ନାଁକୁ ମାତ୍ର ‘ଆମ ପାଠାଗାର’; ନାହିଁ ଗୋଟିଏ ବି ବହି
ଜାରକା: ଧର୍ମଶାଳା ବ୍ଲକ୍ ଜାରକା ହାଇସ୍କୁଲ ପରିସରରେ ୧କୋଟିରୁ ଅଧିକ ଟଙ୍କା ବ୍ୟୟରେ ନିର୍ମିତ ‘ଆମ ପାଠାଗାର’ କାମରେ ଲାଗୁନଥିବା ଅଭିଯୋଗ ହୋଇଛି । ଦେଢ଼ବର୍ଷ ହେଲା ଉଦ୍ଘାଟନ ହୋଇଥିଲେ ମଧ୍ୟ ଏହା କାର୍ଯ୍ୟକ୍ଷମ ହୋଇ ପାରୁନାହିଁ । ଜାରକା ହାଇସ୍କୁଲ ପରିସରରେ ନିର୍ମିତ ‘ଆମ ପାଠାଗାର'କୁ ୨୦୨୪ ଜାନୁଆରି୧୯ତାରିଖରେ ଧର୍ମଶାଳାର ତକ୍ରାଳୀନ ବିଧାୟକ ପ୍ରଣବ କୁମାର ବଳବନ୍ତରାୟ ଉଦ୍ଘାଟନ କରିଥିଲେ । ପରେ ଏଥିରେ ଆଉ ୨୦ଲକ୍ଷ ଟଙ୍କା ଅତିରିକ୍ତ ଖର୍ଚ୍ଚ କରିବାକୁ ଯୋଜନା ରହିଥିଲା । ମାତ୍ର ରାଜନୈତିକ ସମୀକରଣ ବଦଳିଗଲା ପରେ ଏହି ପ୍ରକଳ୍ପ ସେମିତି ପଡ଼ିରହିଛି । କେତେକ ଅନୁଷ୍ଠାନ ପକ୍ଷରୁ ସଭାସମିତି ଆୟୋଜନରେ ଏହା ସୀମିତ ରହିଛି । ଏହି ତିନିତାଲା କୋଠାଘରେ ପାଠାଗାର ସହିତ ଅଡିଟୋରିୟମ୍ (ପ୍ରେକ୍ଷାଳୟ)ଓ ଖେଳିବା ପାଇଁ ଇନ୍ଡୋର ହଲ୍ ରହିଛି । ବିଭିନ୍ନ ପ୍ରତିଯୋଗିତାମୂଳକ ପରୀକ୍ଷା ନିମନ୍ତେ ପ୍ରସ୍ତୁତ ହେବା ପାଇଁ ବିଭିନ୍ନ ପୁସ୍ତକ ସମେତ ପତ୍ରପତ୍ରିକା ଏବଂ ଅନ୍ୟାନ୍ୟ ଉପାଦେୟ ପୁସ୍ତକ ଏଠାରେ ଉପଲବ୍ଧ ହେବ ବୋଲି କୁହାଯାଉଥିଲା । ଅନ୍ଲାଇନ୍ ମାଧ୍ୟମରେ ପଢ଼ିବାକୁ ଆଗ୍ରହୀ ପାଠକ କମ୍ପୁ୍ୟଟର ଓ ଏଲ୍ଇଡି ପ୍ରୋଜେକ୍ଟର ବ୍ୟବହାର କରିପାରିବେ । ଦ୍ୱିତୀୟ ମହଲାରେ ଇନ୍ଡୋର ହଲ୍ରେ ଛୋଟଛୋଟ ଖେଳ ହୋଇପାରିବା ଏଠାରେ ଜଣେ ଗ୍ରନ୍ଥାଗାରିକ ଓ ପିଅନ ନିଯୁକ୍ତି ହେବେ ଏବଂ ବିନା ଦେୟରେ ଏହାକୁ ସମସ୍ତେ ବ୍ୟବହାର କରିପାରିବେ ବୋଲି ପୂର୍ବତନ ବିଧାୟକ ଉଦ୍ଘାଟନ ସମୟରେ ସୂଚନା ଦେଇଥିଲେ । ଇତି ମଧ୍ୟରେ ଦେଢ଼ବର୍ଷ ପୂରିବାକୁ ବସିଲାଣି ଏସବୁ ସୁବିଧା ତ ଦୂରର କଥା, ପାଠାଗାରରେ ପଢ଼ିବାକୁ ବହି ଖଣ୍ଡିଏ ନାହିଁ । ଏହାକୁ ନେଇ ଛାତ୍ରଛାତ୍ରୀ, ପାଠକ ଓ ସାହିତି୍ୟକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି । ଉଦ୍ଘାଟନ ସମୟରେ ଏଥିରେ ୧କୋଟି ଟଙ୍କା ଖର୍ଚ୍ଚ ହୋଇଥିବା ପୂର୍ବତନ ବିଧାୟକ କହିଥିଲେ । ମାତ୍ର ଖର୍ଚ୍ଚ ସଂପର୍କରେ ଏଠାରେ କୌଣସି ସୂଚନା ଫଳକ ନାହିଁ । ନିୟମାନୁସାରେ କୌଣସି ନିର୍ମାଣ ପୂର୍ବରୁ ଫଳକରେ ଉକ୍ତ ପ୍ରକଳ୍ପ ସଂପର୍କିତ ବିବରଣୀ ରହିବା କଥା ବ୍ଲକ୍ କର୍ତ୍ତୁପକ୍ଷଙ୍କଠାରୁ ମିଳିଥିବା ସୂଚନା ଅନୁସାରେ, ୨୦୨୨-୨୩ ଆର୍ଥôକ ବର୍ଷରେ ଜାରକା ହାଇସ୍କୁଲରେ ପାଠାଗାର ନିର୍ମାଣ ନାଁରେ ସାଂସଦଙ୍କ ଆଂଚଳିକ ଉନ୍ନୟନ ପାଣ୍ଠିରୁ ପ୍ରଥମେ ୧୦ଲକ୍ଷ ଟଙ୍କା ବ୍ୟୟ କରାଯାଇଥିଲା । ପରେ ବିଧାୟକଙ୍କ ହାତପାଣ୍ଠିରୁ୧୦ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି । ସେହିପରି ୨୦୨୩-୨୪ ଆର୍ଥôକ ବର୍ଷରେ ସାଂସଦଙ୍କ ପାଣ୍ଠିରୁ ପୁଣି ବ୍ୟୟବରାଦ ହୋଇଥିବା ୧୦ଲକ୍ଷରୁ ୭.୦୫ ଲକ୍ଷ ଟଙ୍କା ବିନିଯୋଗ କରାଯାଇଛି । ଏଥିସହ ଡିଏସ୍ଏଫ୍ ପାଣ୍ଠିରୁ ୧୦ଲକ୍ଷ ଟଙ୍କା, ପଞ୍ଚଦଶ କେନ୍ଦ୍ର ଅର୍ଥ କମିସନ ଅନୁଦାନ ଅର୍ଥ ୧୦ଲକ୍ଷ ଓ ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ସହାୟତା ଯୋଜନାରେ ୧୦ଲକ୍ଷ ଖର୍ଚ୍ଚ କରାଯାଇଛି । ଧର୍ମଶାଳା ପଞ୍ଚାୟତ ସମିତି ପକ୍ଷରୁ ଗୋଟିଏ ପ୍ରକଳ୍ପ ପାଇଁ ୬ଟି ନାଁରେ ୫୭.୦୫ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିବା କୁହାଯାଇଛି ।
ଏହାଛଡ଼ା ଆଉ କେଉଁ ବିଭାଗ ବା କେଉଁ ଯୋଜନାରେ କେତେ ଟଙ୍କା ଖର୍ଚ୍ଚ ହୋଇଛି, ତାହା ସ୍ପଷ୍ଟ ହୋଇନାହିଁ । ଜାରକା ହାଇସ୍କୁଲ ପରିସରରେ ଖେଳପଡ଼ିଆରେ ଉକ୍ତ ପାଠାଗାର ନିର୍ମାଣ ହେବାରୁ ପଡ଼ିଆଟି ନଷ୍ଟ ହୋଇଥିବା ଅଭିଯୋଗ ହୋଇଛି । ଛାତ୍ରଛାତ୍ରୀମାନେ ଖେଳକୁଦ କରିବାରୁ ବଞ୍ଚିତ ହୋଇଛନ୍ତି । ତା'ଛଡ଼ା ପାଠାଗାରରେ ପଢ଼ିବାର ସୁଯୋଗ ବି ନାହିଁ । ପିଲାମାନେ ବାର୍ଷିକ କ୍ରୀଡ଼ା ପ୍ରତିଯୋଗିତା ପାଇଁ ୫ଶହ ମିଟର ଦୂର ଜାରକା ଷ୍ଟାଡିୟମକୁ ଯାଉଛନ୍ତି । ତୁରନ୍ତ ପାଠାଗାରକୁ କାର୍ଯ୍ୟକ୍ଷମ କରିବାପାଇଁ ବିଧାୟକ ହିମାଂଶୁ ଶେଖର ସାହୁ ପଦକ୍ଷେପ ନେବାକୁ ସାଧାରଣରେ ଦାବି ହୋଇଛି ।