୩ ଦଫା ଦାବି ନେଇ କୃଷକ ମହାସଭାର ପ୍ରତିବାଦ
ପୁରୀ : ଦୂଷିତ ଗଙ୍ଗୁଆ ନଦୀ ଜଳକୁ ଦୟାନଦୀରେ ନିଷ୍କାସନ ବନ୍ଦ କରିବା, କ୍ଷତିଗ୍ରସ୍ତ ପରିବା ଚାଷୀଙ୍କୁ କ୍ଷତିପୂରଣ ଦେବା, ଲୁଣାନଦୀରେ ରବିଧାନ ପାଇଁ ଜଳ ପ୍ରବାହ ମେ ମାସ ପର୍ଯ୍ୟନ୍ତ ଅବ୍ୟାହତ ରଖିବା ଦାବିରେ ଅଖିଳ ଭାରତ କୃଷକ ମହାସଭା ‘ଦୟା ସୁରକ୍ଷା ଅଭିଯାନ’ ଓ ‘ଚିଲିକା ସୁରକ୍ଷା ଅଭିଯାନ’ ପକ୍ଷରୁ ଦୃଢ ଦାବି କରାଯାଇଛି । ଏ ସଂକ୍ରାନ୍ତରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଏକ ପ୍ରତିବାଦ ସଭା କରାଯିବା ସହ ଜିଲ୍ଳାପାଳଙ୍କୁ ୩ଦଫା ସମ୍ବଳିତ ଦାବିପତ୍ର ପ୍ରଦାନ କରାଯାଇଛି । କୃଷକ ନେତା ସତ୍ୟନାରାୟଣ ପ୍ରଧାନ, ଆଲୋକ ପ୍ରଧାନ, ଶ୍ରୀନିବାସ ନାୟକ, ଯୁଧିଷ୍ଟିର ମହାପାତ୍ର ଓ ଅନାଦି ବେହେରା ପ୍ରମୁଖ ଜିଲ୍ଳାପାଳଙ୍କୁ ଦାବି ପତ୍ର ଦେବା ସହ ପ୍ରତିବାଦ ସଭାରେ ଭୁବନେଶ୍ୱର ମହାନଗର ନିଗମର ସମସ୍ତ ବିଶାକ୍ତ ବର୍ଯ୍ୟବସ୍ତୁ ଓ ମୃତ ପଶୁପକ୍ଷୀଙ୍କୁ ଗଙ୍ଗୁଆ ନଦୀ ଜଳରେ ପକାଯାଉଥିବାରୁ ବିଷାକ୍ତ ଜଳ ପିପିଲି ବ୍ଲକର କଣ୍ଟିଗ୍ରାମ ନିକଟରେ ଦୟାନଦୀରେ ପ୍ରବେଶ କରୁଛି । ଫଳରେ ପିପିଲି, ଡ଼େଲାଙ୍ଗ ଓ କଣାସ ଅଞ୍ଚଳ ଦେଇ ବିଷାକ୍ତ ଜଳ ଚିଲିକା ହ୍ରଦରେ ମିଶୁଛି । ତେଣୁ ଉକ୍ତ ୩ଟି ବ୍ଲକର ଧାନ, ମୁଗ, ବିରି, ପନିପରିବା ଓ ବାଦାମ୍ ଆଦି ଫସଲ ନଷ୍ଟ ହୋଇଯାଉଛି ବୋଲି ଅଭିଯୋଗ କରାଯାଇଥିଲା । ଚାଷୀ ନେତାମାନେ ପ୍ରତିବାଦ ସଭାରେ ପ୍ରକାଶ କରିଥିଲେ ଯେ ଦୂଷିତ ଜଳର ପ୍ରଭାବରେ ମାଛ, ଗେଣ୍ଡା, କୋଚିଆ ଆଦି ଜଳଜୀବ ଓ ଚିଲିକାର ମସô୍ୟ ସଂପଦ ମଧ୍ୟ ଧ୍ୱଂସ ହେବାରେ ଲାଗିଛି । ଏହି ଅଞ୍ଚଳର ମସô୍ୟଜୀବୀମାନେ ଜୀବିକା ହରାଇ ଦାଦନ ଶ୍ରମିକ ପାଲଟିଛନ୍ତି । ଉକ୍ତ ବିଷାକ୍ତ ପାଣି ବ୍ୟବହାର କରି ନଦୀ କୂଳରେ ବାସ କରୁଥିବା ସହସ୍ରାଧିକ ଲୋକ ଚର୍ମରୋଗ, ଜଣ୍ଡିସ, କିଡ଼ନୀ ରୋଗ ଓ ହୃଦରୋଗରେ ପୀଡିୀତ ହେଉଛନ୍ତି । କିଛି ଦିନ ତଳେ କଣାସ ଅଞ୍ଚଳରେ ବିଷାକ୍ତ ଜଳ ଯୋଗୁଁ ହଇଜା ବ୍ୟାପି ୬ଜଣଙ୍କ ଜୀବନ ହାନୀ ଘଟିଛି । ମାତ୍ର ସରକାର ଏହି ମୃତୁ୍ୟକୁ ଅସ୍ୱୀକାର କରୁଛନ୍ତି । ପୁରୀ ଜିଲ୍ଳାର ମୁଗ, ବିରି ଚାଷୀମାନେ ରୋଗରେ ଆକ୍ରାନ୍ତ ହେଉଥିବା ବେଳେ ସରକାର ଏହାର ପ୍ରତିକାର କରୁନାହାନ୍ତି । ଚଳିତ ବର୍ଷ ରବିଧାନ ଚାଷ ଅଦିନିଆ ବର୍ଷା ଯୋଗୁଁ ବିଳମ୍ବରେ ଆରମ୍ଭ ହୋଇଥିବା କାରଣରୁ ଲୁଣାନଦୀରେ ଜଳ ପ୍ରବାହକୁ ମଇ ମାସ ପର୍ଯ୍ୟନ୍ତ ଅବ୍ୟାହତ ରଖିବା ପାଇଁ ସେମାନେ ସରକାରଙ୍କୁ ନିବେଦନ କରିଛନ୍ତି ।