ନୀରବତାର ଉତ୍ତର

ଆଜ୍ଞା ନମସ୍କାର, 
ଛୋଟ କଥାର ବଡ ବିଚାର 'ଅମୃତ ବିନ୍ଦୁ' । ଅମୃତ ବିନ୍ଦୁ'ର ଆଜିର ଅଧ୍ୟାୟରେ ଆମେ ଅନୁଶୀଳନ ଓ ଅନୁଭବ କରିବା ନୀରବତାର ଉତ୍ତରକୁ ନେଇ କିଛି କଥା । ଆଜିର କଥାକୁ ଆପଣ ଗ୍ରହଣ କରିବେ, ବିଚାରିବେ ବୋଲି ଆଶା । ଅନେକ ପରିସ୍ଥିତିରେ ଅନାବଶ୍ୟକ ଭାବରେ କଥା କହି ଅନେକ ଲୋକ ନିଜର ବ୍ୟକ୍ତିତ୍ୱକୁ ପରୋକ୍ଷରେ ବହୁ ଲୋକଙ୍କ ଦ୍ୱାରା ଉପହାସିତ କରନ୍ତି । ଅନାବଶ୍ୟକ କଥା ହିଁ ଅନେକ ସମସ୍ୟାର ମୂଳ କାରଣ । ଯେତିକି ଆବଶ୍ୟକ ତା' ଠାରୁ କମ୍‌ କହି ଭାବକୁ ପ୍ରକାଶ କରିପାରିଲେ ତାହା ବୁଦ୍ଧିମତା ଏବଂ ବିଜ୍ଞତାର ପରିଚୟ ହୁଏ । ଯେତିକି ଆବଶ୍ୟକ ତା'ଠାରୁ ଅଧିକ କହିଲେ ନିଜର ମୂର୍ଖତା ବା ଅଜ୍ଞତା ପ୍ରକାଶ ପାଏ । ତେଣୁ ବାକ୍‌ ସଂଯମ ଏବଂ ନୀରବତା ମନୁଷ୍ୟର ଏକ ଭୂଷଣ ଆଉ ଅନାବଶ୍ୟକ ଭାବରେ କଥା ନକହି ନୀରବ ରହିବା ସବୁଠାରୁ ଏକ ଉତ୍ତମ ଅଭ୍ୟାସ । 

ଅନେକ ବ୍ୟକ୍ତି ଆଉ କାହାକୁ ପଚରାଯାଇଥିବା ପ୍ରଶ୍ନର ଉତ୍ତର ଦେବାକୁ ଯାଇ ନିଜର ବିଜ୍ଞତା ଏବଂ ସର୍ବଜ୍ଞତା ଦେଖାଇ ହେବାକୁ ଚାହାନ୍ତି । ଏ ପ୍ରକାରର ଅଭ୍ୟାସ ମନୁଷ୍ୟକୁ ଅପ୍ରୀତିକର ପରିସ୍ଥିତିର ପକାଏ । ତେଣୁ ନୀରବ ରହିବା ପାଇଁ ସାଧନାର ଆବଶ୍ୟକତା ରହିଛି । ମଣିଷ ନୀରବ ରହିପାରିଲେ ତାର ଅନେକ କିଛି ସମସ୍ୟାର ସମାଧାନ ହୋଇ ଯାଇପାରନ୍ତା । କିନ୍ତୁ ପ୍ରବୃତ୍ତି ଏବଂ ସ୍ୱଭାବ ଏ ଦୁଇଟି ମନୁଷ୍ୟକୁ ନୀରବ ରହିବାକୁ ଦିଅନ୍ତି ନାହିଁ । ଏହା ଫଳରେ ମନୁଷ୍ୟ କେବେ କେମିତି ନିଜର ମାନସମ୍ମାନ ହରାଇ ବସେ । ନୀରବତା ଅବଲମ୍ବନ କରିବା ଏକ ବଡ ସାଧନା  । ଯିଏ ନୀରବ ରହିନପାରେ, ସେ ତା' ଜୀବନରେ ଅନେକ କଥା କହି କିଛି ଲାଭ ମଧ୍ୟ ପାଏ ନାହିଁ । ତେଣୁ ଜୀବନରେ ଏକ ଆଦର୍ଶ ଭାବରେ ନୀରବତା ଅବଲମ୍ବନ କରୁଥିବା ବ୍ୟକ୍ତିମାନେ ଅନେକ ପରିସ୍ଥିତିରେ ଲୋକହସା ହୁଅନ୍ତି ନାହିଁ । ଏଥିପାଇଁ ପ୍ରାଚୀନ ମୁନୀ, ଋଷି ମାନେ ଅଧିକାଂଶ ସମୟରେ ମୌନ ରହୁଥିଲେ, ତୁନି ହେଇ ରହୁଥିଲେ  । ମୌନବ୍ରତ ନିଜ ସହିତ ଏକାକାର ହେବାର ଏକ ମାଧ୍ୟମ । 
ପଢିଥିବା ହେତୁ ଆପଣଂକ ନିକଟରେ କୃତଜ୍ଞ । ନମସ୍କାର