ଦାଦାବଟି ଆଦାୟ କରି ଯୁବକ ଗିରଫ

ପୁରୀ : ଜଣେ ହୋଟେଲ ମାଲିକଙ୍କୁ ଦାଦାବଟି ଦାବି କରି ଅସଭ୍ୟ ଭାଷାରେ ଗାଳିଗୁଲଜ କରିବା ଅଭିଯୋଗରେ ବଳିଆପଣ୍ଡା ଥାନା ପୋଲିସ ଗୌଡ଼ବାଡ଼ ସାହିର ବି. ନରସିଂହ ବେହେରା (୨୯)କୁ ଗିରଫ କରିଛି । ଏ ସଂକ୍ରାନ୍ତରେ ବିଏନ୍‌ଏସ୍‌ର ୨୯୬, ୩୦୮ (୫), ୧୧୫(୨), ୩୫୧ (୩) ଧାରାରେ ୬୦/୨୦୨୫ ନମ୍ବର ମାମଲା ରୁଜୁ ହୋଇଛି । ବିଧବାଶ୍ରମ ଛକ ଠାରେ ତ୍ରିନାଥ ନିବାସ ହୋଟେଲର ମାଲିକ ଲକ୍ଷ୍ମୀନାରାୟଣ ପଣ୍ଡାଙ୍କୁ ବି. ନାରାୟଣ ବେହେରା ୫ହଜାର ଟଙ୍କା ଦାଦାବଟି ମାଗିଥିଲା । ଦାଦାବଟି ଦେବାକୁ ମନା କରିବାରୁ ସେ ଲକ୍ଷ୍ମୀନାରାୟଣଙ୍କୁ ଅସଭ୍ୟ ଭାଷାରେ ଗାଳିଗୁଲଜ କରିବା ସହ ହତ୍ୟା ଧମକ ଦେଇଥିଲା । ପରବର୍ତ୍ତୀ ସମୟରେ ରାସ୍ତାରେ ଯାଉଥିବା ବେଳେ ଲକ୍ଷ୍ମୀନାରାୟଣଙ୍କ ବାଇକ୍‌କୁ ଅଟକାଇ ବାଇକ ଚାବି ଛଡ଼ାଇନେଇ ବି. ନରସିଂହ ଫେରାର ହୋଇଯାଇଥିଲା । ପୋଲିସ ଘଟଣାକୁ ତଦନ୍ତ କରି ତାକୁ ଗିରଫ କରିଥିଲା ।