‘ଦୁର୍ନୀତି ଠାରୁ ଲକ୍ଷେ କୋଷ ଦୂରରେ ରୁହ’

‘ଦୁର୍ନୀତି ଠାରୁ ଲକ୍ଷେ କୋଷ ଦୂରରେ ରୁହ’
  • ମୁଖ୍ୟମନ୍ତ୍ରୀ ଆଡିବନ୍ଧ ଯୋଜନା-୩.୦ ଲୋକାର୍ପିତ
  • ୨୪୮୮ କୋଟିର ଜଳସେଚନ ପ୍ରକଳ୍ପର ଶୁଭାରମ୍ଭ 
  • ୩ ବିଭାଗରେ ନିଯୁକ୍ତି ପାଇଲେ ୫୯୧
  • ୧୮ ମାସରେ ୩୭,୯୧୬ ସରକାରୀ ନିଯୁକ୍ତି
  • ୫ ବର୍ଷରେ ପୂରଣ ହେବ ସବୁ ଖାଲି ପଦବୀ 
  • ଭିତ୍ତିଭୂମି ନିର୍ମାଣରେ ଆନ୍ଦୋଳନ ହେବାକୁ ଯାଉଛି : ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ଯିଏ ଯେଉଁ ପଦବୀରେ ବି ଅବସ୍ଥାପିତ ଥାଆନ୍ତୁନା କାହିଁକି, ସରକାରୀ ଚାକିରୀକୁ ସବୁବେଳେ ଜନସେବା ଭାବେ ମନେକରିବେ । ସରକାରୀ ଚାକିରି ମିଳିଯିବା ପରେ କେବେହେଲେ କାର୍ଯ୍ୟରେ ଅବହେଳା କରିବେ ନାହିଁ । ଦୁର୍ନୀତି ଠାରୁ ଲକ୍ଷେ କୋଷ ଦୂରରେ ରୁହନ୍ତୁ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଓୟୁଏଟି ସ୍ଥିତ କୃଷି ଶିକ୍ଷା ସଦନ ଠାରେ ଆୟୋଜିତ ତ୍ରୟୋଦଶ ନିଯୁକ୍ତି ମେଳା ୨୦୨୫ରେ ନବନିଯୁକ୍ତମାନଙ୍କୁ ଉପଦେଶ ଦେଇ କହିଛନ୍ତି । ଆଜିର ଏହି କାର୍ଯ୍ୟକ୍ରମ ଅବସରରେ ମୁଖ୍ୟମନ୍ତ୍ରୀ ଆଜି ରାଜ୍ୟର ବିଭିନ୍ନ ଜଳସେଚନ କାର୍ଯ୍ୟର ଉଦଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ । 

     ସୂଚନାଯୋଗ୍ୟଯେ, ଆଜିର ନିଯୁକ୍ତି ମେଳାରେ ଜଳ ସମ୍ପଦ ବିଭାଗର ୨୩୨, ପୂର୍ତ୍ତ ବିଭାଗର ୧୯୭ ଓ ଗୃହ ଓ ନଗର ଉନ୍ନୟନ ବିଭାଗର ୧୪୨ ସହାୟକ କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀ, ୫ ଜଣ ଅର୍ଥ ଓ ହିସାବ ଅଧିକାରୀ ଏବଂ ୧୫ ଜଣ ଯୋଜନା ସହାୟକଙ୍କୁ ନିଯୁକ୍ତିପତ୍ର ଦିଆଯାଇଛି । ଆଜି ଏହି ନିଯୁକ୍ତି ମେଳା ଜରିଆରେ ଆମେ ପ୍ରଥମ କରି ଗେଟ୍‌ ସ୍କୋର ଆଧାରରେ, ଓଡିଶା ଲୋକସେବା ଆୟୋଗ ଦ୍ୱାରା ସହକାରୀ କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀଙ୍କୁ ଚୟନ କରି, ତିନି ଗୋଟି ଇଞ୍ଜିନିୟରିଂ ବିଭାଗରେ ସହକାରୀ କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀ ପଦବୀରେ ନିଯୁକ୍ତି ପ୍ରଦାନ କରାଯାଇଛି । ସମୁଦାୟ ୫୯୧ ଜଣଙ୍କୁ ନିଯୁକ୍ତି ଦିଆଯାଇଛି । କୃଷି ଶିକ୍ଷା ସଦନ ଠାରେ ଉପସ୍ଥିତ ନବନିଯୁକ୍ତଙ୍କୁ ଉଦ୍‌ବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଥିଲେଯେ, ଗତ ବର୍ଷ ଜୁନ୍‌ ମାସରୁ ଆଜି ଭିତରେ ଅର୍ଥାତ ୧୮ ମାସ ମଧ୍ୟରେ ୩୭୯୧୬ ଜଣଙ୍କୁ ନିଯୁକ୍ତି ଦିଆଗଲା । ଆଗାମୀ ଛ’ ମାସ ମଧ୍ୟରେ ଆଉ ୩୦ ହଜାର ପଦବୀ ପୂରଣ କରିବା ପାଇଁ କାର୍ଯ୍ୟ ଜାରି ରହିଛୁ । ପାଞ୍ଚ ବର୍ଷରେ ଖାଲିଥିବା ସମସ୍ତ ଦେଢ ଲକ୍ଷ ପଦ ପୂରଣ କରିବା ସହ ଦୁଇ ବର୍ଷ ଭିତରେ ୬୫ ହଜାର ସରକାରୀ ପଦବୀ ପୂରଣ କରିବା ପାଇଁ ଆମ ସରକାର ପ୍ରତିଶ୍ରୁତି ଦେଇଥିଲେ । ତେଣୁ ଆପଣମାନେ ସମସ୍ତେ ଦୁର୍ନୀତିରୁ ଉର୍ଦ୍ଧ୍ୱରେ ରହି ସରକାରଙ୍କର ସମସ୍ତ ଜନ କଲ୍ୟାଣକାରୀ କାର୍ଯ୍ୟର ସଫଳ ରୂପାୟନ ପାଇଁ ଦୃଢ ପ୍ରତିବଦ୍ଧ ହୋଇପାରିଲେ ସମାଜ ତଥା ରାଜ୍ୟ ବିକଶିତ ହୋଇପାରିବ ।


    ମୁଖ୍ୟମନ୍ତ୍ରୀ କହିଥିଲେଯେ, ବିକଶିତ ଗାଁ ଓ ବିକଶିତ ଓଡିଶା ମାଧ୍ୟମରେ ପ୍ରଚଳିତ ସମସ୍ତ ଜନକଲ୍ୟାଣକାରୀ କାର୍ଯ୍ୟକ୍ରମର ସଫଳ ରୂପାୟନ ନିମନ୍ତେ ସହକାରୀ କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀମାନଙ୍କର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଆପଣମାନେ ସରକାରଙ୍କ ବିଭିନ୍ନ ଭିତ୍ତିଭୂମି ଉନ୍ନୟନ କାର୍ଯ୍ୟକୁ ସଫଳତାର ସହ ନିର୍ବାହ କରି ଜନସାଧାରଣଙ୍କୁ ଉନ୍ନତ ସେବା ଯୋଗାଇଦେବାରେ ନିଜର ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ସୂଚାରୁରୂପେ ସମ୍ପାଦନ କରିବେ । ପୌର ସଂସ୍ଥାରେ ସୁସଂଗଠିତ ଯୋଜନା, ସୁଚିନ୍ତିତ ବିକାଶ ଓ ପ୍ରଶାସନିକ କାର୍ଯ୍ୟକଳାପରେ ଯୋଜନା ସହାୟକମାନଙ୍କର ଆବଶ୍ୟକତା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଏଥିସହିତ ପୌର ସଂସ୍ଥାଗୁଡିକରେ ଅର୍ଥ ଓ ହିସାବ ଅଧିକାରୀ ପୌର ସଂସ୍ଥାରେ ଆର୍ଥିକ ବ୍ୟବସ୍ଥା ସୁପରିଚାଳନା କରିବାର ଦାୟିତ୍ୱ ନିର୍ବାହ କରିବେ ବୋଲି ସେ କହିଥିଲେ ।ମୁଖ୍ୟମନ୍ତ୍ରୀ ଆହୁରି କହିଥିଲେଯେ, ଆଗାମୀ ଦିନରେ ଓଡିଶାରେ ଭିତ୍ତିଭୂମି ନିର୍ମାଣରେ ଏକ ପ୍ରକାର ଆନ୍ଦୋଳନ ହେବାକୁ ଯାଉଛି । କାରଣ ଓଡିଶାରେ ଆଶାତୀତ ଭାବେ ପୁଞ୍ଜି ବିନିଯୋଗ ପାଇଁ ବଜେଟରେ ପ୍ରାବଧାନ କରାଯାଇଛି । ଉଦାହରଣ ସ୍ୱରୂପ, ଚଳିତ ବଜେଟରେ ୬୫ ହଜାର କୋଟି ଟଙ୍କାରୁ ଉର୍ଦ୍ଧ୍ୱ କେବଳ ପୁଞ୍ଜି ଖର୍ଚ୍ଚ ପାଇଁ ପ୍ରାବଧାନ କରାଯାଇଛି । ଦୁଇ ଦିନ ତଳେ ଯଦି ଅତିରିକ୍ତ ବଜେଟର ପ୍ରାବଧାନକୁ ଏଥିରେ ଯୋଡାଯିବ, ତେବେ ଏହି ଖର୍ଚ୍ଚ ପ୍ରାୟ ୬୮ ହଜାର କୋଟି ଟଙ୍କାରୁ ବି ଉର୍ଦ୍ଧ୍ୱ ହେବ । ପୁଞ୍ଜି ବିନିଯୋଗ କ୍ଷେତ୍ରରେ ରାଜ୍ୟ ଜିଡିପି ଅନୁପାତରେ ଓଡିଶା ଦେଶର ସବୁଠାରୁ ଅଧିକ ଖର୍ଚ୍ଚ କରୁଥିବା ରାଜ୍ୟ । ଏତେ ପରିମାଣରେ ପ୍ରାବଧାନ ହୋଇଥିବା ବ୍ୟୟକୁ ଖର୍ଚ୍ଚ କରିବା ପାଇଁ ଆପଣଙ୍କ ପରି ଇଞ୍ଜିନିୟର ଆବଶ୍ୟକ । ସମୃଦ୍ଧ ଓଡିଶା ଗଠନ ପାଇଁ ଭିତ୍ତିଭୂମି ନିର୍ମାଣ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ବିଶେଷକରି ଜଳସେଚନ ଭିତ୍ତିଭୂମିକୁ ସୁଦୃଢ଼ କରି କୃଷକମାନଙ୍କର ଉତ୍ପାଦନ ଓ ଉତ୍ପାଦକତା ବୃଦ୍ଧି କରିବା ଆମର ଲକ୍ଷ୍ୟ । 


   ଏହି ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ରାଜ୍ୟବାସୀଙ୍କ ଉଦ୍ଦେଶ୍ୟରେ ‘ମୁଖ୍ୟମନ୍ତ୍ରୀ ଆଡିବନ୍ଧ ତିଆରି ଯୋଜନା-୩.୦’ ମଧ୍ୟ ଲୋକାର୍ପିତ କରିଥିଲେ । ଏହି ଯୋଜନା ପାଇଁ ୨୭୩୮ କୋଟି ଟଙ୍କା ମଞ୍ଜୁର କରାଯାଇଛି ଏବଂ ଏହାଦ୍ୱାରା ଆଗାମୀ ୫ ବର୍ଷରେ ୩ ହଜାର ନୂଆ ଚେକ୍‌ ଡ୍ୟାମ୍‌ ନିର୍ମାଣ ହେବା ସହିତ ୨ ହଜାର ପୁରୁଣା ଚେକ୍‌ଡ୍ୟାମ୍‌ର ପୁନଃରୁଦ୍ଧାର କରାଯିବ । ଏହାଦ୍ୱାରା ରାଜ୍ୟରେ ପ୍ରାୟ ୪୮ ହଜାର ହେକ୍ଟର ଜମିରେ ଜଳସେଚନର ସୁବିଧା ମିଳିପାରିବ । ମୁଖ୍ୟମନ୍ତ୍ରୀ ଆଡିବନ୍ଧ ଯୋଜନାରେ ଆଜି ରାଜ୍ୟର ୨୨ ଜିଲ୍ଲାରେ ୧୦୧ ଚେକ୍‌ଡ୍ୟାମ୍‌ ଲୋକାର୍ପିତ କରାଗଲା । ଏଥିପାଇଁ ୭୦ କୋଟି ୨୭ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇଛି । ଏହାଦ୍ୱାରା ୨୪୧୬ ହେକ୍ଟର ଜମିରେ ଜଳସେଚନ ସୁବିଧା ମିଳିବ । ମୁଖ୍ୟମନ୍ତ୍ରୀ ଆଡିବନ୍ଧ ଯୋଜନା ୩.୦ ରେ ଆଜି ପ୍ରଥମ ପର୍ଯ୍ୟାୟରେ ୧୫ ଜିଲ୍ଲାରେ ୨୦୧ ଚେକ୍‌ଡ୍ୟାମ୍‌ ପାଇଁ ଭିତ୍ତିପ୍ରସ୍ତର ମଧ୍ୟ ରଖାଯାଇଛି । ପ୍ରାୟ ୧୬୦ କୋଟି ଟଙ୍କା ବିନିଯୋଗରେ ଏହା ନିର୍ମାଣ କରାଯିବ ଏବଂ ଏହାଦ୍ୱାରା ୫୩୪୨ ହେକ୍ଟର ଜମିରେ ଜଳସେଚନର ସୁବିଧା ମିଳିବ । ଆଡିବନ୍ଧ ଯୋଜନା ସହିତ ଆଉ କେତେକ ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପର ଶୁଭାରମ୍ଭ କରାଯାଇଛି । ୧୨୫ କୋଟି ଟଙ୍କା ବିନିଯୋଗରେ ମୟୁରଭଞ୍ଜ ଓ ଗଜପତି ଜିଲ୍ଲାରେ ଦୁଇଟି ବୃହତ୍‌ ଉଠା ଜଳସେଚନ ପ୍ରକଳ୍ପର ଉଦ୍‌ଘାଟନ କରାଯାଇଛି । ଏହାଦ୍ୱାରା ୪ ହଜାର ହେକ୍ଟର ଜମିରେ ଜଳସେଚନର ସୁବିଧା ମିଳିବା ସହିତ ପ୍ରାୟ ୧୦ ହଜାର ଚାଷୀ ଉପକୃତ ହେବେ । ଏହାସହିତ ଆନନ୍ଦପୁର ବ୍ୟାରେଜର ଶାଳନ୍ଦୀ ବାମପାର୍ଶ୍ୱ କେନାଲର ପ୍ରାୟ ୧୪ କିଲୋମିଟର ଅଞ୍ଚଳରୁ ବାଲେଶ୍ୱର ଜିଲ୍ଲାର ପ୍ରାୟ ୧୦ ହଜାର ହେକ୍ଟର ଚାଷ ଜମିକୁ ଭୂ-ତଳ ଜଳସେଚନ ବ୍ୟବସ୍ଥାର ଲୋକାର୍ପଣ କରାଯାଇଛି । 


     ଅନୁଗୋଳ ଜିଲ୍ଲାର ଅଙ୍ଗପଡା ଠାରେ ୩୩ କୋଟି ଟଙ୍କା ବିନିଯୋଗରେ ଏକ ନୂତନ କ୍ଷୁଦ୍ର ଜଳସେଚନ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ, ପ୍ରାୟ ୩୫୫ କୋଟି ଟଙ୍କା ବିନିଯୋଗରେ ସମ୍ୱଲପୁର ଜିଲ୍ଲାରେ ୬ ଟି ବୃହତ୍‌ ଉଠା ଜଳସେଚନ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ, ପ୍ରାୟ ୧,୫୧୫ କୋଟି ଟଙ୍କା ବିନିଯୋଗରେ ରାଜ୍ୟର ୨୦ ଟି ଜିଲ୍ଲାରେ ୨୮, ୩୦୨ ଟି ଉଠା ଜଳସେଚନ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି । ଆଜି ଉଦ୍‌ଘାଟିତ ହୋଇଥିବା ଜଳସେଚିତ ପ୍ରକଳ୍ପ ଗୁଡିକ ଦ୍ୱାରା ୧୬,୨୫୨ ହେକ୍ଟର ଚାଷଜମିରେ ଜଳସେଚନର ସୁବିଧା ସହିତ  ୬୪ ହଜାର ଚାଷୀ ଭାଇ ଉପକୃତ ହେବେ । ସେହିପରି ଭିତ୍ତିପ୍ରସ୍ତର ରଖାଯାଇଥିବା ପ୍ରକଳ୍ପ ଦ୍ୱାରା ୧, ୫୫,୩୬୦ ହେକ୍ଟର ଜମିରେ ଜଳସେଚନ ସୁବିଧାର ବିକାଶ ହେବ ଏବଂ ପ୍ରାୟ ୬୩ ହଜାର କୃଷକ ଉପକୃତ ହେବେ । ସମୁଦାୟ ପ୍ରାୟ ୧ ଲକ୍ଷ ୨୭ ହଜାର କୃଷକ ଉପକୃତ ହେବେ । କାର୍ଯ୍ୟକ୍ରମରେ ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ଡଃ କୃଷ୍ଣଚନ୍ଦ୍ର ମହାପାତ୍ର କହିଥିଲେଯେ, ଉନ୍ନତି ପାଇଁ ନିଯୁକ୍ତି ଆବଶ୍ୟକ ଏବଂ ଏହି କଥାକୁ ମୁଖ୍ୟମନ୍ତ୍ରୀ ହୃଦୟଙ୍ଗମ କରି ତ୍ୱରିତ ଗତିରେ ଆଜି ଅନେକ ଖାଲି ପଦବୀ ପୂରଣ କରୁଛନ୍ତି । ସତ୍ୟନିଷ୍ଠା, ପେଶାଦାରୀତା ଓ ନିଷ୍ଠାର ସହ ଆଜିଠାରୁ ଭବିଷ୍ୟତ ପାଇଁ ମାନସିକତା ନେଇ କାର୍ଯ୍ୟ କରିବାକୁ ପୂର୍ତ୍ତ ବିଭାଗ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ନବନିଯୁକ୍ତମାନଙ୍କୁ କହିଥିଲେ । କାର୍ଯ୍ୟକ୍ରମରେ ଉନ୍ନୟନ କମିଶନର  ଅନୁ ଗର୍ଗ ସ୍ୱାଗତ ଭାଷଣ ଦେଇଥିବା ବେଳେ, ଗୃହ ଓ ନଗର ଉନ୍ନୟନ ବିଭାଗ ପ୍ରମୁଖ ଶାସନ ସଚିବ ଉଷା ପାଢ଼ୀ ଧନ୍ୟବାଦ ଦେଇଥିଲେ ।