ଡିଜିପି ସମ୍ମିଳନୀ ପାଇଁ ଲୋକସେବା ଭବନରେ କଟକଣା

କେବଳ ମନ୍ତ୍ରୀ-ସଚିବଙ୍କ କାରକୁ ମିଳିବ ପାର୍କିଂ ଅନୁମତି
ଭୁବନେଶ୍ୱର, ୨୭ା୧୧ : ପୁଲିସ ଡିଜି ସମ୍ମିଳନୀ ପାଇଁ ବୁଧବାରଠୁ ଲୋକସେବା ଭବନରେ ବିଭିନ୍ନ କଟକଣା ଜାରି ହୋଇଛି । ପାର୍କିଂ ପାଇଁ ଆବଶ୍ୟକ ଗାଇଡଲାଇନ୍ ଜାରି କଲେ ଗୃହ ବିଭାଗର ସ୍ୱତନ୍ତ୍ର ସଚିବ ଆର୍.କେ ଶର୍ମା । ଓଡିଶାରେ ପ୍ରଥମଥର ପାଇଁ ଅନୁଷ୍ଠିତ ହେଉଥିବା ପୁଲିସ ଡିଜି ସମ୍ମିଳନୀ ପାଇଁ ରାଜ୍ୟ ସରକାର କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରିଛନ୍ତି । ଲୋକସେବା ଭବନର କନଭେନସନ୍ ହଲରେ ଚଳିତମାସ ୨୯ରୁ ଡିସେମ୍ବର ୧ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଡିଜି କନଫରେନ୍ସ ପାଇଁ ବୁଧବାର ଠାରୁ ଲୋକସେବା ଭବନରେ ବିଭିନ୍ନ କଟକଣା ଜାରି ପାଇଁ ନିଷ୍ପତ୍ତି ହୋଇଛି । ମନ୍ତ୍ରୀ ଓ ବିଭାଗୀୟ ସଚିବଙ୍କ କାର ବ୍ୟତୀତ ଅନ୍ୟ କୌଣସି ବରିଷ୍ଠ ଅଫିସରଙ୍କ କାରକୁ ଲୋକସେବା ଭବନରେ ପାର୍କିଂ ପାଇଁ ଅନୁମତି ମିଳିବ ନାହିଁ । ସେହିପରି ଲୋକସେବା ଭବନର କର୍ମଚାରୀମାନେ ନିଜର ଆଇ-କାର୍ଡ ପାଖରେ ରଖିବା ସହ ଅଯଥାରେ ବୁଲାବୁଲି ନକରି ନିଜ ସିଟରେ ବସି ରହିବାକୁ ନିଦେ୍ର୍ଦଶ ଦିଆଯାଇଛି । ଗୃହ ବିଭାଗର ସ୍ୱତନ୍ତ୍ର ସଚିବ ଆର୍.କେ ଶର୍ମା ସମସ୍ତ ବିଭାଗକୁ ଚିଠି ଲେଖି ପୁଲିସ ଡିଜି ସମ୍ମିଳନୀ ପାଇଁ ଲୋକସେବା ଭବନରେ ପାର୍କିଂ ପାଇଁ ଆବଶ୍ୟକ ଗାଇଡଲାଇନ୍ ଜାରି କରିଛନ୍ତି । ଏହି ସମ୍ମିଳନୀକୁ ପ୍ରଧାନମନ୍ତ୍ରୀ, କେନ୍ଦ୍ର ସ୍ୱରାଷ୍ଟ୍ରମନ୍ତ୍ରୀ ଓ ସମସ୍ତ ରାଜ୍ୟର ପୁଲିସ ଡିଜିଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଆସିବାର କାର୍ଯ୍ୟକ୍ରମ ଥିବାରୁ ଆସନ୍ତାକାଲି ଅର୍ଥାତ୍ ନଭେମ୍ବର ୨୭ରୁ ଡିସେମ୍ବର ୧ତାରିଖ ପର୍ଯ୍ୟନ୍ତ କଡାକଡି ଭାବେ ଗାଇଡଲାଇନ୍ ପାଳନ ପାଇଁ କର୍ମଚାରୀମାନଙ୍କୁ ନିଦେ୍ର୍ଦଶ ଦିଆଯାଇଛି ।
 ଆସନ୍ତା ଡିସେମ୍ବର ୧ ତାରିଖ ପର୍ଯ୍ୟନ୍ତ ଲୋକସେବା ଭବନର ୧, ୨ ଓ ୫ନମ୍ବର ଗେଟ୍ ଦେଇ ଯାତାୟତର ଅନୁମତି ମିଳିବ । ୪ ଓ ୬ ନମ୍ବର ଗେଟ୍ ଦେଇ ପ୍ରବେଶ ଉପରେ ସମ୍ପୂର୍ଣ୍ଣ କଟକଣା ଜାରି ହୋଇଛି । ଲୋକସେବା ଭବନର କର୍ମଚାରୀମାନେ ନିଜର ଦୁଇଚକିଆ ଗାଡିକୁ ସ୍କୁଲ-ଗଣଶିକ୍ଷା ବିଭାଗ,ଉଚଶିକ୍ଷା ବିଭାଗ, ଷ୍ଟେଟବ୍ୟାଙ୍କ ଶାଖା,କ୍ୟାଣ୍ଟିନ ସମ୍ମୁଖ ଦେଇ ଗେଟ୍ ନମ୍ବର ୫ ଓ ୩ ମଧ୍ୟରେ ଥିବା ପାର୍କିଂ ସ୍ଥଳୀରେ ରଖିବେ । ଏହାସହ ଅର୍ଥ ବିଭାଗର ପଛପଟରେ ଥିବା ଡ୍ରାଇଭରଙ୍କ ବିଶ୍ରାମସ୍ଥଳୀ ପାଖରେ ମଧ୍ୟ ଗାଡି ପାର୍କିଂ କରିହେବ । ସେହିପରି ମୁଖ୍ୟମନ୍ତ୍ରୀ, ସମସ୍ତ ମନ୍ତ୍ରୀ, ମୁଖ୍ୟ ସଚିବ, ଉନ୍ନୟନ କମିଶନର ଓ ସମସ୍ତ ବିଭାଗର ସଚିବମାନଙ୍କ କାର କେବଳ ସେମାନଙ୍କର ନିର୍ଦ୍ଧାରିତ ସ୍ଥାନରେ ପାର୍କିଂ କରିପାରିବେ । ସ୍ୱତନ୍ତ୍ର ସଚିବଠୁ ଆରମ୍ଭ କରି ଅନୁସଚିବ ପର୍ଯ୍ୟନ୍ତ ପାହ୍ୟାର ଅଫିସରମାନଙ୍କୁ ଲୋକସେବା ଭବନରେ ଛାଡି ସେମାନଙ୍କୁ ଆବଂଟିତ କାରଗୁଡିକ ଓଏସଆରଟିସି ଅଫିସ୍ ପାଖ ଓ ଆଇଜି ପାର୍କ ପଛପଟ ରାସ୍ତାରେ ପାର୍କିଂ କରିବାକୁ କୁହାଯାଇଛି  । ଭିଭିଆଇପିଙ୍କ ଯାତାୟତକୁ ଦୃଷ୍ଟିରେ ରଖି ଟ୍ରାଫିକ ଜାମ୍ ସମସ୍ୟା ଏଡାଇବାକୁ କର୍ମଚାରୀମାନେ ନିର୍ଦ୍ଧାରିତ ସମୟରେ ଅଫିସ୍ ଆସିବାକୁ ଗୃହ ବିଭାଗ ପରାମର୍ଶ ଦେଇଛି । ସେହିପରି ଲୋକସେବା ଭବନର ଗେଟ୍ ନମ୍ବର ୪ ଓ ୬ରେ ଯାତାୟତ ସମ୍ପୂର୍ଣ୍ଣ ବନ୍ଦ ରହିବ । ପଂଚାୟତିରାଜ ବିଭାଗ ଚାରିପାର୍ଶ୍ୱ ଓ ଲନରେ ଗାଡି ପାର୍କିଂ ମନା କରାଯାଇଛି । ଏପରିକି ଗେଟ୍ ନମ୍ବର ୪ ଓ ୟୁକୋ ବ୍ୟାଙ୍କକୁ ସଂଯୋଗ କରୁଥିବା ରାସ୍ତା ସମେତ ଗୃହ ଓ ଅର୍ଥ ବିଭାଗର ପାର୍କିଂ ଏରିଆରେ ମଧ୍ୟ ଗାଡି ପାର୍କିଂ ଉପରେ କଟକଣା ଜାରି ହୋଇଛି । ସୁରକ୍ଷା ଦୃଷ୍ଟିରୁ କର୍ମଚାରୀମାନେ ବୈଠକସ୍ଥଳ ପାଖାପାଖି ବୁଲାବୁଲି ନକରିବାକୁ ପରାମର୍ଶ ଦିଆଯାଇଛି । ଏହି ଦିନଗୁଡିକରେ ଲୋକସେବା ଭବନରେ ପ୍ରବେଶ ପାଇଁ କୌଣସି ବ୍ୟକ୍ତିଙ୍କୁ ଦିନିକିଆ ଅବା ଅସ୍ଥାୟୀ ପାସ୍ ଦିଆଯିବ ନାହିଁ । ଲୋକସେବା ଭବନରେ କୌଣସି ପ୍ରକାରର ବାହାର କର୍ମଚାରୀମାନଙ୍କୁ ନେଇ ବିଭାଗୀୟ ବୈଠକକୁ ମଧ୍ୟ ବାରଣ କରାଯାଇଛି । ଆବଶ୍ୟକ ଥିଲେ ଭର୍ଚୁଆଲ ମୋଡରେ ବୈଠକ କରିବା ପାଇଁ ଗୃହ ବିଭାଗ ଗାଇଡଲାଇନ୍ ଜାରି କରିଛି ।
ସୂଚନାଯୋଗ୍ୟ, ପୁଲିସ ଡିଜିପି ସମ୍ମିଳନୀରେ ସାମିଲ ହେବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଗୃହମନ୍ତ୍ରୀ ଅମିତ୍ ଶାହଙ୍କ ସମେତ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ୍ ଡୋଭାଲ ଓ ଅନ୍ୟ ବିଶିଷ୍ଟ ବ୍ୟକ୍ତିମାନେ ୩ଦିନ ଧରି ଭୁବନେଶ୍ୱରରେ ରହିବାର କାର୍ଯ୍ୟକ୍ରମ ଚୂଡାନ୍ତ ହୋଇଛି ।