ଅଭିଜ୍ଞତା ବଡକଥା
ଆଜ୍ଞା ନମସ୍କାର,
ଛୋଟ କଥାର ବଡ ବିଚାର 'ଅମୃତ ବିନ୍ଦୁ ।' 'ଅମୃତ ବିନ୍ଦୁ'ର ଆଜିର ଅଧ୍ୟାୟରେ ଆମେ ଜାଣିବା ଜୀବନରେ ଅଭିଜ୍ଞତା କେମିତି ବଡକଥା ସେ ବାବଦରେ କିଛି କଥା । ଆଜିର କଥାକୁ ଆପଣ ଗ୍ରହଣ କରିବେ, ବିଚାରିବେ ବୋଲି ଆଶା ।
ସମାଜରେ ପରାମର୍ଶ ଦେବା ପାଇଁ ବହୁତ ଲୋକ ଅଛନ୍ତି । ପରାମର୍ଶକୁ ମାର୍ଗଦର୍ଶନ, ଉପଦେଶ, ନିର୍ଦ୍ଦେଶ, ଆଦେଶ ଆଦି ବିଭିନ୍ନ ନାମରେ ନାମିତ କରାଯାଇପାରେ । ତେବେ ମାର୍ଗଦର୍ଶକ ଶବ୍ଦଟି ଶୁଣିବାକୁ ମଧୁର ଲାଗେ । ଏହି ଶବ୍ଦଟିର ବିଶ୍ଲେଷଣ କଲେ ଦେଖାଯାଏ ଯେ ଯେକୌଣସି ବ୍ୟକ୍ତି ଆଉ ଜଣେ ବ୍ୟକ୍ତି ପାଇଁ ମାର୍ଗଦର୍ଶନ ଦେଇପାରେ । 'ଏମିତି କରିବ ନାହିଁ', 'ସେମିତି କରିବ ନାହିଁ', "ଏୟା କଲେ ଭଲ ହେବ', 'ସେଇଟା କଲେ ଖରାପ ହେବ', 'ଅମୁକଟା ଆଦର୍ଶ', 'ସମୁକଟା ଭଲ କାମ ନୁହଁ' ଭଳି ପରାମର୍ଶ ସବୁ କେହି ନା କାହାକୁ ବାଣ୍ଟି ଚାଲିଥାନ୍ତି । ପରାମର୍ଶ ବା ମାର୍ଗଦର୍ଶନ ଦେବା କ୍ଷେତ୍ରରେ ବୟସ, ଶିକ୍ଷାଗତ ଯୋଗ୍ୟତା, ଆର୍ôଥକ ଅବସ୍ଥା, ସାମାଜିକ ସ୍ଥିତି ଆଦି କିଛିର ଆବଶ୍ୟକତା ନଥାଏ । ଅନ୍ୟପକ୍ଷରେ ଯଦି କେହି କାହାରିକୁ କିଛି ନିଜ ଅଭିଜ୍ଞତାରୁ କହି ବସେ ତେବେ ନିଶ୍ଚିତ ରୂପେ ଜୀବନର ଦୀର୍ଘ ସମୟର ଅନୁଭୂତି ରହିଥିବା ଦର୍ଶାଏ । ଦୀର୍ଘ ବର୍ଷର ଅନୁଭୂତି ନଥିଲେ ଜୀବନରେ ଅନୁଭୂତି ପାଇବା କଷ୍ଟକର । ଅଭିଜ୍ଞତା କୌଣସି ବହିପ?ା ପ୍ରସଙ୍ଗ ନୁହେଁ, ଏହା ବାସ୍ତବ ଜୀବନ ସହିତ ଜଡିତ । ଅଭିଜ୍ଞ ମଣିଷ ଜୀବନର କୌଣସି କ୍ଷେତ୍ରରେ ବି ହାରେ ନାହିଁ । ଜୀବନର ଅନେକ ପରିସ୍ଥିତିକୁ ନିୟନ୍ତ୍ରଣ କରିବା ଅଭିଜ୍ଞତା ଉପରେ ନିର୍ଭର କରିଥାଏ । ଜୀବନରେ ଯେଉଁ ଲୋକର ଅଭିଜ୍ଞତା କମ୍, ସେ ତ ଟିକିଏ ଓଲମ୍ବିଲୋମ୍ ହେଇଗଲେ ସବୁ କିଛି ସରିଗଲା ବୋଲି ଭାବେ । ଜୀବନର ପ୍ରତି ପାଦରେ ଅଭିଜ୍ଞତା ହିଁ କାମରେ ଆସେ । ସାମାଜିକ ଜୀବନଯାପନ କ୍ଷେତ୍ରରେ କିଛିଟା ସାମାଜିକ ନିୟମ ମାନିବାକୁ ପଡେ । ବ୍ୟକ୍ତି ସମାଜ ଭିତରେ ସମ୍ପୂର୍ଣ୍ଣ ସ୍ୱାଧୀନ ନୁହେଁ । ସମାଜ ବ୍ୟକ୍ତିକୁ ଅନେକ କିଛି ନିରାପତ୍ତା ଦେଇଥାଏ । ଏହି ନିରାପତ୍ତାଗୁଡିକ ବୟସ ବଢିବା ସହିତ ଅଭିଜ୍ଞତାରେ ପରିଣତ ହୁଏ । ସେହି ଅଭିଜ୍ଞତା ହିଁ ଅନ୍ୟମାନଙ୍କ ପାଇଁ ଗ୍ରହଣର ବିଷୟ । ଅଭିଜ୍ଞତାକୁ ବାଦ୍ ଦେଇ କେବଳ ଶିକ୍ଷାଗତ ଯୋଗ୍ୟତାକୁ ଅଗ୍ରାଧିକାର ଦେଲେ ବାସ୍ତବ କ୍ଷେତ୍ରରେ ଅନେକ ପ୍ରକାର ସମସ୍ୟାର ସମାଧାନ କରିବା ଅତ୍ୟନ୍ତ କଷ୍ଟକର । ଉଦାହରଣ ସ୍ୱରୂପ କୌଣସି ଜଣେ କର୍ତ୍ତୃପକ୍ଷଙ୍କ ନିକଟରେ ସାମୁହିକ ଭାବେ କିଛି ଦାବି କରି ବସିଲେ କର୍ତ୍ତୃପକ୍ଷ ସେମାନଙ୍କୁ କଥାବର୍ତ୍ତା ପାଇଁ ଡାକିଲେ ଅସୁବିଧାରେ ପଡିଯିବେ । ହେଲେ ମାତ୍ର ଜଣେ ପ୍ରତିନିଧିଙ୍କ ସହିତ ଆଲୋଚନା କରିବାକୁ ପ୍ରସ୍ତାବ ଦେଲେ ଏହା ଯଥେଷ୍ଟ ମାତ୍ରା ଫଳପ୍ରଦ ହୋଇଥାଏ । କୌଣସି ବହିରେ ଲେଖାଯାଇ ନାହିଁ ଯେ ସାମୁହିକ ସମସ୍ୟା ଆଲୋଚନା ପାଇଁ ଦଳେ ଲୋକଙ୍କ ସହିତ କିମ୍ବା ଜଣେ ଲୋକଙ୍କ ସହିତ ଆଲୋଚନା କରାଯାଏ ବୋଲି । ଏହା କେବଳ ନିଜ ଅଭିଜ୍ଞତାର କଥା । ତେଣୁ ଅଭିଜ୍ଞତା ହିଁ ଜୀବନର ସବୁଠାରୁ ବଡକଥା ।
ପଢିଥିବା ହେତୁ ଆପଣଙ୍କ ନିକଟରେ କୃତଜ୍ଞ । ନମସ୍କାର ।