ନାଟ୍ୟକାର ଗୋପାଳ ଛୋଟରାୟ
ଡ.ଅମୂଲ୍ୟ କୁମାର ପଣ୍ଡା : ଗୋପାଳ ଛୋଟରାୟ ଆଧୁନିକ ଓଡ଼ିଆ ରଙ୍ଗମଞ୍ଚର ଜଣେ ମୁଖ୍ୟ ସ୍ଥପତି ଭାବରେ ଗଣନା କରାଯାଏ । ଓଡ଼ିଆ ନାଟକର କଥାବସ୍ତୁ ଓ ଗଠନରୀତିର ଅଧ୍ୟୟନରେ ସେ ଏକ ଉଲ୍ଲେଖଯୋଗ୍ୟ ପରିବର୍ତ୍ତନ ଆଣିଥିଲେ । ୧୯୧୬ ମସିହା ଏପ୍ରିଲ ୨୦ ତାରିଖ ଜଗତସିଂହପୁର ଜିଲ୍ଲାର ପୁରାଣଗଡ଼ରେ ଗୋପାଳ ଛୋଟରାୟ ଜନ୍ମଗ୍ରହଣ କରିଥିଲେ, ତେବେ ସେ ତାଙ୍କ ପୂରା ଜୀବନ କଟକରେ ଅତିବାହିତ କରିଥିଲେ । ପିଲାବେଳୁ ସେ ବିଭିନ୍ନ ପ୍ରକାର ବହି ପଢୁଥିଲେ ଓ ପାଲା, ନାଟକ, ଯାତ୍ରା ଆଦିରେ ଅଧିକ ରୁଚି ରଖୁଥିଲେ । ପ୍ରଥମେ ଦଶମ ଶ୍ରେଣୀରେ ପଢ଼ୁଥିବା ବେଳେ ‘ମାମୁ ମାଈଁ ଫାର୍ସ’ ନାଟକରେ ସେ ଅଭିନୟ କରିଥିଲେ । ଘରର ଆର୍ଥିକ ଅବସ୍ଥା ଭଲ ନଥିବାରୁ ଉଚ୍ଚଶିକ୍ଷାରେ ଆଗ୍ରହ ଥାଇ ମଧ୍ୟ ଗୋପାଳ ଛୋଟରାୟ କଟକରେ ଏକ ସଂସ୍ଥାରେ କିରାଣି ଭାବେ ଚାକିରି କରିଥିଲେ । ଆଠ ବର୍ଷ ଚାକିରି କରିବା ପରେ ହଠାତ ସମ୍ବଲପୁର ଆସି ରାଜବୋଡ଼ାସମ୍ବର ଓ ପଦ୍ମପୁରରେ ରହିଥିଲେ ଓ ସେଠାରେ ନାଟକ ଲେଖିବା ଆରମ୍ଭ କରିଥିଲେ । ତାଙ୍କ ନାଟକରେ ଏତେ ପ୍ରଭାବ ଥିଲା ଯେ, କଟକର ଅନ୍ନପୂର୍ଣ୍ଣା-ଏ ଓ ବିରେ ତାଙ୍କ ଲିଖିତ ନାଟକ ପରିବେଷଣ କରାଯାଉଥିଲା ଓ ଲୋକଙ୍କୁ ଖୁବ ଆକର୍ଷିତ କରୁଥିଲା । ତିନି ଦଶନ୍ଧିରୁ ଊର୍ଦ୍ଧ୍ୱ ସମୟ ଧରି ତାଙ୍କ ନାଟକ ଓଡ଼ିଶାର ଅଧିକାଂଶ ରଙ୍ଗମଞ୍ଚ ଗୁଡ଼ିକର ପ୍ରମୁଖ ଆକର୍ଷଣ ସାଜିଥିଲା । ୧୯୪୮ ମସିହାରେ କଟକର ଆକାଶବାଣୀ କେନ୍ଦ୍ର ଆରମ୍ଭ ହେବା ପରଠାରୁ ସେ ସେଠାରେ ଜଡିତ ଥିଲେ ।
୧୯୪୬ ମସିହାର ‘ଫେରିଆ’ଠାରୁ ଆରମ୍ଭ କରି ୧୫ରୁ ଅଧିକ ମୌଳିକ ନାଟକ ଏବଂ କିଛି ପ୍ରସିଦ୍ଧ ଓଡ଼ିଆ ଉପନ୍ୟାସକୁ ଆଧାର କରି ୮ଟି ନାଟକ ଲେଖିଥିଲେ । ସେଥିମଧ୍ୟରୁ ଅଧିକାଂଶ ସଫଳତାର ସହିତ ରଙ୍ଗମଞ୍ଚରେ ଅଭିନୀତ ହୋଇସାରିଛି । ସମୟ ଥିଲା, ଯେତେବେଳେ କଟକର ଦୁଇଟିଯାକ ପେସାଦାର ରଙ୍ଗମଞ୍ଚରେ ଏକସମୟରେ ପ୍ରତ୍ୟେକ ଦିନ ତାଙ୍କର ନାଟକ ହିଁ ଅଭିନୀତ ହେଉଥିଲା । ଏହି ଭାବରେ ପ୍ରାୟ ତିନି ଦଶନ୍ଧିରୁ ଊର୍ଦ୍ଧ୍ୱ ସମୟ ଧରି ଗୋପାଳ ଛୋଟରାୟ ଓଡ଼ିଶାର ପେସାଦାର ରଙ୍ଗମଞ୍ଚଗୁଡ଼ିକ ଉପରେ ପ୍ରଭାବ ବିସ୍ତାର କରିଥିଲେ । ୧୯୪୮ ମସିହାରେ କଟକରେ ଆକାଶବାଣୀ କେନ୍ଦ୍ର ଆରମ୍ଭ ହେଲା ଏବଂ ଗୋପାଳ ଛୋଟରାୟ ସେହି ସମୟରୁ ହିଁ ତା ସହିତ ଯୋଡ଼ା ହୋଇଗଲେ । ଆକାଶବାଣୀରେ କାମ କରୁଥିଲା ସମୟରେ ଗୋପାଳ ଛୋଟରାୟ ଗ୍ରାମୀଣ ନାଟକ ବା ଗୀତିନାଟ୍ୟର ପୁନରୁତ୍ଥାନ କରି ଓଡ଼ିଆ ସଙ୍ଗୀତର ପରମ୍ପରାକୁ ଅନନ୍ୟ ଅବଦାନ ଦେଇଯାଇଛନ୍ତି । ତାଙ୍କ ନିଜ କାମର ପ୍ରାୟ ୨୦ଟି ଏଲପି ରେକର୍ଡ ଓ କ୍ୟାସେଟ୍ ପ୍ରସ୍ତୁତ ହୋଇଛି । ତା ଭିତରୁ ସବୁଠାରୁ ଲୋକପ୍ରିୟ ହେଉଛି ଫକୀରମୋହନ ସେନାପତିଙ୍କର କ୍ଷୁଦ୍ରଗଳ୍ପ ‘ପେଟେଣ୍ଟ୍ ମେଡିସିନ୍’ର ନାଟ୍ୟରୂପ ‘ଶ୍ରୀମତୀ ସମାର୍ଜ୍ଜନୀ’ । ରାଜ୍ୟ ଦୂରଦର୍ଶନ ପାଇଁ ସେ ପ୍ରାୟ ୧୦୦ ଟି ନାଟକ ଓ ଫିଚର୍ ଲେଖିଛନ୍ତି । ସେଥିମଧ୍ୟରେ ଅନେକଗୁଡ଼ିଏ ଧାରାବାହିକ ଓ ‘ଦେବୀ ଦୁର୍ଗା’ ନାମକ ଏକ ସ୍ମରଣୀୟ ପୌରାଣିକ କାହାଣୀ ମଧ୍ୟ ରହିଥିଲା । ଓଡ଼ିଆ ନାଟ୍ୟଜଗତକୁ ଗୋପାଳ ଛୋଟରାୟଙ୍କ ଅବଦାନ ଅବିସ୍ମରଣୀୟ ହୋଇ ରହିବ । ଓଡ଼ିଆ ଗୀତିନାଟ୍ୟକୁ ନୂଆ ଜୀବନ ଦେଇଥିଲେ ଛୋଟରାୟ ଓ ସେ ଶ୍ରୀଗଣେଶ, ମହିଷମର୍ଦ୍ଦିନୀ, ଜନ୍ମାଷ୍ଟମୀ, ଶ୍ରୀଜଗନ୍ନାଥ, କପଟପାଶା, ଘରବରା ଦେଖା, ନ ପାହୁ ରାତି ନ ମରୁ ପତି, ଶ୍ରୀମତୀ ସମାର୍ଜ୍ଜନୀ, ଶ୍ରୀହରିଙ୍କ ସଂସାର, ପୂରାପୂରି ପାରିବାରିକ, ବିଭ୍ରାଟ, ଡାକ୍ତର ବାବୁ ଆଦି ନାଟକ ଓ ଗୀତିନାଟ୍ୟ ଲେଖିଥିଲେ, ଯାହା ଆଜି ମଧ୍ୟ ଲୋକାଦୃତ । ଦୂରଦର୍ଶନ ପାଇଁ ସେ ପ୍ରାୟ ୧୦୦ଟି ନାଟକ ଓ ଫିଚର୍ ଲେଖିଥିବାବେଳେ ଅନେକ ଧାରାବାହିକ ଓ ‘ଦେବୀ ଦୁର୍ଗା’ ନାମକ ଏକ ସ୍ମରଣୀୟ ପୌରାଣିକ କାହାଣୀ ରଚନା କରିଥିଲେ । ତାଙ୍କ ରଚିତ ନାଟକ ଅନେକ ମଞ୍ଚ, ବେତାର, ଅପେରା, ଚିତ୍ରନାଟ୍ୟର କାହାଣୀ ହିନ୍ଦୀ, ଇଂରାଜୀ ଓ ତେଲୁଗୁରେ ଅନୁବାଦ ହୋଇଛି । ୧୯୪୧ ମସିହାରେ ତାଙ୍କ ଲିଖିତ ପ୍ରଥମ ଏକାଙ୍କିକା ସହଧର୍ମିଣୀ ବେଶ ପ୍ରଶଂସିତ ହେବାପରେ ସେ ୧୯୭୧ରେ ‘ନପାହୁ ରାତି ନମରୁ ପତି’, ୧୯୮୧ରେ ହାସ୍ୟରସ ନାଟକ, ୧୯୮୯ରେ ‘କପଟପଶା’, ୧୯୯୨ରେ ‘ବାବୁ ଚନ୍ଦ୍ରମଣି’, ୧୯୯୩ରେ ପଞ୍ଚନାଟିକା ଆଦି ରଚନା କରିଥିଲେ । ଶ୍ରୀଜଗନ୍ନାଥ, ଅମଡ଼ା ବାଟ, ଅଭିନେତ୍ରୀ, ମାଟିର ମଣିଷ ଓ ଅଦିନ ମେଘ ଭଳି ଚଳଚ୍ଚିତ୍ର ସହ ମଧ୍ୟ ସେ ସଂପୃକ୍ତ ଥିଲେ । ତାଙ୍କ ଆତ୍ମଜୀବନୀ ‘ପଥିକ’ ମଧ୍ୟ ଖୁବ ପ୍ରସିଦ୍ଧ, ଯେଉଁଥିରେ ସେ ତାଙ୍କ ଜୀବନ କାହାଣୀ ପ୍ରକାଶ କରିଛନ୍ତି । ୧୯୭୬ ମସିହାରେ ଗୋପାଳ ଛୋଟରାୟ ଓଡିଶା ସାହିତ୍ୟ ଏକାଡେମୀ ପୁରସ୍କାର ପାଇଥିଲେ । ସେହିପରି ୧୯୮୨ରେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର, ୧୯୯୨ରେ ବିଷୁବ ପୁରସ୍କାର, ୨୦୦୦ରେ ଶାରଳା ପୁରସ୍କାର ଓ ୨୦୦୨ରେ ସମ୍ମାନଜନକ ପଦ୍ମଶ୍ରୀ ପୁରସ୍କାର ପାଇଥିଲେ । ୨୦୦୩ ମସିହା ଜାନୁଆରି ମାସ ୨୨ ତାରିଖରେ ସେ ଶେଷ ନିଶ୍ୱାସ ଛାଡ଼ିଥିଲେ । ସେ ଆମ ଗହଣରେ ନାହାନ୍ତି ସତ, କିନ୍ତୁ ତାଙ୍କ କୃତି ତାଙ୍କୁ ସବୁଦିନ ଅମର କରିଛି ଆଉ ରଖିଥିବ ମଧ୍ୟ ।
ଅରଙ୍ଗାବାଦ, ବରୀ, ଯାଜପୁର
ମୋବାଇଲ - ୮୨୪୯୫୦୨୭୭୬