ମୁଖ୍ୟରାସ୍ତା ପାଲଟିଛି ବୁଲା ଗୋରୁଙ୍କ ଆଡ୍ଡାସ୍ଥଳୀ
କାକଟପୁର : ପୁରୀଜିଲ୍ଲା କାକଟପୁର ମୁଖ୍ୟରାସ୍ତାରେ ଯେଉଁଠି ଦେଖିବ ସେଠି ଗୋରୁ ମାଳ ମାଳ । ରାଜରାସ୍ତା ପାଲଟିଛି ଗୋରୁଗାଈଙ୍କ ଆଶ୍ରୟସ୍ଥଳୀ । କାକଟପୁର ମୁଖ୍ୟ ରାସ୍ତା ସମେତ ଗ୍ରାମ୍ୟ ରାସ୍ତା ସବୁଠି ଗୋରୁ ଗାଈଙ୍କ ୌରାତ୍ମ୍ୟ । ଏହି ସବୁ ରାସ୍ତାରେ ପ୍ରତିଦିନ ଶହଶହ ଗାଡି ଯାତାୟତ କରୁଛି । ହେଲେ ଏହି ସବୁ ଯାତାୟାତରେ ବାଧକ ଖୋଲାରେ ବୁଲୁଥିବା ଗୋରୁ । ଗୋରୁଙ୍କ ପାଇଁ ଗୁହାଳ ଘର ନଥିବାବେଳେ ମାଲିକ ମାନେ ରାଜରାସ୍ତାରେ ଖୋଲା ଛାଡି ଦେଉଛନ୍ତି । ତା ସହିତ ନିଅଣ୍ଟ ହୋଇପଡିଛି ଚାରଣ ଭୂଇଁ । ଯାହାଫଳରେ ଗୋରୁଗାଈ ରାଜରାସ୍ତାରେ ବୁଲିବା ସହିତ ରାସ୍ତାରେ ନେଉଛନ୍ତି ଆଶ୍ରୟ । ଯେଉଁଥିପାଇଁ ଦୁର୍ଘଟଣା ଏଠି ସାଧାରଣ ପାଲଟିଛି । କାକଟପୁର ବ୍ଲକ୍ର ଅନେକ ସ୍ଥାନ ଏବେ ଗୋରୁଙ୍କ ଆଶ୍ରୟସ୍ଥଳୀ ପାଲଟିଛି । ନୂଆ ବସଷ୍ଟାଣ୍ଡରୁ ନେଇ, ବ୍ଲକ ଛକ, କଲେଜ ଛକ ଏବଂ ମୁଖ୍ୟ ବଜାର ନେଇ କାକଟପୁରରୁ ଅସ୍ତରଙ୍ଗ ଯିବା ରାସ୍ତାରେ ସବୁ ସ୍ଥାନରେ ମାଳ ମାଳ ଗାଈ ଗୋରୁ ବୁଲୁଛନ୍ତି । ଏହି ସମସ୍ୟା ନେଇ ବହୁବାର ଅଭିଯୋଗ ହୋଇଛି । ହେଲେ ଅଭିଯୋଗ ପ୍ରତି କାହାର ନଜର ନାହିଁ । ବୁଲା ଗୋରୁଗାଈ ଯୋଗୁ ପ୍ରତିଦିନ ଘଟୁଛି ଦୁର୍ଘଟଣା, ଏପରିକି ଯାତାୟତରେ ବି ସମସ୍ୟା ଉପୁଜୁଛି । ଏଥିପ୍ରତି ଗୁରୁତ୍ୱ ଦିଆଯାଇ ପ୍ରତ୍ୟେକ ବୁଲା ଗୋରୁ ଗାଈ ଏବଂ ଷଣ୍ଢଙ୍କ କାନରେ ସ୍ଥାନୀୟ ପ୍ରଶାସନ ପକ୍ଷରୁ ରେଡିଅମ୍ ଲାଇଟ ଲଗାଇବାକୁ ସାଧାରଣରେ ଦାବି ହୋଇଛି ।