ପତ୍ନୀଙ୍କୁ ଆନେସ୍ତେସିଆ ଦେଇ ହତ୍ୟା ଘଟଣା


ଅଭିଯୁକ୍ତଙ୍କୁ ରିମାଣ୍ଡରେ ନେଇ ସିନ ରିକ୍ରିଏସନ କଲା ପୁଲିସ
ଫାଶୀ ଦେବାକୁ ଦାବି କଲେ ପରିବାର ଲୋକେ
ଭୁବନେଶ୍ୱର, ୬ା୧୧ : ପତ୍ନୀଙ୍କୁ ଆନେସ୍ତେସିଆ ଦେଇ ହତ୍ୟା ମାମଲାରେ ଭରତପୁର ଥାନା ପୁଲିସ ବୁଧବାର ଅଭିଯୁକ୍ତ ପ୍ରଦୁମ୍ନଙ୍କୁ ରିମାଣ୍ଡରେ ଆଣି ସିନ ରିକ୍ରିସଏସନ କରାଇଛି । ପ୍ରଦୁମ୍ନ ଶାଁପୁର ସ୍ଥିତ ଭଡ଼ା ଘରେ କିପରି ପତ୍ନୀ ଶୁଭଶ୍ରୀଙ୍କୁ ଡାକି ଆଣି ତାଙ୍କୁ ତାଙ୍କର ଅନ୍ୟ ଦୁଇ ବାନ୍ଧବୀ ରୋଜି ପାତ୍ର ଏବଂ ଇଜିତା ଭୂୟାଁଙ୍କ ସହ ମିଶି ଆନେସ୍ତେସିଆ ଦେଇ ହତ୍ୟା କରିଥିଲା ତାହାର ଡେମୋ ପୁଲିସକୁ ଦେଖାଇଥିଲା ମୁଖ୍ୟ ଅଭିଯୁକ୍ତ । ଅନ୍ୟପକ୍ଷରେ ଘଟଣାସ୍ଥଳରେ ଉପସ୍ଥିତ ଥିବା ଶୁଭଶ୍ରୀଙ୍କ ମାମୁଁ ଏହି ନାରକୀୟକାଣ୍ଡ ପାଇଁ ଅଭିଯୁକ୍ତମାନଙ୍କୁ ଫାଶୀ ଦଣ୍ଡରେ ଦଣ୍ଡିତ କରିବାକୁ ଗଣମାଧ୍ୟମ ସମ୍ମୁଖରେ ଭୋଭୋ ହୋଇ କାନ୍ଦି କହିଛନ୍ତି ।
 ସୂଚନା ଅନୁଯାୟୀ, ୨୦୨୦ ମସିହାରେ ଅଭିଯୁକ୍ତ ପ୍ରଦୁମ୍ନ ପରମ୍ପରା ରୀତିରେ ଶୁଭଶ୍ରୀ ନାୟକଙ୍କୁ ବିବାହ କରିଥିଲେ । ବିବାହର କିଛିଦିନ ପରେ ଉଭୟଙ୍କ ମଧ୍ୟରେ ପାରିବାରିକ ଗଣ୍ଡଗୋଳ ଆରମ୍ଭ ହୋଇଥିଲା । ଯେଉଁ କାରଣରୁ ଶୁଭଶ୍ରୀ ବିଭିନ୍ନ ସମୟରେ ତାଙ୍କ ବାପଘରେ ରହିବାକୁ ପସନ୍ଦ କରୁଥିଲେ । ଶୁଭଶ୍ରୀ ବାପ ଘରକୁ ପଳାଇବାରୁ ପ୍ରଦୁମ୍ନଙ୍କ ରାଗ ଆହୁରି ବଢ଼ି ଯାଇଥିଲା । ସେ ଶୁଭଶ୍ରୀଙ୍କୁ ସବୁଦିନ ଲାଗି ରାସ୍ତାରୁ ହଟାଇ ଦେବାକୁ ଯୋଜନା କରିଥିଲେ । ଏଥିପାଇଁ ସ୍ୱତନ୍ତ୍ର ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିବା ସହ ଶୁଭଶ୍ରୀଙ୍କୁ କେଉଁଭଳି ସହଜ ଉପାୟରେ ହତ୍ୟା କରାଯିବ ସେ ନେଇ ଯୋଜନା କରୁଥିଲେ । ଯେହେତୁ ପ୍ରଦୁମ୍ନ ନିଜେ ଜଣେ ଫାର୍ମାସିଟିକାଲ ଛାତ୍ର ଥିଲେ ତେଣୁ ଆନେସ୍ତେସିଆର ଡୋଜ ଅଧିକ ଦେଲେ ହିଁ ଜଣେ ବ୍ୟକ୍ତିର ହୃଦଘାତରେ ମୃତୁ୍ୟ ହେବ ବୋଲି ଜାଣିଥିଲେ । ତେଣୁ ଏହି ଉପାୟରେ ହିଁ ଶୁଭଶ୍ରୀଙ୍କୁ ହତ୍ୟା କରିବାକୁ ସେ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଥିଲେ । ତେବେ ଏହି କାର୍ଯ୍ୟରେ ତାଙ୍କୁ ସହଯୋଗ କରିବାକୁ ସେଭଳି କେହି ମିଳୁନଥିଲେ । ଫଳରେ ୨୦୨୩ ମସିହା ମାର୍ଚ୍ଚ ମାସରେ ଘରୋଇ ହସ୍ପିଟାଲରେ ନର୍ସ ଭାବେ କାମ କରୁଥିବା ଇଜିତ ଭୂୟାଁଙ୍କ ସହ ଯୋଗାଯୋଗ କରିପାରିଥିଲେ । ପରେ ଇଜିତଙ୍କ ସହ ପ୍ରଦୁ୍ୟମ୍ନଙ୍କ ସମ୍ପର୍କ ବଢ଼ାଇବା ସହ ନିଜ ପତ୍ନୀଙ୍କ ବ୍ୟବହାରରେ ସେ ଅତିଷ୍ଠ ଥିବା ଏବଂ ଏଥିରେ ତାଙ୍କୁ ସହଯୋଗ କରିବାକୁ ଅନୁରୋଧ କରିଥିଲେ । ପରେ ୨୦୨୪ ମସିହାରେ ଅନ୍ୟଏକ ଘରୋଇ ହସ୍ପିଟାଲରେ କାର୍ଯ୍ୟ କରୁଥିବା ରୋଜି ନାମକ ଜଣେ ନର୍ସଙ୍କ ସହ ମଧ୍ୟ ସମ୍ପର୍କ ସ୍ଥାପନ କରିବାରେ ପ୍ରଦ୍ନୁମ ସଫଳ ହୋଇଥିଲେ । ଫଳରେ ଉଭୟ ଯୁବତୀଙ୍କ ସହାୟତାରେ ଘଟଣା ଦିନ ଶୁଭଶ୍ରୀଙ୍କୁ ବହୁ ବୁଝାସୁଝା କରି ରୋଜି ରହୁଥିବା ଶାଁପୁର ସ୍ଥିତ ଭଡ଼ା ଘରକୁ ଡାକିଥିଲେ । ପରେ ସେଠାରେ ହିଁ ୩ ଜଣ ମିଳିତ ଭାବେ ଶୁଭଶ୍ରୀଙ୍କୁ କାବୁ କରି ପ୍ରଥମେ ତାଙ୍କ ଜଘଂରେ ଆନେସ୍ତେସିଆ ଦେଇ ଅଚେତ କରିବା ପରେ ଶରୀରର ଅନ୍ୟସ୍ଥାନରେ ଆନେସ୍ତେସିଆ ଦେବାରୁ ତାଙ୍କର ହୃଦଘାତରେ ମୃତୁ୍ୟ ହୋଇଥିଲା । ପରେ ଏହାକୁ ଏକ ସ୍ୱାଭାବିକ ମୃତୁ୍ୟ ଦର୍ଶାଇବାକୁ ଯାଇ ନିଜେ ପ୍ରଦୁ୍ୟମ୍ନ ନିଜେ ହିଁ ଶୁଭଶ୍ରୀଙ୍କୁ ଡାକ୍ତରଖାନାରେ ଭର୍ତ୍ତୀ କରିଥିଲେ । ତେବେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିବା ପରେ ଶବ ବ୍ୟବଚ୍ଛେଦ କରାଯିବାରୁ ଅତ୍ୟଧିକ ଆନେସ୍ତେସିଆର ପ୍ରଭାବରୁ ଶୁଭଶ୍ରୀଙ୍କ ମୃତୁ୍ୟ ହୋଇଥିବା ଜଣାପଡ଼ିଥିଲା ।