ସ୍ୱାସ୍ଥ୍ୟସେବାରେ ସତ ଆଉ ମିଛ

ଡ. ନିରଞ୍ଜନ ସାହୁ : ନିକଟରେ ଗୋଟିଏ ସଂକ୍ଷିପ୍ତ ଭିଡ଼ିଓ ମୋ ନଜରକୁ ଆସିଲା । ଜଣେ ଯୁବ ଡାକ୍ତର ଏକ ଜାତୀୟ କର୍ମଶାଳାରେ ଦେଇଥିବା ବକ୍ତବ୍ୟଟି ସେଥିରେ ଉପସ୍ଥାପିତ ହୋଇଛି । ସେଥିରେ ସେ ଦୁଇଟି କଥା ବିଷୟରେ ଆଲୋଚନା କରିଛନ୍ତି ।
ପ୍ରଥମତଃ କିଛି ଲୋକ ଅଛନ୍ତି ଯେଉଁମାନେ ବାର୍ଷିକ ଅନ୍ତତଃ ଥରେ ସେମାନଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାନ୍ତି ଓ ତଦନୁସାରେ ନିଜର ସମ୍ଭାବ୍ୟ ରୋଗ ସମ୍ପର୍କରେ ଜାଣି ତାର ନିଦାନ କରାନ୍ତି । ଆଉ କିଛି ଅତି ସ୍ୱାସ୍ଥ୍ୟ ସଚେତନ ଅଛନ୍ତି ଯେଉଁମାନେ ଛ ମାସ, ତିନି ମାସ, ପନ୍ଦର ଦିନ ଏପରିକି ସବୁଦିନ କିଛି ନା କିଛି ପରୀକ୍ଷା ନିରୀକ୍ଷା କରୁଥାନ୍ତି । ଗବେଷଣାରୁ ଯାହା ତଥ୍ୟ ଆବିଷ୍କୃତ ହୋଇଛି ତାହା ସମସ୍ତଙ୍କୁ ଚମକେଇଦେଲା ଭଳି । କାରଣ ଯେଉଁମାନେ ସ୍ୱାସ୍ଥ୍ୟ ପରୀକ୍ଷା କରାନ୍ତି ନାହିଁ ସେମାନେ ସ୍ୱାସ୍ଥ୍ୟ ପରୀକ୍ଷା କରୁଥିବା ଲୋକଙ୍କ ଠାରୁ ଅଧିକ ଦିନ ବଞ୍ଚନ୍ତି । ସ୍ୱାସ୍ଥ୍ୟରକ୍ଷାର ସାଧାରଣ ନିୟମ ମାନୁଥିଲେ ବାରମ୍ବାର ସ୍ୱାସ୍ଥ୍ୟ ପରୀକ୍ଷାର ବିଶେଷ ଆବଶ୍ୟକତା ନାହିଁ କହିଲେ ଚଳେ । ବରଂ ଯେଉଁମାନେ ଛୋଟ ଛୋଟ କଥାରେ ସ୍ୱାସ୍ଥ୍ୟ ପରୀକ୍ଷା କରନ୍ତି ସେମାନେ ଏକ ଆତ୍ମବିଶ୍ୱାସହୀନ ସ୍ଥିତି ନିଜ ଭିତରେ ସୃଷ୍ଟି କରନ୍ତି, ଯାହାହିଁ ସେମାନଙ୍କର ବିପଦର କାରଣ ହୋଇଥାଏ । ‘ସଂଶୟାତ୍ମା ବିନଶ୍ୟନ୍ତି’ ବୋଲି ଯେଉଁ କଥା ଶ୍ରୀମଦ୍ ଭଗବଦ୍ ଗୀତାରେ କୁହାଯାଇଛି ଏହା ତାର ଏକ ଉଦାହରଣ ବୋଲି ଧରି ନିଆଯାଇପାରେ ।
ଦ୍ୱିତୀୟ କଥାଟି ଏହିପରି । ଡାକ୍ତରଙ୍କୁ ପାଖକୁ ଦୈନିକ ଅନେକ ରୋଗୀ ଆସନ୍ତି । ଯେଉଁ ରୋଗୀ ଆସନ୍ତି ସେମାନଙ୍କ ଭିତରୁ ବହୁ ରୋଗୀ ଅଛନ୍ତି ଯାହାଙ୍କଠାରେ ରୋଗର କୌଣସି ନିର୍ଦ୍ଦିଷ୍ଟ ଲକ୍ଷଣ ନଥାଇପାରେ; ମାତ୍ର ତାଙ୍କର ଧାରଣା ଯେ ତାଙ୍କର କିଛି ରୋଗ ହୁଏତ ଥାଇପାରେ । ଏପରି ରୋଗୀଙ୍କର ଡାକ୍ତରଙ୍କ ସହିତ କଥୋପକଥନ ଏହିପରି । “ଆଜ୍ଞା, ପଅର ଦିନ ସଂଧ୍ୟା ବେଳେ ମୋ ଛାତିଟା ଦାଉଁ ଦାଉଁ ହୋଇଗଲା, - କ’ଣ ହୋଇଥାଇପାରେ ଟିକିଏ ଦୟାକରି ଦେଖିବେ କି?” ଡାକ୍ତର ଷ୍ଟେଥୋ ବାହାର କରି ତାଙ୍କର ହୃତ୍ସ୍ପନ୍ଦନ ଦେଖିବା ସଂଗେ ସଂଗେ ଆବଶ୍ୟକ ସ୍ଥଳେ ତାଙ୍କର ରକ୍ତଚାପ ମପେଇବେ । ପଅରଦିନ ପରେ ଆଉ ସେମିତି କିଛି ଅନୁଭବ ହୋଇଛି କି କିମ୍ବା ଆଗରୁ ଉଚ୍ଚ ରକ୍ତଚାପ ଜନିତ କିଛି ଲକ୍ଷଣ ପ୍ରକାଶ ପାଇଛି ଅଥବା ହୃଦ୍ରୋଗ ସମ୍ବନ୍ଧୀୟ କିଛି ଔଷଧ ଖାଉଛନ୍ତି କି ବୋଲି ପ୍ରଶ୍ନ କଲେ ଉତ୍ତର ମିଳିବ ନାସ୍ତିସୂଚକ । ଏଇଭଳି ରୋଗୀମାନଙ୍କୁ ଡାକ୍ତର କହୁଛନ୍ତି ମିଛ ରୋଗୀ । ଯେଉଁମାନଙ୍କ ସଂଖ୍ୟା ଡାକ୍ତରଖାନରେ ଭିଡ଼ ଜମାଉଥିବା ଲୋକଙ୍କ ଭିତରେ ଅଧିକ; ମାତ୍ର ସେମାନଙ୍କ ପାଇଁ ସମୟ ଦେବାକୁ ହୁଏ, ଯାହା ଫଳରେ ପ୍ରକୃତ ରୋଗୀ ଚିକିତ୍ସା ବ୍ୟାହତ ହୁଏ; ମାତ୍ର ଏଇ ମିଛ ରୋଗୀଙ୍କ ଭିତରେ ଥାଆନ୍ତି ପ୍ରଭାବଶାଳୀ ଏବଂ କ୍ଷମତାଶାଳୀ ଲୋକେ ଯାହାକୁ ସିଧାସଳଖ ମନା କରିବା ବି ସମ୍ଭବ ହୁଏନି ଅନେକ କାରଣରୁ ।
ମହୀଶୂର ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତି ଡକ୍ଟର ବି.ଏମ୍. ହେଗଡ଼େ ଦେଇଥିବା କିଛି ବୟାନ ସମସ୍ତଙ୍କର ପ୍ରଣିଧାନଯୋଗ୍ୟ । ଆମେରିକାରେ ଥିବା ଫାର୍ମାସୀ କମ୍ପାନୀମାନେ ତାଙ୍କର ମୁନାଫା ପାଇଁ ଆନ୍ତର୍ଜାତିକ ସ୍ତରରେ ବ୍ଲଡ଼ପ୍ରେସର, ଡାଇବେଟିସ୍ ସାଧାରଣ ସ୍ତରକୁ ନିମ୍ନକୁ ନେଇଯାଉଛନ୍ତି । ଯାହାଫଳରେ ରୋଗୀ ସଂଖ୍ୟା ବହୁ ଗୁଣରେ ବୃଦ୍ଧି ପାଉଛି ଏବଂ ଥରେ ଏହି ରୋଗରେ ଔଷଧ ଖାଇବା ଆରମ୍ଭ ହେଲେ ଜୀବନ ସାରା ଖାଇବାକୁ ହେବ ବୋଲି ଡାକ୍ତରଙ୍କ ସତର୍କବାଣୀ ଭିତରେ ଜୀବନ ସାରା ଆଶଙ୍କା ଭିତରେ ମରି ମରି ବଂଚିଲା ପରି ଲାଗୁଛି । ବାସ୍ତବ କଥା ହେଲା ସେଇ ବହୁରାଷ୍ଟ୍ରୀୟ କମ୍ପାନୀମାନେ ଯେଉଁ ହାରାହାରି ମାନକ ଠିକ୍ କରନ୍ତି ତାକୁ ବିଶ୍ୱବ୍ୟାପୀ ଡାକ୍ତରମାନେ କାହିଁକି ଗ୍ରହଣ କରିନିଅନ୍ତ, ସେକଥା ଆପଣମାନେ ଅନୁମାନ କରିପାରୁଥିବେ । କହିବା ବାହୁଲ୍ୟ ସ୍ୱାସ୍ଥ୍ୟସେବା ଏବେ ବ୍ୟବସାୟରେ ପରିଣତ ହୋଇଛି ।
ଆପଣ ଆଜିକାଲି କୌଣସି ରୋଗରୁ ଉପସର୍ଗ ଧରି ଡାକ୍ତରଙ୍କ ପାଖକୁ ଯାଆନ୍ତୁ, ସେ ଯେତିକି ପରୀକ୍ଷା କରିବା ପାଇଁ କହିବେ ସେଗୁଡ଼ିକ ଭିତରୁ ଯେ ସବୁଗୁଡ଼ିକ ଅତ୍ୟାବଶ୍ୟକ ତାହା ଅନ୍ୟ ଦୁଇଜଣ ଡାକ୍ତରଙ୍କ ସହିତ ଆଲୋଚନା କଲେ ଜାଣିପାରିବେ । ସେଇ ପରୀକ୍ଷା ନାଁରେ ଆପଣଙ୍କ ଶରୀରକୁ ସେମାନେ ଗୋଟାପଣେ ସ୍କି୍ରନିଂ କରିଦେବେ । ଆପଣ ଯେତିକି ରୋଗ ଅଛି ବୋଲି ଭାବୁଥିବେ ତାଠାରୁ ଆହୁରି ଅନେକ ରୋଗର ଖିଅ ବି ବାହାର କରିଦେଇ ପାରିବେ । କର୍ପୋରେଟ୍ ହାସ୍ପାତାଳମାନଙ୍କରେ ଯେଉଁ ଡାକ୍ତରମାନେ ଅଛନ୍ତି ସେମାନଙ୍କ ମାସିକ ଦରମା ଜାଣିଲେ ଆପଣ ଆଶ୍ଚର୍ଯ୍ୟ ନ ହୋଇ ରହିପାରିବେ ନାହିଁ । ସେମାନେ ଏତେ ଦରମା ପାଇବା ପଛର କାରଣ ହେଲା, ସେମାନଙ୍କୁ ମାସିକିଆ ଆଦାୟ ଲକ୍ଷ୍ୟ ଦିଆଯାଏ ଆଉ ସେଇ ଲକ୍ଷ୍ୟ ପୂରଣ କରିବା ପାଇଁ ସେମାନେ ବାଧ୍ୟ ହୋଇ ବହୁ ଅଦରକାରୀ ପରୀକ୍ଷା ନିରୀକ୍ଷା କରିବାକୁ ରୋଗୀଙ୍କୁ ପରାମର୍ଶ ଦେଇଥାନ୍ତି । ଯଦି କେହି ଡାକ୍ତର କ୍ରମାଗତ ଭାବରେ କିଛି ମାସ ଧରି ଆଦାୟ ଧାର୍ଯ୍ୟ ଲକ୍ଷ୍ୟ ପୂରଣ କରିପାରନ୍ତି ନାହିଁ, ତାହେଲେ ତାଙ୍କୁ ସେଇ ହାସପାତାଳ ଛାଡ଼ିବାକୁ ପଡ଼ିଥାଏ । ଡାକ୍ତର ଯଦି ନିଜେ ଚାପଗ୍ରସ୍ତ ହେବେ ତାହେଲେ ଚିକିତ୍ସା ବ୍ୟବସ୍ଥା କେମିତି ଚାଲୁଥିବ ସେକଥା ଆପଣ ଭାବି ପାରନ୍ତି ।
ଭାରତରେ ଯେଉଁ ବିଭିନ୍ନ ଶଲ୍ୟ ଚିକିତ୍ସା କରାଯାଏ ତାହା ମଧ୍ୟରୁ ଶତକଡ଼ା ପଚାଶ ପାଖାପାଖି ମିଛ ସର୍ଜରୀ ବୋଲି ଏକ ଅଧ୍ୟୟନରୁ ଜଣାପଡ଼ିଛି ।
ସେଇ ତଥ୍ୟର ଆଧାରରେ ଭାରତରେ ହେଉଥିବା ହୃଦସର୍ଜରୀରୁ ଶତକଡ଼ା ୫୫ ଭାଗ, ଜରାୟୁ ଶଲ୍ୟ ଚିକିତ୍ସାର ଶତକଡ଼ା ୪୮ ଭାଗ, କ୍ୟାନସର ସର୍ଜରୀର ଶତକଡ଼ା ୪୭ ଭାଗ, ଆଣ୍ଠୁଗଣ୍ଠି ସର୍ଜରୀର ଶତକଡ଼ା ୪୭ ଭାଗ ଏହି ମିଛ ସର୍ଜରୀ ଅନ୍ତର୍ଭୁକ୍ତ । ଅର୍ଥାତ୍ ଆବଶ୍ୟକ ନ ଥିବା ସ୍ଥଳେ ଏପରି ଶଲ୍ୟ ଚିକିତ୍ସା କରାଯାଏ କିମ୍ବା ରୋଗୀ ଜାଣି ପାରନ୍ତି ନାହିଁ ଯେ ବାସ୍ତବରେ ତାଙ୍କର ଶଲ୍ୟ ଚିକିତ୍ସାର ଆବଶ୍ୟକତା ଥିଲା କି ନାହିଁ । କର୍ପୋରେଟ ହସ୍ପିଟାଲମାନଙ୍କରେ ମରିଯାଇଥିବା ରୋଗୀଙ୍କୁ ଭେଣ୍ଟିଲେଟରରେ ରଖାଯାଇ ସେମାନଙ୍କର ପରିବାରବର୍ଗଙ୍କୁ ଧାରଣା ଦିଆଯାଏ ଯେ ତାଙ୍କର ରୋଗୀ ଜୀବିତ ଅଛନ୍ତି ଏବଂ ତାଙ୍କର ଲୋକଦେଖାଣିଆ ଚିକିତ୍ସା ବି ଚାଲିଥାଏ । ଏମିତି ଅନେକ ମିଛ ଓ ଶଠତା ଭିତରେ ସ୍ୱାସ୍ଥ୍ୟସେବା ଚାଲିଥିବାର ଅନେକ ଦୁଃଖଦ କାହାଣୀ ଓ ଅନୁସନ୍ଧାନମୂଳକ ପ୍ରବନ୍ଧ ଲେଖିଛନ୍ତି ଡାକ୍ତର ଅରୁଣ ଗୁତ୍ରେ ଓ ଡାକ୍ତର ଆଶିଷ ଶୁକ୍ଳା ।
ଶଠତାର ସୌଦାଗର ସାଜିଥିବା ଏଇ ସ୍ୱାସ୍ଥ୍ୟସେବା ଅନୁଷ୍ଠାନମାନଙ୍କ ନିକଟରେ ଆମେ ବାସ୍ତବରେ ଅତ୍ୟନ୍ତ ଦୟନୀୟ ଓ ଅସହାୟ । ଆମ ଦେଶର ଆଇନର ଜାଲରେ ସେମାନଙ୍କୁ ଦଣ୍ଡଦେବା ବି ଭାରି କଷ୍ଟ । ଇନ୍ସୁ୍ୟରେନସ୍କୁ ଛାଡ଼ିଦେଲେ ସ୍ୱାସ୍ଥସେବା ଅଧୁରା; ମାତ୍ର ଇନ୍ସୁ୍ୟରେନ୍ସ ଥିଲେ ରୋଗୀ ସେବା ଖର୍ଚ୍ଚ କେତେଗୁଣ ବଢ଼ିଯାଏ ଏହା କାହାକୁ ଅଜଣା ନାହିଁ । ଏଇ ପରିପ୍ରେକ୍ଷୀରେ କିଛି ଲୋକଙ୍କର ସାଧୁତା ଓ ନିଷ୍ଠାପରତା ହିଁ ଆମର ଏକମାତ୍ର ଭରସା ।
ମୋ : ୯୪୩୮୪୮୨୯୧୧
(ଲେଖକ ଭାରତୀୟ ପ୍ରଶାସନିକ ସେବାର ଜଣେ ପୂର୍ବତନ ଅଧିକାରୀ)