କଲଭଟ୍ ଡେଇଁ ଟାଟାଏସିକୁ ଧକ୍କାଦେଲା କାର; ୨ ମୃତ

ଭୁବନେଶ୍ୱର, ୧୩ ।୧ : ଇନଫୋଭ୍ୟାଲି ଥାନା ଅଧିନ ଯାଆଁଳା ଛକରେ ଘଟିଛି ମର୍ମନ୍ତୁଦ ସଡ଼କ ଦୃର୍ଘଟଣା । ଖୋର୍ଦ୍ଧା ଦିଗରୁ ଭୁବନେଶ୍ୱର ଆସୁଥିବା ଏକ କ୍ରେଟା କାର ଦୃତଗତିରେ ଆସି କଲଭଟ୍ ଡେଇଁ ଭୁବନେଶ୍ୱରରୁ ଖୋର୍ଦ୍ଧା ଦିଗକୁ ଯାଉଥିବା ଏକ ଟାଟାଏସି ଗାଡିକୁ ଧକ୍କା ଦେଇଥିଲା । ଏହି ଦୃର୍ଘଟଣାରେ ଟାଟାଏସିରେ ଥିବା ଡ୍ରାଇଭର ଓ ଜଣେ ଲୋକଙ୍କ ମୃତୁ୍ୟ ଘଟିଥିବା ବେଳେ, କାର ଚଳାଉଥିବା ଜଣେ ମହିଳା ଓ ୨ ଜଣ ଲୋକ ଗୁରୁତର ଆହତ ହୋଇ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ମୃତ ଦୁଇଜଣ ହେଲେ, ନୟାଗଡ଼ ଜିଲ୍ଲା ଜଗଙ୍ଗି ସାହି ତ୍ରିନାଥ ମନ୍ଦିର ନିକଟର ହରେନ୍ଦ୍ର ସିଂ । ଏଠାରେ ସେ ଲକ୍ଷ୍ମୀସାଗର ଥାନା ଅଞ୍ଚଳରେ ରହିଆସୁଥିଲେ । ଅନ୍ୟ ଜଣେ ମୃତକଙ୍କ ଏବେ ପର୍ଯ୍ୟନ୍ତ ପରିଚୟ ମିଳିପାରିନଥିବା ବେଳେ ମଙ୍ଗଳବାର ଜଣାପଡ଼ିବ ବୋଲି ଇନଫୋଭ୍ୟାଲି ଥାନା ଅଧିକାରୀ ସୂଚନା ଦେଇଛନ୍ତି । 
 ସୂଚନାଯୋଗ୍ୟ ଯେ, ସୋମବାର ଦିନ ମଧ୍ୟାହ୍ନ ୩ ଟାରୁ ୩.୩୦ ସମୟରେ ଖୋର୍ଦ୍ଧା ଦିଗରୁ ଆସୁଥିବା ଏକ ଓଡ଼ି୦୨ସିଜେ-୭୫୬୫ ନମ୍ବର ଥିବା ଏକ କ୍ରେଟା କାର ଦୃତଗତିରେ ଆସି ଯାଆଁଳା ଛକ ନିକଟରେ ହଠାତ କଲଭଟକୁ ଡେଇ ଭୁବନେଶ୍ୱର ଆଡ଼ୁ ଖୋର୍ଦ୍ଧା ଦିଗକୁ ଆସୁଥିବା ଏକ ଟାଟାଏସି ଗାଡିକୁ ଧକ୍କା ଦେଇଥିଲା । ଫଳରେ ଉଭୟ ଗାଡିର ୫ ଜଣ ଆହତ ହେବା ସହ ଟାଟାଏସି ଗାଡିରେ ଥିବା ଡ୍ରାଇଭର ଓ ଜଣେ ଲୋକଙ୍କ ମୃତୁ୍ୟ ହୋଇଥିବା ଜଣାପଡ଼ିଛି । ଖବର ପାଇ ଯାଆଁଳା ଫାଣ୍ଡି ପୁଲିସ ଓ ପିସିଆର ଭ୍ୟାନ୍ ଘଟଣା ସ୍ଥଳରେ ପହଞ୍ଚି ସମସ୍ତଙ୍କୁ ଉଦ୍ଧାର କରି ନିକଟସ୍ଥ ଏମସ୍ ହସ୍ପିଟାଲକୁ ପଠାଯାଇଥିଲା । ହେଲେ ସେଠାରେ ଡାକ୍ତର ୨ ଜଣଙ୍କୁ ଚିକିସ୍ଥାଧିନ ଅବସ୍ଥାରେ ମୃତ ଘୋଷଣା କରିଛନ୍ତି ।