ନିମ୍ନମାନର କାମ ମାସେ' ନପୂରୁଣୁ ରାସ୍ତା ଫାଟି ଆଁ
ନୂଆପଡା : ନୂଆପଡା ଜିଲ୍ଲା କୋମନା ବ୍ଲକ ବରନ୍ଦାଜୋର ଓ ଜନ୍ଦ୍ରାମୁଣ୍ଡା ରାସ୍ତା ନିର୍ମାଣର ମାସେ ମଧ୍ୟରେ ରାସ୍ତାଟି ସଂପୂର୍ଣ୍ଣ ଫାଟି ଆଁ ହୋଇଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି । ପ୍ରକାଶ ଯେ, ସୁନ୍ଦର ନଦୀରେ ୭କୋଟି ୩୭ଲକ୍ଷ ଟଙ୍କା ବିନିମୟରେ ନୂତନ ପୋଲ ନିର୍ମାଣ ହୋଇଛି । ହେଲେ ନିର୍ମାଣ ହୋଇ ଏକମାସ ନପୂରୁଣୁ ପୋଲର ଦୁଇ ପାର୍ଶ୍ୱ ରାସ୍ତାଟି ଫାଟ ସୃଷ୍ଟି ହୋଇ ମାଟି ତଳକୁ ଖସିବାକୁ ଲାଗିଲାଣି । ଆଗକୁ ବର୍ଷା ମାସ ଆସୁଛି । ହେଲେ ରାସ୍ତାଟି ସଂପୂର୍ଣ୍ଣ ନଷ୍ଟ ହେବାକୁ ଲାଗିଲାଣି । ବିଭାଗୀୟ ଅଧିକାରୀଙ୍କ ଦୂରଦୃଷ୍ଟି ଅଭାବ ହେତୁ ଏବଂ ଠିକାଦାରର ମନମୁଖୀ ସହ ନିମ୍ନମାନର କାମରୁ ମାସେ ନ ପୂରୁଣୁ ପୋଲର ଉଭୟ ପାର୍ଶ୍ୱ ରାସ୍ତାରେ ବଡ଼ ବଡ଼ ଫାଟ ସୃଷ୍ଟି ହୋଇଛି । ଏନେଇ ଯାତାୟାତରେ ବାଧା ସୃଷ୍ଟି ହେଉଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି । ଏ ସମ୍ପର୍କରେ ବିଭାଗୀୟ ଅଧିକାରୀଙ୍କ ସହ ଯୋଗାଯୋଗ ହୋଇ ପାରି ନାହିଁ । ଏ ଦିଗରେ ତୁରନ୍ତ ପଦକ୍ଷେପ ନେଇ ତଦନ୍ତ କରି ଆବଶ୍ୟକ ପଦକ୍ଷେପ ନେବାକୁ ପ୍ରଶାସନକୁ ନିବେଦନ କରିଛନ୍ତି ଗ୍ରାମବାସୀ । ନ ହେଲେ ଆଗାମୀ ଦିନରେ ରାଜରାସ୍ତାକୁ ଓହ୍ଲାଇବା ସହ ଆନେ୍ଦାଳନାତ୍ମକ ପନ୍ଥା ଗ୍ରହଣ କରିବେ ବୋଲି ଗ୍ରାମର ରଥ ମାଝି, ପୁସ୍ତମ ମାଝି, କୁମନ ମାଝି, ବ୍ରଜ ମାଝି, ଅଭିରାମ ମାଝି, ଚମରୁ ମାଝି, ରଘୁ ମାଝି, ସିନ୍ଦୁର ମାଝି, ଭୁଜବଳ ମାଝି ପ୍ରମୁଖ କହିଛନ୍ତି ।