ଧରାହେଲେ ୬ ଲୁଟେରା; ଲକ୍ଷାଧିକ ଟଙ୍କାର ସାମଗ୍ରୀ ଜବତ
ଭୁବନେଶ୍ୱର,୨୫ା୧୨: କମିଶନରେଟ ପୁଲିସ ପକ୍ଷରୁ ସେଫ୍ ସିଟି ଅଭିଯାନକୁ ଜୋରଦାର କରାଯାଇଛି । ବୁଧବାର ତମାଣ୍ଡୋ, ମଞ୍ଚେଶ୍ୱର ଓ ଏୟାରପୋର୍ଟ ଥାନା ପକ୍ଷରୁ ୪ଟି ପୃଥକ ପୃଥକ ଛିନତାଇ ଓ ଘରୁ ଲୁଟ ମାମଲାରେ ୬ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ଗିରଫ ଅଭିଯୁକ୍ତମାନଙ୍କ ଠାରୁ ପୁଲିସ ଲକ୍ଷାଧିକ ଟଙ୍କାର ଲୁଟ ସମ୍ପତ୍ତି ଜବତ କରିଛି । ଏହିକ୍ରମରେ ମଞ୍ଚେଶ୍ୱର ଥାନା ପୁଲିସ ଗୋବିନ୍ଦ ଦାସ ନାମକ ଜଣେ ମୋବାଇଲ ଲୁଟେରାଙ୍କୁ ଗିରଫ କରିଛି । ଗୋବିନ୍ଦଙ୍କ ଘର ସ୍ଥାନୀୟ ଥାନା ଅନ୍ତର୍ଗତ ହାଡ଼ବାଇ ବସ୍ତିରେ ବୋଲି ଜଣାପଡ଼ିଛି । ଅଭିଯୁକ୍ତ ଜଣଙ୍କ ଚକେଇସିଆଣୀ ଦୁର୍ଗାମଣ୍ଡପ ନିକଟରେ ଏକ ଚୋରା ମୋବାଇଲ ଧରି ବିକ୍ରି କରିବାକୁ ଗ୍ରାହକ ଖୋଜୁଥିବା ବେଳେ ପୁଲିସ ଟିମ ସେଠାରେ ପହଞ୍ଚି ଚୋରା ମୋବାଇଲ ସହ ଗୋବିନ୍ଦଙ୍କୁ ଗିରଫ କରିଥିଲା ।
ସେହିଭଳି ତମାଣ୍ଡୋ ଥାନା ପୁଲିସ ଗତ ୧ ସେପ୍ଟେମ୍ବର କଳିଙ୍ଗ ବିହାର କେ ୪ ଅଞ୍ଚଳରୁ ଘରୁ ଝରକା ତାଡ଼ି ଲୁଟ ମାମଲାରେ ୨ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତମାନେ ହେଲେ ନୟାଗଡ଼ ଫତେଗଡ଼ର ମନୋଜ କୁମାର ସିଂ (୪୦) ଓ କଟକର ଜୟନ୍ତ କୁମାର ପାଣିଗ୍ରାହୀ (୪୦) । ଗିରଫ ଅଭିଯୁକ୍ତମାନଙ୍କ ଠାରୁ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର, ମୋବାଇଲ ଫୋନ ଏବଂ ଘରୁ ଚୋରି କରିଥିବା ସାମଗ୍ରୀକୁ ଜବତ କରିଛି । ଅଭିଯୁକ୍ତ ଦ୍ୱୟ ଏହି ଚୋରି କରିବା ପରେ ଅନ୍ୟ ଏକ ଚୋରି ମାମଲାରେ ନୟାଗଡ଼ ପୁଲିସ ଦ୍ୱାରା ଗିରଫ ହୋଇ ଜେଲରେ ଥିଲେ । ପୁଲିସ ତଦନ୍ତ ବେଳେ ଏହି ଅଭିଯୁକ୍ତ ଦ୍ୱୟ ହିଁ ତମାଣ୍ଡୋ ମାମଲାରେ ଜଡ଼ିତ ଥିବା ଜଣାପଡ଼ିବା ପରେ ତାଙ୍କୁ ପୁଲିସ ରିମାଣ୍ଡରେ ଆଣି ଏହି ମାମଲାରେ ଚୋରି କରିଥିବା ସାମଗ୍ରୀକୁ ଜବତ କରିବାରେ ସଫଳ ହୋଇଛି ।
ଏୟାରପୋର୍ଟ ଥାନା ପୁଲିସ ୩ଟି ପୃଥକ ପୃଥକ ମାମଲରେ ୩ ଅଭିଯୁକ୍ତଙ୍କୁ ଗିରଫ କରିଛି । ଯେଉଁମାନେ ସ୍ଥାନୀୟ ଥାନା ଅଞ୍ଚଳରେ ଲୁଟପାଟ କରି ଆତଙ୍କ ଭିଆଉଥିଲେ । ଗିରଫ ଅଭିଯୁକ୍ତମାନେ ହେଲେ ନୟାପଲ୍ଲୀ ଇସ୍କନ ବସ୍ତିରେ ରହୁଥିବା ଆଶିଷ ପ୍ରଧାନ (୨୪), ସେହିଭଳି ଅନ୍ୟଏକ ମାମଲାରେ ପୋଲିସ ଶେଖର ମହାରଣା ଓ ରଞ୍ଜନ କୁମାର ସେନାପତିଙ୍କୁ ଗିରଫ କରିବାରେ ସଫଳ ହୋଇଛି ।