ନକଲି ଜବ୍ କାର୍ଡ ପ୍ରସଙ୍ଗରେ ଦ୍ୱିତୀୟ ସ୍ଥାନରେ ଓଡ଼ିଶା
ଜବ୍ କାର୍ଡ ଜାଲିଆତିକୁ ନେଇ ଏକ ବଡ଼ ତଥ୍ୟ ସାମ୍ନାକୁ ଆସିଛି । ସାରା ଦେଶରେ ନକଲି ଜବ୍ କାର୍ଡ ହାତେଇବାରେ ଓଡ଼ିଶା ଦ୍ୱିତୀୟ ସ୍ଥାନରେ ରହିଥିବାବେଳେ ବିହାର ପ୍ରଥମ ସ୍ଥାନରେ ରହିଛି । ସାଂସଦ ମାଳା ରାୟଙ୍କ ପ୍ରଶ୍ନର ଉତ୍ତରରେ କେନ୍ଦ୍ର ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ କମଳେଶ ପାସୱାନ ଏହି ସୂଚନା ଦେଇଛନ୍ତି । ସୂଚନା ଅନୁସାରେ, ୨୦୨୪-୨୫ ଆର୍ଥିକ ବର୍ଷରେ କେବଳ ଓଡ଼ିଶାରେ ୭,୫୬୬ଟି ନକଲି ଜବ୍ କାର୍ଡ ଚିହ୍ନଟ କରାଯାଇଛି । ଏହି ସମସ୍ତ ନକଲି ହିତାଧିକାରୀଙ୍କୁ ତାଲିକାରୁ ବାଦ୍ ଦିଆଯାଇଛି । ଓଡ଼ିଶାରେ ମୋଟ ୬୬ ଲକ୍ଷରୁ ଅଧିକ ହିତାଧିକାରୀ ଜବ୍ କାର୍ଡ ପାଇଥିବା ବେଳେ ସେମାନଙ୍କ ମଧ୍ୟରୁ ବର୍ତ୍ତମାନ ୪୩ ଲକ୍ଷ ଆକ୍ଟିଭ୍ ଅଛନ୍ତି । ମନ୍ତ୍ରୀଙ୍କ ଦ୍ୱାରା ଦିଆଯାଇଥିବା ତଥ୍ୟ ଅନୁଯାୟୀ, ୨୦୨୨ରୁ ୨୦୨୫ ମଧ୍ୟରେ ସାରା ଦେଶରେ ୧୧ ଲକ୍ଷରୁ ଅଧିକ ନକଲି ଜବ୍ କାର୍ଡକୁ ବାତିଲ କରାଯାଇଛି । ଏହି ମାମଲାରେ ଉତ୍ତରପ୍ରଦେଶ ଏବଂ ବିହାର ଭଳି ରାଜ୍ୟ ଓଡ଼ିଶାଠାରୁ ଆଗରେ ରହିଛନ୍ତି । ବିଭିନ୍ନ କାରଣରୁ ଯେପରିକି ନକଲି କାର୍ଡ, ନକଲି ହିତାଧିକାରୀ, ପଞ୍ଚାୟତରୁ ସ୍ଥାୟୀ ଭାବେ ସ୍ଥାନାନ୍ତର ହୋଇଥିବା ପରିବାର ଏବଂ ମୃତ ବ୍ୟକ୍ତିଙ୍କ ନାମରେ ଥିବା କାର୍ଡଗୁଡ଼ିକୁ ବାତିଲ କରାଯାଇଥାଏ ବୋଲି ମନ୍ତ୍ରୀ ସ୍ପଷ୍ଟ କରିଛନ୍ତି ।