କୁକର୍ମକାରୀକୁ ୨୦ବର୍ଷ କାରାଦଣ୍ଡ
ଯାଜପୁର ଟାଉନ : ନାବାଳିକାକୁ ପ୍ରେମ ଜାଲରେ ଫସାଇ ଅପହରଣ ପରେ ବଳାକ୍ରାର କରିବା ଘଟଣାରେ ଅତିରିକ୍ତ ଜିଲା ଦୌରାଜଜ୍ ତଥା ସ୍ୱତନ୍ତ୍ର ପୋକ୍ସୋ ବିଚାରପତି ଅଭିଜିତ ପଲେଇ ଅଭିଯୁକ୍ତକୁ ୨୦ ବର୍ଷ ସଶ୍ରମ କାରାଦଣ୍ଡ ସହ ୨୦ହଜାର ଟଙ୍କା ଜରିମାନା ରାୟ ପ୍ରକାଶ କରିଛନ୍ତି । ବିବରଣୀରୁ ପ୍ରକାଶ, ଗତ ୨୦୨୨ ମସିହା ଜାନୁଆରୀ ୧୪ ତାରିଖ ଦିନ ଯାଜପୁର ସଦର ଥାନା ଅଂଚଳର ୧୬ ବର୍ଷୀୟା ନାବାଳିକାକୁ ସଂପର୍କୀୟ ଭାଇ ତଥା ବ୍ରହ୍ମବରଦା ଗ୍ରାମର ସୁକଦେବ ରାଉତ ଓରଫ ପିଙ୍କୁ (୨୮) ପ୍ରେମ ଜାଲରେ ଫସାଇ ଅପହରଣ କରି ବିଭିନ୍ନ ସ୍ଥାନକୁ ନେଇ ବାରମ୍ବାର ବଳାକ୍ରାର କରିଥିଲା । ପ୍ରଥମେ ପୁରୀ ଓ ପରେ ସୁରଟରେ ରଖି ବାରମ୍ବାର ବଳାକ୍ରାର କରୁଥିଲା । ପୀଡ଼ିତାଙ୍କ ବାପା ୨୦୨୨ ଜାନୁଆରୀ ୧୪ ତାରିଖ ଦିନ ସନ୍ଦେହ କରି ଅଭିଯୁକ୍ତ ନାମରେ ଯାଜପୁର ସଦର ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଲିଖିତ ଅଭିଯୋଗକୁ ଭିତି କରି ସଦର ଥାନାଧିକାରୀ କେଶ ନଂ. ୧୬/୨୦୨୨, ଦଫା-୩୭୬ (କ,ଖ) ଏବଂ ପୋକ୍ସୋ-୬ ଧାରା ଅନୁଯାୟୀ ମାମଲା ରୁଜୁ କରି ତଦନ୍ତ ଜାରି ରଖିଥିଲେ । ଅଭିଯୁକ୍ତ ଶୁକଦେବକୁ ସୁରଟରୁ ଗିରଫ କରକୋର୍ଟ ଚାଲାଣ କରିଥିବା ବେଳେ ପୀଡ଼ିତାକୁ ଉଦ୍ଧାର କରିଥିଲେ । ଗୁରୁବାର ଏହି ମାମଲାର ଚୁଡାନ୍ତ ଶୁଣାଣି କରି ୮ଜଣ ସାକ୍ଷୀଙ୍କ ସାକ୍ଷ୍ୟ ପ୍ରମାଣକୁ ଭିତି କରି ଅଭିଯୁକ୍ତ ଶୁକଦେବକୁ ୨୦ ବର୍ଷ ସଶ୍ରମ କାରାଦଣ୍ଡ ନିର୍ଦ୍ଦେଶ ସହ ୨୦ହଜାର ଟଙ୍କା ଜରିମାନା ଶୁୁଣାଇଛନ୍ତି । ଏଥି ସହିତ ଜରିମାନା ଅନାଦେୟରେ ୬ମାସ ଅଧିକ କାରାଦଣ୍ଡାଦେଶ ରାୟରେ ପ୍ରକାଶ କରି ପୀଡ଼ିତାକୁ ୧ଲକ୍ଷ ଟଙ୍କାର କ୍ଷତି ପୂରଣ ପ୍ରଦାନ କରିବାକୁ ଆଇନ ସେବା ପ୍ରାଧିକରଣକୁ ନିର୍ଦ୍ଦେଶ ଦେଇଛନ୍ତି । ମାମଲାଟିକୁ ସରକାରଙ୍କ ପକ୍ଷରୁ ସ୍ୱତନ୍ତ୍ର ପବ୍ଲିକ ପ୍ରସିକ୍ୟୁଟର ରାଜୀବ ମହାନ୍ତି ପରିଚାଳାନା କରିଥିଲେ । ଶୁଣାଣି ସମୟରେ ହଠାତ୍ ଅଭିଯୁକ୍ତ ଶୁକଦେବ ଓ ତାଙ୍କର ଜଣେ ଭଉଣୀ ଅସୁସ୍ଥ ହୋଇ ଅଚେତ ହୋଇ ପଡ଼ିବାରୁ ତାଙ୍କୁ ତୁରନ୍ତ ଯାଜପୁର ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରାଯାଇଥିଲା ।