ଦାଦନ ଶ୍ରମିକ ହ୍ରାସ ନେଇ ଉଚ୍ଚସ୍ତରୀୟ ଟାସ୍କଫୋର୍ସ ବୈଠକ

ଭୁବନେଶ୍ୱର : ଉପମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ ସଶକ୍ତିକରଣ, ଶକ୍ତି ମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ ଅଧ୍ୟକ୍ଷତାରେ ଆଜି ଲୋକସେବା ଭବନରେ ଦାଦନ ଶ୍ରମିକ ହ୍ରାସ ନେଇ ଗଠିତ ଉଚ୍ଚସ୍ତରୀୟ ଟାସ୍କଫୋର୍ସର ତୃତୀୟ ବୈଠକ ଅନୁଷ୍ଠିତ ହୋଇଛି । ପୂର୍ବ ବୈଠକରେ ଦାଦନ ପାଇଁ ପ୍ରବାସ ଯାଉଥିବା ପଛର କାରଣ ଓ ସମାଧାନ ଅଧ୍ୟୟନ କରିବାକୁ ନିଷ୍ପତ୍ତି ନିଆଯାଇଥିଲା ।  ଏହି ସର୍ଭେ କରିବା ପାଇଁ ଦି ନଜ୍ ଫାଉଣ୍ଡେସନ୍ କୁ ଦାୟିତ୍ୱ ଦିଆଯାଇଥିଲା । ସର୍ଭେ ଓ ସରକାରଙ୍କ ପାଖରେ ଉପଲବ୍ଧ ତଥ୍ୟ ଆଧାରରେ ଦାଦନ ଶ୍ରମିକ ପ୍ରବାସକୁ ରୋକିବା ପାଇଁ ଓଡ଼ିଶା ପିଭିଟିଜି ଜୀବିକା ମଡେଲ ଓ ମୁଖ୍ୟମନ୍ତ୍ରୀ ଜନଜାତି ଜୀବିକା ମିଶନ ଭଳି ପ୍ରଭାବଶାଳୀ ଜୀବିକା ପ୍ରଣାଳୀ କାର୍ଯ୍ୟକାରୀ କରିବାକୁ ନିଷ୍ପତ୍ତି ନିଆଯାଇଛି । ପ୍ରବାସୀ ଶ୍ରମିକମାନଙ୍କୁ ସେମାନଙ୍କର ଦକ୍ଷତା ବୃଦ୍ଧି କରିବା ପାଇଁ ତାଲିମ ଦିଆଯିବ ।  ସରକାର ପ୍ରବାସ ପ୍ରବଣ ଜିଲ୍ଲା ଓ ବ୍ଲକର ପ୍ରତ୍ୟେକ ପରିବାରକୁ ଏହି ଜନକଲ୍ୟାଣକାରୀ ଯୋଜନାଗୁଡ଼ିକର ୧୦୦ ପ୍ରତିଶତ ଅନ୍ତର୍ଭୁକ୍ତି ସୁନିଶ୍ଚିତ କରିବେ । ଏହି ଉଦେ୍ଦଶ୍ୟରେ ସାଚୁରେସନ୍ ଡ୍ରାଇଭ୍ କରାଯିବ ଓ ବିଭିନ୍ନ ବିଭାଗର ଅଧିକାରୀ, ସଚିବ ଉପରୋକ୍ତ ଯୋଜନା ଗୁଡିକର ୧୦୦ ପ୍ରତିଶତ ଅନ୍ତର୍ଭୁକ୍ତି ପ୍ରମାଣିତ କରିବେ ।
ଉପଲବ୍ଧ ତଥ୍ୟ ଅନୁଯାୟୀ, ଖରିଫ୍ ଏବଂ ରବି ଋତୁରେ ଚାଷୀମାନଙ୍କୁ ଇନପୁଟ୍ ସହାୟତା କାର୍ଯ୍ୟକାରୀ ହେବା ଯୋଗୁଁ ପ୍ରବାସ ହାର କିଛିମାତ୍ରାରେ ହ୍ରାସ ପାଇଛି ।
ପରିବାରଗୁଡ଼ିକର ଆୟ ବୃଦ୍ଧି କରିବା ସହିତ ଦାଦନ ଶ୍ରମିକ ହାର ହ୍ରାସ, ଶ୍ରମିକ ସର୍ଦ୍ଦାରମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଏକ କମିଟି ଗଠନ କରାଯିବ ବୋଲି ବୈଠକରେ ନିଷ୍ପତ୍ତି ହୋଇଛି । ଏହି କମିଟି ପ୍ରବର୍ତ୍ତନ ଅଧିକାରୀ, ପୁଲିସ ଅଧିକାରୀ, ରେଳ ଅଧିକାରୀ ଓ ଜିଲ୍ଲା ପ୍ରଶାସନ ସହିତ ସମନ୍ୱୟ ରଖି ମିଶନ ମୋଡ଼ରେ କାର୍ଯ୍ୟ କରିବ । ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା, ମନ୍ତ୍ରୀ ସୁରେଶ ପୂଜାରୀ, ମନ୍ତ୍ରୀ  ରବି ନାରାୟଣ ନାଏକ,  ମନ୍ତ୍ରୀ  ନିତ୍ୟାନନ୍ଦ ଗଣ୍ଡ, ମନ୍ତ୍ରୀ ଗଣେଶ ରାମ ସିଂହ ଖୁଣ୍ଟିଆ, ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ, ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ, ପ୍ରମୁଖ ସଚିବ, ଅର୍ଥ, କୃଷି ଓ କୃଷକ ସଶକ୍ତିକରଣ, ପଞ୍ଚାୟତିରାଜ ଓ ପାନୀୟଜଳ, ଡିଜି, ଅତିରିକ୍ତ ପୁଲିସ ମହାନିଦେ୍ର୍ଦଶକ, ରେଳ, ନଜ୍ ଫାଉଣ୍ଡେସନର କାର୍ଯ୍ୟକର୍ତ୍ତା, ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀମାନେ ବୈଠକରେ ଯୋଗ ଦେଇଥିଲେ ।