ସ୍ତ୍ରୀ ଆଗରେ ସ୍ୱାମୀକୁ ଖଣ୍ଡା ଚୋଟ


 ଭୁବନେଶ୍ୱର, ୧୨ା୪ : ଘର ସାମ୍ନାରେ ଅଟୋକୁ ପାର୍କିଂ କରିବାକୁ ନେଇ ଘରୁ ଡାକିଆଣି ସ୍ତ୍ରୀ ଆଗରେ ସ୍ୱାମୀ ଓ ଭାଇକୁ ଖଣ୍ଡାରେ ମରଣାନ୍ତକ ଆକ୍ରମଣ । ଉଭୟଙ୍କୁ ଉଦ୍ଧାର କରି ଏମ୍ସ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିବା ବେଳେ, ଏନେଇ ଭରତପୁର ଥାନାରେ ଅଭିଯୋଗ ହୋଇଥିଲା । ଅଭିଯୋଗ ପରେ ପୁଲିସ ୨୧୯ରେ ମାମଲା ରୁଜୁକରି ଡୁମୁଡ଼ୁମା ସୁବାଶ ନଗର ବସ୍ତିର ତୁଷାର କାନ୍ତ ଦେବ୍ ଓ ବାଲିପାଟଣା ବୁବାସାସନର ଗୌର ମହାପାତ୍ରକୁ ଆଜି ଗିରଫ କରିଛି । ଗିରଫ ପରେ ଦଫା ୩୪୧,୩୨୪,୩୦୭,୩୪ ଆଇପିସି ଧାରାରେ କୋର୍ଟ ଚାଲାଣ କରାଯାଇଛି ।
 ସୂଚନାଯୋଗ୍ୟ ଯେ, ଅଭିଯୋଗକାରିଣୀ ପରିବାର ସହ ଭରତପୁର ଥାନା ଅଞ୍ଚଳରେ ରୁହନ୍ତି । ଘଟଣା ଦିନ ଘର ନିକଟରେ ଏକ ଅଟୋ ରଖିବାକୁ କେନ୍ଦ୍ର କରି ଦୁଇ ଅଭିଯୁକ୍ତ ଏବଂ ସେମାନଙ୍କର ସହଯୋଗୀ ମାନଙ୍କ ସହିତ ଅଭିଯୋଗକାରିଣୀଙ୍କ ସ୍ୱାମୀ ଓ ତାଙ୍କ ସାନ ଭାଇଙ୍କର ପ୍ରବଳ ଝଗଡା ହୋଇଥିଲା । ଏହି ଝଗଡା ଉଗ୍ରରୂପ ନେବା ପରେ ଅଭିଯୁକ୍ତ ମାନେ ଉଭୟଙ୍କୁ ଖଣ୍ଡାରେ ସଂଘବଦ୍ଧ ଭାବେ ଅଭିଯୋଗକାରିଣୀଙ୍କ ସ୍ୱାମୀଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ । ଏହି ଆକ୍ରମଣ ଯୋଗୁଁ ତାଙ୍କ ସ୍ୱାମୀଙ୍କ ବାମ ହାତରେ ଗଭୀର ଆଘାତ ଲାଗିଥିବା ବେଳେ ତାଙ୍କୁ ଏମ୍ସ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା ।