ଦୋକାନଙ୍କୁ ଆକ୍ରମଣ ସହ ଦୋକାନ ଭଙ୍ଗାରୁଜା; ୨ ଗିରଫ


ଭୁବନେଶ୍ୱର, ୨୯ା୧୦ : ପାନ ଦୋକାନରୁ ପୁଡ଼ିଆ ଓ ସିଗାରେଟ୍ ଖାଇବା ପରେ ଦୋକାନୀ ଟଙ୍କା ମାଗିବାରୁ ସ୍ୱାମୀ ସ୍ତ୍ରୀଙ୍କୁ ଲୁହାରଡରେ ମରଣାନ୍ତକ ଆକ୍ରମଣ ସହ ଦୋକାନ ଭଙ୍ଗାରୁଜା । ଏନେଇ ମଞ୍ଚେଶ୍ୱର ଥାନାରେ ଅଭିଯୋଗ ପରେ ପୁଲିସ ମାମଲା ରୁଜୁକରି ତଦନ୍ତ ଚଳାଇ ଆଜି ୨ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି । ଗିରଫ ୨ ଅଭିଯୁକ୍ତ ହେଲେ, ମଞ୍ଚେଶ୍ୱର ଗୋପବନ୍ଧୁ ବସ୍ତିର ସୌମ୍ୟରଞ୍ଜନ ରାଉତ ଓ କାର୍ତ୍ତିକ ବେହେରା । ସେମାନଙ୍କ ଠାରୁ ଲୁହାରଡ, ଏକ ପାଇପ ଓ ୨ଟି ବାଇକ ଜବତ କରାଯାଇଛି । ପରେ ଦୁହିଁଙ୍କୁ କୋର୍ଟ ଚାଲାଣ କରାଯାଇଛି ।
  ସୂଚନା ଯୋଗ୍ୟଯେ, ଅଭିଯୋଗକାରୀ କିଶୋର ସେଠି ଜଗନ୍ନାଥ ଲେପ୍ରୋସି  କଲୋନୀରେ ଏକ ପାନ ଦୋକାନ ରହିଛି । ଗତ ୨୭ ତାରିଖ ଅପରାହ୍ନରେ ତାଙ୍କର ସ୍ତ୍ରୀ ଉକ୍ତ ଦୋକାନରେ ଥିବା ବେଳେ ସମୟ ପ୍ରାୟ ୩ଟାରେ ଅଭିଯୁକ୍ତ ଓ ତାଙ୍କର ୨ ସହଯୋଗୀ ୨ଟି ବାଇକରେ ଘଟଣା ସ୍ଥଳକୁ ଆସିଥିଲେ ଓ କିଛି ନିଶାଦ୍ରବ୍ୟ କିଣିଥିଲେ । ଏହି ସମୟରେ ଦୋକାନୀଙ୍କ ସ୍ତ୍ରୀ ସେମାନଙ୍କୁ ଟଙ୍କା ମାଗିଥିଲେ । ଏତିକି ବେଳେ ଅଭିଯୁକ୍ତ ମାନେ ଟଙ୍କା ଦେବା ବଦଳରେ ତାଙ୍କୁ ଗାଳିଗୁଲଜ କରିବା ଆରମ୍ଭ କରିଥିଲେ । ସେହି ସମୟରେ ମହିଳାଙ୍କ ସ୍ୱାମୀ ସେଠାରେ ପହଞ୍ଚିଯିବାରୁ ସେମାନେ ତାଙ୍କୁ ମଧ୍ୟ ଖରାପ ଭାଷାରେ ଗାଳିଗୁଲଜ କରିବା ସହ ଲୁହାରଡ ଓ ପାଇପରେ ମରଣାନ୍ତକ ଆକ୍ରମଣ କରି ଦୋକାନର ଫ୍ରିଜ୍ ଓ ଅନ୍ୟ ସାମଗ୍ରୀକୁ ଭଙ୍ଗାରୁଜା କରିଥିଲେ । ଏତିକି ବେଳେ ସ୍ଥାନୀୟ ଲୋକେ ରୁଣ୍ଡ ହୋଇଯିବାରୁ ଅଭିଯୁକ୍ତମାନେ ବାଇକରେ ଫେରାର ହୋଇଯାଇଥିଲେ । ଏନେଇ ମଞ୍ଚେଶ୍ୱର ଥାନାରେ ଅଭିଯୋଗ ପରେ ପୁଲିସ ମାମଲା ରୁଜୁକରି ଆଜି ୨ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ବାକି ଫେରାର ଅଭିଯୁକ୍ତଙ୍କୁ ଧରିବାକୁ ଚଢ଼ାଉ ଜାରି ରହିଛି ।