ସୁଭଦ୍ରା ଯୋଜନା ୩ୟ କିସ୍ତି: ଏକାଧିକ ମହିଳା ବଞ୍ଚିତ, ସାଧାରଣରେ ଅସନ୍ତୋଷ

 ଖଣ୍ଡପଡ଼ା : ଗତ ୯ ତାରିଖ ପବିତ୍ର ରାକ୍ଷୀ ପୁର୍ଣ୍ଣିମା ଅବସରରେ ରାଜ୍ୟ ସରକାର ମହିଳାମାନଙ୍କୁ ସୁଭଦ୍ରା ଯୋଜନାରେ ୩ୟ କିସ୍ତି ଟଙ୍କା ପ୍ରଦାନ କରିଛନ୍ତି । ମାତ୍ର ଖଣ୍ଡପଡ଼ା ବ୍ଲକ ଅଞ୍ଚଳର ଏକାଧିକ ମହିଳା ଏହି ଯୋଜନାରେ ଅବ୍ୟାବଧି ତୃତୀୟ କିସ୍ତି ଟଙ୍କା ପାଇନଥିବା ଜଣାପଡିଛି । ଏହି ଲୋକହିତକର ଯୋଜନାରେ ପୂର୍ବରୁ ମହିଳାମାନେ ୨ ଟି କିସ୍ତିରେ ୧୦ ହଜାର ଟଙ୍କା  ଲେଖାଁଏ ପାଇଥିଲେ ହେଁ ତୃତୀୟ ଥର ଟଙ୍କା ପାଇବାରୁ ବଞ୍ଚିତ ହୋଇଥିବା ଜଣାପଡ଼ିଛି । ସୁଭଦ୍ରା ଯୋଜନାରେ ତୃତୀୟ ଥର ଟଙ୍କା ପାଇବାରୁ ବଞ୍ଚିତ ମହିଳାମାନେ ବ୍ୟାଙ୍କ ବାଲାନ୍ସ ଚେକ କରିବା ନିମନ୍ତେ ସଞ୍ଚୟ ଜମା ଖାତା ଧରି ବିଭିନ୍ନ ବ୍ୟାଙ୍କ ପରିସରରେ ଭିଡ ଜମାଉଥିବା ବେଳେ ଅଧିକାଂଶ ମହିଳା କାଗଜପତ୍ର ଧରି ଜନ ସେବା କେନ୍ଦ୍ର ଗୁଡିକରେ ଭିଡ ଜମାଉଥିବା ପରିଲକ୍ଷିତ ହେଉଛି । ତେବେ ସୁଭଦ୍ରା ଯୋଜନାର ୩ୟ କିସ୍ତି ଟଙ୍କା ପାଇବାରୁ ବଞ୍ଚିତ ହୋଇଥିବା ମହିଳାମାନଙ୍କ ପ୍ରତି ଜିଲ୍ଲା ପ୍ରଶାସନ ଓ ରାଜ୍ୟ ସରକାର ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି ।