ଧର୍ମେନ୍ଦ୍ରଙ୍କୁ ରାଜ୍ୟପାଳଙ୍କ ସମବେଦନା  

ଭୁବନେଶ୍ୱର:  ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତା ଡା. ଦେବେନ୍ଦ୍ର ପ୍ରଧାନଙ୍କ ବିୟୋଗରେ ଗଭୀର ଶୋକ ପ୍ରକାଶ କରିବା ସହ ରାଜ୍ୟପାଳ ଡ଼ ହରି ବାବୁ କମ୍ଭମପାଟି ଓ ଫାଷ୍ଟ ଲେଡି ଜୟଶ୍ରୀ କମ୍ଭମପାଟି ମଙ୍ଗଳବାର ଅପରାହ୍ନରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଭୁବନେଶ୍ୱରସ୍ଥିତ ବାସ ଭବନରେ ପହଞ୍ଚି ସମବେଦନା ଜଣାଇଛନ୍ତି । ଏହି ଅବସରରେ ରାଜ୍ୟପାଳ କହିଛନ୍ତି ଯେ, ଜଣେ ପ୍ରବୀଣ ରାଜନେତା ଓ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦେବେନ୍ଦ୍ର ପ୍ରଧାନ ଜନସେବା ପ୍ରତି ତାଙ୍କର ଜୀବନବ୍ୟାପୀ ସମର୍ପଣ ଏବଂ ଦୃଢ଼ ଆଦର୍ଶଗତ ପ୍ରତିବଦ୍ଧତା ପାଇଁ ଜଣେ ସମ୍ମାନାସ୍ପଦ ବ୍ୟକ୍ତିତ୍ୱ ଥିଲେ । ତାଙ୍କ ବିୟୋଗ ତାଙ୍କ ପରିବାର, ଅନୁଗାମୀ ତଥା ରାଜ୍ୟ ପାଇଁ ଗଭୀର ଶୂନ୍ୟସ୍ଥାନ ସୃଷ୍ଟି କରିଛି । ଦେବେନ୍ଦ୍ର ପ୍ରଧାନଙ୍କ ବିୟୋଗ ଖବର ଆସିବା ବେଳକୁ ରାଜ୍ୟପାଳ ଓଡିଶା ବାହାରେ ଥିଲେ ଏବଂ ଗସ୍ତରୁ ଫେରିବା ପରେ ସେ ତୁରନ୍ତ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଭୁବନେଶ୍ୱର ସ୍ଥିତ ବାସ ଭବନକୁ ଯାଇ ସମବେଦନା ଜଣାଇଥିଲେ । ଦିବଂଗତ ନେତାଙ୍କ ସହ ତାଙ୍କ ସମ୍ପର୍କକୁ ମନେ ପକାଇ ରାଜ୍ୟପାଳ କହିଛନ୍ତି ଯେ ଦେବେନ୍ଦ୍ର ପ୍ରଧାନ ତାଙ୍କ ଆଦର୍ଶ ଓ ବିଚାରଧାରା ପ୍ରତି ସର୍ବଦା ସମର୍ପିତ ଥିଲେ ।  ୧୯୯୧-୯୨ ମସିହାରେ ଯେତେବେଳେ ସେ ଓଡିଶା ବିଜେପିର ସଭାପତି ଥିଲେ ମୁଁ ତାଙ୍କୁ ପ୍ରଥମ ଥର ପାଇଁ ଭେଟିଥିଲି । ସେହି ସମୟରେ ଲାଲକୃଷ୍ଣ ଆଡ଼ଭାନୀ ଜୀ ଏବଂ ମୁରଲୀ ମନୋହର ଯୋଶୀ ଜୀ ପୃଥକ ପୃଥକ ଯାତ୍ରାର ନେତୃତ୍ୱ ନେଇଥିଲେ । ଆମେ ସେମାନଙ୍କ ସହିତ ଆନ୍ଧ୍ରପ୍ରଦେଶ ସୀମାନ୍ତ ପର୍ଯ୍ୟନ୍ତ ଯାଇଥିଲୁ । ଯେଉଁଠାରେ ଆମେ ଦେବେନ୍ଦ୍ର ପ୍ରଧାନଙ୍କୁ ଯାତ୍ରା ହସ୍ତାନ୍ତର କରିଥିଲୁ ବୋଲି ରାଜ୍ୟପାଳ ସ୍ମୃତି ଚାରଣ କରିଥିଲେ । ସେ ଆହୁରି କହିଥିଲେ ଯେ, ଅଟଳବିହାରୀ ବାଜପେୟୀଙ୍କ ମନ୍ତ୍ରୀମଣ୍ଡଳରେ ଯେତେବେଳେ ସ୍ୱର୍ଗତ ପ୍ରଧାନ କୃଷି ରାଷ୍ଟ୍ରମନ୍ତ୍ରୀ ଥିଲେ ସେତେବେଳେ ତାଙ୍କୁ ଭେଟିଥିଲେ । ସ୍ୱର୍ଗତ ପ୍ରଧାନ ଜାତୀୟତାବାଦର ଜଣେ ଦୃଢ଼ ସମର୍ଥକ ଥିଲେ ବୋଲି ରାଜ୍ୟପାଳ କହିଛନ୍ତି ।