ମିଅାଁମାର ଭୂକମ୍ପ : ମୃତୁ୍ୟ ୩ ହଜାର ପାର୍
ନୂଆଦିଲ୍ଲୀ: ମିଅାଁମାର ଭୂକମ୍ପରେ ୩ହଜାର ପାର୍ ହୋଇଛି ମୃତୁ୍ୟସଂଖ୍ୟା । ସେହିପରି ପ୍ରାୟ ସାଢ଼େ ୪ ହଜାର ଲୋକ ଗୁରୁତର ଅବସ୍ଥାରେ ହସପିଟାଲରେ ଚିକିତ୍ସାଧୀନ ଅଛନ୍ତି ବୋଲି ମିଅାଁମାର ଜୁଣ୍ଟା ସରକାର ପକ୍ଷରୁ କୁହାଯାଇଛି । ଅପରପକ୍ଷେ ମିଅାଁମାରର ଅତ୍ୟନ୍ତ ସହଯୋଗୀ ଭାବେ ଭାରତ ସେଠାକୁ ନାନା ସହଯୋଗ ପଠାଇଥିବା ବେଳେ ଅପରେସନ୍ ବ୍ରହ୍ମା ଜରିଆରେ ଏନ୍ଡିଆର୍ଏଫ୍ ଟିମ୍ ବିଭିନ୍ନ ଧ୍ୱଂସାବଶେଷରୁ ମୃତାହତଙ୍କୁ ଉଦ୍ଧାର କରୁଛନ୍ତି । ଏନ୍ଡିଆର୍ଏଫ୍ର ଡେପୁଟି କମାଣ୍ଡର୍ କୁନାଲ ତିୱାରୀ କହିଛନ୍ତି ଯେ, ୮୦ଜଣଙ୍କୁ ଗଠନ ହୋଇଥିବା ଆମ ଟିମ୍ ବିଭିନ୍ନ ଭାରୀ ଯନ୍ତ୍ରାଂସ ବ୍ୟବହାର କରି ଧ୍ୱଂଶାବଶେଷକୁ ତନ୍ନ ତନ୍ନ କରି ଖୋଜୁଛୁ ଏବଂ ମୃତାହତଙ୍କୁ ଉଦ୍ଧାର କରୁଛୁ । ବିପୁଳ ମାତ୍ରାରେ ଶବ ଠାବ କରିସାରିଲୁଣି ବୋଲି ସେ କହିଛନ୍ତି ।
ଅପରପକ୍ଷେ ମୃତୁ୍ୟ ସଂଖ୍ୟା ୧୦ ହଜାର ଟପିଯିବ ବୋଲି ଆମେରିକୀୟ ସଂସ୍ଥା ଦାବି କରିଥିଲା । ଆଜି ମିଆଁମାରରେ ମୃତକଙ୍କ ଉଦେ୍ଦଶ୍ୟରେ ନିରବ ପ୍ରାର୍ଥନା କରାଯାଇଥିଲା । ଭୂକମ୍ପ ଦିନ ଅନେକ ମୁସଲିମ୍ ମସଜିଦରେ ନମାଜ ପଢୁଥିଲେ । ରମଜାନ୍ ସହ ଶୁକ୍ରବାର ଥିବାରୁ ବହୁ ସଂଖ୍ୟକ ଲୋକେ ନମାଜ ପଢ଼ିବାରେ ନିମଗ୍ନ ଥିଲେ । ଭୂକମ୍ପ ଯୋଗୁଁ ମସଜିଦ୍ ଭୁଶୁଡ଼ି ପଡ଼ିବାରୁ ୭ ଶହ ମୁସଲିମଙ୍କର ମୃତୁ୍ୟ ହୋଇଛି ବୋଲି ମୁସିଲମ୍ ସଂଗଠନ ପକ୍ଷରୁ କୁହାଯାଇଛି । ଭୂକମ୍ପ ଯୋଗୁଁ ୬୦ ମସଜିଦ୍ କ୍ଷତିଗ୍ରସ୍ତ ହୋଇଥିବା ଜଣାପଡ଼ିଛି । ମିଅାଁମାରରେ ଉଦ୍ଧାର କାର୍ଯ୍ୟ ପାଇଁ ଚାଇନା, ରୁଷିଆ ଓ ଭାରତ ଜରୁରୀକାଳୀନ ଟିମ୍ ସହ ଅତ୍ୟାବଶ୍ୟକୀୟ ସାମଗ୍ରୀ ପଠାଇଛି । ଅନ୍ୟ ଦେଶମାନଙ୍କରୁ ବି ମିଲିୟନ୍ ମିଲିୟନ୍ ସହାୟତା ଜାରି ରହିଛି ।