଇଲି ବ୍ଲକରେ ୪୭ଟି ସ୍କୁଲରେ ୯ଜଣଙ୍କୁ ଏ-୧ ଗ୍ରେଡ୍ ମିଳିଛି । ୪୭ଟି ବିଦ୍ୟାଳୟରେ ମୋଟ ୨୧୫୦ ଜଣ ଛାତ୍ରଛାତ୍ରୀ ମାଟି୍ରକ ପରୀକ୍ଷା ପରୀକ୍ଷା ଦେଇଥିଲାବେଳେ ସେଥିମଧ୍ୟରୁ ୯ଟି ସ୍କୁଲର ୯ ଜଣ ଛାତ୍ରଛାତ୍ରୀ ଗ୍ରେଡ୍ ପାଇଛନ୍ତି । ଅହେମ୍ମଦ ବକ୍ସ ସରକାରୀ ଉଚ୍ଚ ବିଦ୍ୟାଳୟର ୯୧ଜଣ ଛାତ୍ରଛାତ୍ରୀ ମାଟି୍ରକ ପରୀକ୍ଷା ଦେଇଥିବାବେଳେ ଏହି ସ୍କୁଲରେ କୌଣସି ଜଣେ ବି ହେଲେ ଛାତ୍ରଛାତ୍ରୀ ଏ-୧ ଗ୍ରେଡ୍ରେ ସଫଳତା ଅର୍ଜନ କରିନଥିବାକୁ ନେଇ ଛାତ୍ର ଅଭିଭାବକ ଓ ଶିକ୍ଷାବିତ୍ମାନଙ୍କ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି । ସୂଚନାଥାଉକି, ପୂର୍ବରୁ ବିଜେଡି ସରକାର କାଳରେ ଏହି ବିଦ୍ୟାଳୟକୁ ୫-ଟି ଅନ୍ତର୍ଭୁକ୍ତ କରାଯାଇଥିବାବେଳେ ଏବେ ବିଜେପି ସରକାର ସମୟରେ ଏହି ବିଦ୍ୟାଳୟକୁ ପିଏମ୍ଶ୍ରୀ ବିଦ୍ୟାଳୟରେ ସ୍ଥାନିତ କରାଯାଇଛି । ଏହି ବିଦ୍ୟାଳୟକୁ ରାଜ୍ୟ ରାଜକୋଷରୁ ଅନୁଦାନ ମିଳିବାରେ ଅଭାବ ନାହିଁ । ବିଗତ ଦିନରେ ଏହି ବିଦ୍ୟାଳୟ ପକ୍ଷରୁ ବିଦ୍ୟାଳୟର ହୀରକ ଜୟନ୍ତୀ ଉତ୍ସବ ପାଳନ କରାଯାଇ ମୁଖ୍ୟମନ୍ତ୍ରୀ, କେନ୍ଦ୍ରମନ୍ତ୍ରୀ, ସାଂସଦ, ବିଧାୟକମାନଙ୍କୁ ନେଇ ମହାସମାରୋହରେ ପାଳନ କରାଯାଇଥିଲା । ନିକଟ ଅତୀତରେ ମାହାଙ୍ଗା ବିଧାୟକ ଶାରଦା ପ୍ରସାଦ ପ୍ରଧାନ ପିଏମ୍ଶ୍ରୀ ଅହମ୍ମଦବକ୍ସ ସରକାରୀ ଉଚ୍ଚ ବିଦ୍ୟାଳୟର ବାର୍ଷିକ ଉତ୍ସବରେ ଯୋଗ ଦେଇଥିବା ବେଳେ ବିଦ୍ୟାଳୟ ପରିଚାଳନା କମିଟି ପୂର୍ବତନ ଛାତ୍ର ଓ ଛାତ୍ର ଅଭିଭାବକମାନେ ଯୋଗଦେଇଥିଲେ । ଉତ୍ସବକୁ ମହା ସମାରୋହରେ ପାଳନ କରାଯାଇ ଭୋଜି ଭାତ ଖାଇ ସମସ୍ତେ ଖୁସି ମନାଇଥିଲେ । ପିଏମ୍ଶ୍ରୀ ଅହମ୍ମଦବକ୍ସ ଉଚ୍ଚ ବିଦ୍ୟାଳୟ କେବଳ ଭିତ୍ତିଭୂମି ସ୍ଥାପନା, ଶିକ୍ଷକ ଶିକ୍ଷୟିତ୍ରୀଙ୍କ ସଂଖ୍ୟା ବଢାଇବା, ବାର୍ଷିକ ଉତ୍ସବ ପାଳନ କରିବାକୁ ଗୁରୁତ୍ୱ ଦେଉଥିବାବେଳେ ଛାତ୍ର ଛାତ୍ରୀମାନଙ୍କୁ ସଠିକ୍ ପାଠ ପଢାଯାଉନଥିବା ବୋଲି ସାଧାରଣରେ ଚର୍ଚ୍ଚା ହେଉଛି । ଉକ୍ତ ବିଦ୍ୟାଳୟରୁ ଚଳିତ ବର୍ଷ ମାଟି୍ରକ ପରୀକ୍ଷାରେ ଜଣେ ହେଲେ ବି କେହି ଛାତ୍ରଛାତ୍ରୀ ଏ-୧ ଗ୍ରେଡ୍ରେ ଉତ୍ତୀର୍ଣ୍ଣ ହୋଇ ନ ଥିବାରୁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି ।