ଦୁଇ ଥାନାର ୪ ଜଣ ଅଭିଯୁକ୍ତଙ୍କୁ ସଜ୍ଜା

ଦୁଇ ଥାନାର ୪ ଜଣ ଅଭିଯୁକ୍ତଙ୍କୁ ସଜ୍ଜା
ଦୁଇ ଥାନାର ୪ ଜଣ ଅଭିଯୁକ୍ତଙ୍କୁ ସଜ୍ଜା

  • ଭୁବନେଶ୍ୱର, ୨୮ା୮ : ମୋବାଇଲ ଚୋରି ଓ ଘରୁ ଚୋରି ମାମଲାରେ ଦୁଇ ଥାନାର ୪ ଜଣ ଲୁଟେରାଙ୍କୁ ସଜ୍ଜା । ୩ ଜଣ ଅଭିଯୁକ୍ତ କ୍ୟାପିଟାଲ ଥାନାର ହୋଇଥିବା ବେଳେ ଅନ୍ୟ ଜଣେ ଅଭିଯୁକ୍ତ ଖଣ୍ଡଗିରି ଥାନାର ।
    ସୂଚନା ଯୋଗ୍ୟଯେ, ଭୁବନେଶ୍ୱର ଏସଡିଜେଏମ୍ କୋର୍ଟର ବିଚାରପତି ସୌମ୍ୟରଞ୍ଜନ ନାୟକ ଗତ ୨୦୨୩ ମସିହା ଜାନୁଆରୀ ମାସରେ କ୍ୟାପିଟାଲ ଥାନା ଅଞ୍ଚଳରେ ଘଟିଥିବା ଏକ ତାଲା ଭାଙ୍ଗି ଘରୁ ଚୋରି ମାମଲାର ବିଚାର କରି ଅଭିଯୁକ୍ତ ସୁକାନ୍ତ ନାୟକ, ମିଲୁ ବେହେରା ଏବଂ ଗଙ୍ଗା ରେଡ୍ଡୀକୁ ସଜ୍ଜା ଶୁଣାଇଛନ୍ତି । ଅଭିଯୋଗକାରୀ ପୂର୍ଣ୍ଣଚନ୍ଦ୍ର ବେହେରା ଯିଏକି କ୍ୱାଟର ନମ୍ବର ଆଇଭିଆର ୩୪୮ ଗଙ୍ଗନଗର ଇଉନିଟ୍-୬ ଭୁବନେଶ୍ୱରରେ ରୁହନ୍ତି । ଘଟଣା ଦିନ ତା ୧.୧.୨୦୨୩ ଦିନ ପ୍ରାୟ ୧୦ଟା ସମୟରେ ବାହାର କାମ ସାରି ଘରକୁ ଫେରିଲା ସମୟରେ ଦେଖିଲେ ତାଙ୍କ ଘରର ତାଲା ଭାଙ୍ଗି କେହି ତାଙ୍କର ବାଇକ, ଏଲଇଡ଼ି ଟିଭି, ଗ୍ୟାସ ସିଲିଣ୍ଡର ଏବଂ ବହୁ ଗୁରୁତ୍ୱପୂର୍ଣ୍ଣ ସାମଗ୍ରୀ ନେଇଯାଇଛି । ଏନେଇ ସେ କ୍ୟାପିଟାଲ ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ପରେ ପୁଲିସ ମାମଲା ରୁଜୁକରି ଏଏସଆଇ ଦୀପକ କୁମାର ନାୟକଙ୍କୁ ମାମଲା ହସ୍ତାନ୍ତର କରାଯାଇଥିଲା । ଶ୍ରୀ ନାୟକ ମାମଲାର ସଠିକ ତଦନ୍ତ କରି ୩ ଜଣ ଲୁଟେରାଙ୍କୁ ଗିରଫ କରିବା ସହ କୋର୍ଟ ଚାଲାଣ କରି ସଠିକ ସମୟରେ ଚାର୍ଜ ସିଟ୍ ଦାଖଲ କରିଥିଲେ । ଉପରୋକ୍ତ ମାମଲାର ବିଚାର କରି ଅଦାଲତ ସାକ୍ଷୀ ଓ ପ୍ରଯୁଜ୍ୟ ଦସ୍ତାବିଜ୍ ଗୁଡ଼ିକୁ ଆଧାର କରି ଅଭିଯୁକ୍ତ ସୁକାନ୍ତ, ମିଲୁ ଓ ଗଙ୍ଗାକୁ ୨ ବର୍ଷ ଲେଖାଁଏ କାରାଦଣ୍ଡ ଆଦେଶ ଦେଇଛନ୍ତି । ଏହି ମାମଲାକୁ ସରକାରଙ୍କ ତରଫରୁ  ସହକାରୀ ପବ୍ଲିକ୍ ପ୍ରୋସିକୁ୍ୟଟର ରାକେଶ ପୋଥାଲ ଏବଂ ସହକାରୀ ପବ୍ଲିକ୍ ପ୍ରୋସିକୁ୍ୟଟର ଅନ୍ସର ଅଲି ପରିଚାଳନା କରିଥିଲେ । ଏହି ମାମଲାରେ ଅଭିଯୁକ୍ତ ରାଜା ମଲ୍ଲୀକ ଜାମିନ ପାଇଁ ଅଦାଲତରେ ହାଜର ନହେବାରୁ ତାଙ୍କ ବିରୁଦ୍ଧରେ ବିଚାର ପ୍ରକ୍ରିୟାକୁ ସ୍ଥଗିତ ରଖାଯାଇଛି । ପୂର୍ବରୁ ଅଭିଯୁକ୍ତ ମାନଙ୍କୁ କ୍ୟାପିଟାଲ ଥାନା କେସ ନମ୍ବର ୨୬/୨୦୨୩ରେ ଅଦାଲତ ସେମାନଙ୍କୁ ଦୋଶୀ ସାବ୍ୟସ୍ତ କରି ୫ ବର୍ଷ ଲେଖାଁଏ ସଜ୍ଜା ଶୁଣାଇଛନ୍ତି । ଏହି ପେଷାଦାର ଅପରାଧିଙ୍କ ନାମରେ ଆହୁରି ଅନେକ ଅପରାଧିକ ମାମଲା ରହିଛି ।
     ସେହିପରି ପ୍ରଥମ ଶ୍ରେଣୀ ବିଚାର ବିଭାଗ ଅଦାଲତ-୫ର ବିଚାରପତି ଇତିଶ୍ରୀ ମହାପାତ୍ର ଗତ ୨୦୨୩ ମସିହା ମଇ ମାସରେ ଖଣ୍ଡଗିରି ଥାନା  ଅଞ୍ଚଳରେ ଘଟିଥିବା ଏକ ମୋବାଇଲ ଚୋରି ମାମଲାର ବିଚାର କରି ଅଭିଯୁକ୍ତ ଦାଶରଥି ଦଳାଇକୁ ସଜ୍ଜା ଶୁଣାଇଛନ୍ତି । ଅଭିଯୋଗକାରୀ କୁଂଜ ନାୟକ ଶ୍ରମିକ ଭାବେ ଗଣ୍ଡମୁଣ୍ଡା ଅଞ୍ଚଳରେ ଥିବା ଏକ ନିର୍ମାଣଧୀନ ଘରେ କାର୍ଯ୍ୟ କରୁଥିଲେ । ସେ ଗତ ୧୬.୫.୨୦୨୩ ରିଖ ରାତ୍ରୀ ସମୟରେ ସୋଇଥିବା ବେଳେ ତାଙ୍କ ମୋବାଇଲ ଚୋରି ହୋଇଯାଇଥିଲା । ଏନେଇ ସେ ଖଣ୍ଡଗିରି ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ପରେ ପୁଲିସ ମାମଲା ରୁଜୁକରି ଥାନାର ଏଏସଆଇ ଦେବଦତ୍ତ ସାମନ୍ତରାୟଙ୍କୁ ମାମଲା ଟି ହସ୍ତାନ୍ତର କରାଯାଇଥିଲା । ପରେ ଶ୍ରୀ ସାମନ୍ତରାୟ ସଠିକ ଭାବେ ତଦନ୍ତ ଚଳାଇ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିବା ସହ ଠିକ ସମୟରେ ଚାର୍ଜ ସିଟ୍ ଦାଖଲ କରିଥିଲେ । ଉପରୋକ୍ତ ମାମଲାର ବିଚାର କରି ଅଦାଲତ ସାକ୍ଷୀ ଓ ପ୍ରଯୁଜ୍ୟ ଦସ୍ତାବିଜ୍ ଗୁଡ଼ିକୁ ଆଧାର କରି ଅଭିଯୁକ୍ତ ଦାଶରଥି ଦଳାଇକୁ ୧୦ ମାସର କାରାଦଣ୍ଡାଦେଶ ଦେଇଛନ୍ତି । ଏହି ମାମଲାକୁ ସରକାରଙ୍କ ତରଫରୁ ସହକାରୀ ପବ୍ଲିକ୍ ପ୍ରୋସିକୁ୍ୟଟର ନିରଞ୍ଜନ ବେହେରା ପରିଚାଳନା କରିଥିଲେ । ଅଭିଯୁକ୍ତ ଦାଶରଥି ନାମରେ ପୂର୍ବରୁ ମଧ୍ୟ ବହୁ ମାମଲା ରହିଛି ।