ନିର୍ମାଣ ବେଳେ କଟକରେ ପୁଣି ଅଘଟଣ : ୬ ମହଲା କୋଠାରୁ ପଡି ଶ୍ରମିକଙ୍କ ମୃତୁ୍ୟ
କଟକ : କଟକ ସହରରେ ପୁଣି ଅଘଟଣ ଘଟିଛି । କ୍ୟାଣ୍ଟେନ୍ମେଣ୍ଟ ଥାନା ଅଧୀନ ଶୈଳବାଳା ମହିଳା ସ୍ୱୟଂଶାସିତ ମହାବିଦ୍ୟାଳୟ ପରିସରରେ ଆଜି ଏକ ଅଘଟଣ ଘଟିଛି । ଏଠାରେ ଚାଲିଥିବା ନିର୍ମାଣାଧୀନ ୬ ମହଲା କୋଠାରୁ ପଡି ଜଣେ ଶ୍ରମିକଙ୍କ ମୃତୁ୍ୟ ଘଟିଛି । ମୃତ ବ୍ୟକ୍ତି ହେଲେ ସୁଜୟ କୁମାର (୨୦) । ସେ ବିହାର ନିବାସୀ ଥିଲେ । ମୃତଦେହକୁ ପୋଷ୍ଟମର୍ଟମ ପାଇଁ କଟକ ବଡଡାକ୍ତରଖାନା ନିଆଯାଇଛି । କଟକରେ ନିର୍ମାଣ କାମରେ ଅଘଟଣ ଘଟିବା ନୂଆ କଥା ନୁହେଁ । ବାରମ୍ବାର ଏହି ଭଳି ଅଘଟଣ ଘଟୁଛି । ବିଗତ ଦିନରେ ନିର୍ମାଣ କାମରେ ଦୁର୍ଘଟଣା ଯୋଗୁଁ ଅନେକ ଶ୍ରମିକଙ୍କର ମୃତୁ୍ୟ ଘଟିଛି । ଶୈଳବାଳା ମହିଳା ସ୍ୱୟଂଶାସିତ ମହାବିଦ୍ୟାଳୟର ଉନ୍ନତ ଭିତ୍ତିଭୂମି ପାଇଁ ନିର୍ମାଣ କାମ ଜାରିରହିଛି । ଏଠାରେ ଏକ ଛଅ ମହଲା କୋଠାର କାମ ଚାଲିଛି । ଅନ୍ୟ ଦିନ ଭଳି ଏହି ଛଅ ମହଲା କୋଠାରେ ଆଜି ମଧ୍ୟ ଶ୍ରମିକମାନେ କାମ କରୁଥିଲେ । ଏହି ଶ୍ରମିକମାନଙ୍କ ମଧ୍ୟରେ ଓଡିଆ ସମେତ କିଛି ବିହାରର ଯୁବକ ମଧ୍ୟ ସାମିଲ ଥିଲେ । ତେବେ ସନ୍ଧ୍ୟା ସମୟରେ ନିର୍ମାଣ ବେଳେ ଅଘଟଣ ଘଟିଥିଲା । ବିହାର ନିବାସୀ ସୁଜୟ କୁମାର କୌଣସି ମତେ ୬ ମହଲା କୋଠାରୁ ଖସି ପଡିଥିଲେ ।