ପରମ୍ପରାରେ ଗୋମୟ ଲେପନ

ପରମ୍ପରାରେ ଗୋମୟ ଲେପନ
ନାରାୟଣ ଚନ୍ଦ୍ର ବିଶ୍ୱାଳ : ଆମ ନିତିଦିନିଆ ଜୀବନରେ ଅନେକଙ୍କ ଘରେ ବିଶେଷକରି ଗ୍ରାମାଞ୍ଚଳରେ ମାଟିଘରେ ଗୋମୟ ବା ଗୋବର ଲେପନ କରାଯାଇଥାଏ । ଗୋବର ଲିପା ପରେ ଅତ୍ୟନ୍ତ ଚିତ୍ତାକର୍ଷକ ଚିତା ପ୍ରାୟତଃ ଘରର ସୌନ୍ଦର୍ଯ୍ୟକୁ କେବଳ ବଢ଼ାଇନଥାଏ ଏହା ପଛରେ ଏକ ସ୍ୱାସ୍ଥ୍ୟଗତ ଦିଗ ମଧ୍ୟ ରହିଛି । କିଛି ଦିନ ତଳେ ନୂଆଦିଲ୍ଲୀରେ ବାଲେଶ୍ୱର ସାଂସଦଙ୍କ ବାସଭବନ ମାଟି ଘର ତିଆରି ଓ ଏହା ଚମକ୍ରାର ଗୋମୟ ଲେପନ ହୋଇ ଅନେକଙ୍କ ଦୃଷ୍ଟି ଆକର୍ଷଣ କରିଥିଲା । ଭାରତୀୟ ସନାତନ ସଂସ୍କୃତିରେ ଗୋମୟ ବା ଗୋବର ପୂଜା କାର୍ଯ୍ୟରେ ମଧ୍ୟ ଲାଗିଥାଏ । ଗୋବର ପ୍ରାୟତଃ ଶସ୍ୟ କ୍ଷେତ୍ରରେ କେବଳ ଆଗକାଳେ ନୁହେଁ ବର୍ତ୍ତମାନ ମଧ୍ୟ ବ୍ୟବହାର ହେଉଛି । ଶସ୍ୟ ଉତ୍ପନ୍ନ ସହ ଏହାର ସୁଷମତାକୁ ମଧ୍ୟ ଗୋମୟ ଭରି ଦେଇଥାଏ ।  ଏହି ଗୋମୟ ଲେପନ ସମ୍ବନ୍ଧରେ ଆଲେଖ୍ୟ ପ୍ରସ୍ତୁତ ବେଳେ ମନେପଡ଼ୁଛି ଭୟଙ୍କର ଭୋପାଳ ଗ୍ୟାସ ଟ୍ରାଜେଡ଼ି କଥା । ଅନେକ ହୁଏତ ଜାଣିନଥିବେ ଭୟଙ୍କର ବିଷାକ୍ତ ଗ୍ୟାସରୁ ସୁରକ୍ଷା ଦେଇଥିଲା ମାଟିଘର ।୧୯୮୪ ଡିସେମ୍ବର ୨ ତାରିଖରେ ଘଟିଥିବା ଭୋପାଳ ଗ୍ୟାସ ଦୁର୍ଘଟଣା ସମୟରେ ଗୋଟାଏ ବିଚିତ୍ର ଘଟଣା ଘଟିଥିଲା । କୀଟନାଶକ ଔଷଧ କାରଖାନାରୁ ମାରାତ୍ମକ ମିଥାଇଲ ଆଇସୋସିୟାନେଟ ଗ୍ୟାସ ଲିକ ହୋଇ ଚାରିଆଡେ଼ ବ୍ୟାପିଗଲା । ବିଷାକ୍ତ ବାଷ୍ପ ବଉଦରୁ ତ୍ରାହି ପାଇବାକୁ ଲୋକେ ଆଶ୍ରୟ ଖୋଜିବାକୁ ଧାଇଁଲେ । କିନ୍ତୁ ପଟେଲ ପରିବାରର କିଛି କ୍ଷତି ହୋଇନଥିଲା । ଗୋମୟରେ ଲିପାପୋଛା ହୋଇଥିବା ଘରେ ପଟେଲ ପରିବାର ସୁରକ୍ଷିତ ଥିଲେ । ବିଷାକ୍ତ ଗ୍ୟାସର କୁପ୍ରଭାବରେ ୨୦୦୦୦ରୁ ଅଧିକ ଲୋକ ମୃତ୍ୟୁମୁଖରେ ପଡ଼ିଥିଲେ  । ଅନେକଙ୍କର ସ୍ୱାସ୍ଥ୍ୟଗତ ସମସ୍ୟା ସୃଷ୍ଟି ହୋଇଥିଲା । କିନ୍ତୁ ପଟେଲଘର ଲୋକମାନଙ୍କ ଠାରେ ଅସୁସ୍ଥତାର ଲେଶମାତ୍ର ଚିହ୍ନ ନଥିଲା । କେବଳ ପଟେଲଙ୍କ ଘର ଲୋକ ନୁହନ୍ତି, ସେ ଅଞ୍ଚଳରେ ଗୋମୟ ଲିପା ମାଟିଘରେ ବାସବାସ କରୁଥିବା ଲୋକେ ମଧ୍ୟ ଏହି ବିଷାକ୍ତ ବାଷ୍ପ ଦ୍ୱାରା ପ୍ରଭାବିତ ହୋଇ ନଥିଲେ । 
ଆଦିକାଳରୁ ମାଟିଘର ସବୁ ଗୋମୟରେ ଲିପାପୋଛା ହୋଇ ଆସୁଅଛି । ଘରେ କୌଣସି ଅଙ୍କଅଭିଷେକ, କାମକାର୍ଯ୍ୟ କି ପୂଜାପର୍ବାଣିରେ ତ ଗୋମୟ ଲେପନ ହୁଏ । ତା'ଛଡ଼ା ଲକ୍ଷ୍ମୀଙ୍କର ବାର କୁହାଯାଉଥିବା ଗୁରୁବାର ଦିନ ଘର ନ ହେଲେ ବି ଦୁଆର ନିଶ୍ଚୟ ଗୋମୟ ଜଳରେ ଲିପାପୋଛା କରାଯାଏ । ତିନୋଟି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ କରିଥାଏ ଗୋମୟ । ସମ୍ପ୍ରତି ଗୋମୟରେ ଘର ଲିପିବା ପ୍ରଥା ଅନ୍ଧବିଶ୍ୱାସ ବୋଲି ଅଧିକାଂଶ ମନେକଲେ ବି ଏଥିରେ କେତେକ ବୈଜ୍ଞାନିକ ସଦଗୁଣ ରହିଛି । କିନ୍ତୁ ସାଧାରଣ ଲୋକେ ତାର ମାହାତ୍ମ୍ୟ ବିଷୟରେ ବିଶେଷ ଭାବେ ଜାଣନ୍ତି ନାହିଁ । ବାସ୍ତବରେ ମାଟିଘର ପାଇଁ ଗୋମୟ ତିନୋଟି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକରେ । ପ୍ରଥମତଃ ଏଥିରେ ଅଠାଭାଗ ଥିବାରୁ ମାଟିକାନ୍ଥ ଫଟାଇ ଦିଏନାହିଁ । ଦ୍ୱିତୀୟତଃ ଏହା ତାପ କୁପରିବାହୀ ହୋଇଥିବାରୁ ଗ୍ରୀଷ୍ମକାଳରେ ଘର ଅପେକ୍ଷାକୃତ ଶୀତଳ ରହେ ଏବଂ ଶୀତ ଦିନେ ଉଷୁମ ରହେ । ତୃତୀୟତଃ ଏଥିରେ ବ୍ୟାକ୍ଟେରିଆ ବା ଅଣୁଜୀବ ବିନାଶକାରୀ ଉପାଦାନ ଥିବାରୁ ଘର ଜୀବାଣୁମୁକ୍ତ ରହେ । ଏସବୁ କାରଣରୁ ମଫସଲ ଅଞ୍ଚର ଝାଟିମାଟି ଓ ମାଟି ଘରର କାନ୍ଥ, ଚଟାଣ, ପିଣ୍ଡା ଓ ଦ୍ୱାର ଆଦି ଗୋମୟରେ ଲିପି ଚିକ୍କଣ କରାଯାଏ । କଂକ୍ରିଟ ଯେମିତି ବାହ୍ୟ ଉତ୍ତାପ ବିଶୋଷଣ କରେ, ଗୋମୟ ତାହା କରେ ନାହିଁ । ବରଂ ଏହା ପ୍ରାକୃତିକ ଉତ୍ତାପ ନିରୋଧକ ଭାବେ କାର୍ଯ୍ୟକରି ଗ୍ରୀଷ୍ମକାଳରେ ଘର ଭିତର ଶୀତଳ ଓ ଶୀତଦିନେ ଉଷୁମ ରଖେ । ଆଜିକାଲି ସହରମାନଙ୍କରେ ମଧ୍ୟ ଗୋମୟ ଓ ପ୍ରାକୃତିକ ଉପାଦାନ ପ୍ରସ୍ତୁତ ସହିତ ନିମପତ୍ର ଓ କାଦୁଅ ଦିଆଯାଇ ସିମେଣ୍ଟ ପଲସ୍ତରା ପରି ଗୃହ ତିଆରି କରାଯାଉଛି । ଗୋମୟ କେବଳ ଘର ଭିତରର ଅଙ୍ଗାରକ ନିର୍ଗମନ ହ୍ରାସ କରିନଥାଏ ବରଂ ଏହା ବାସ୍ତୁବିତ୍‌ଙ୍କ କହିବା ଅନୁଯାୟୀ ଘର ପାଇଁ ମଧ୍ୟ ଶୁଭଦାୟକ ରହିଥାଏ । ପ୍ରାକୃତିକ ଉତ୍ତାପ ନିୟନ୍ତ୍ରକ ହେବା ସହ ଚରମ ଜଳବାୟୁ ଅଞ୍ଚଳରେ ଆରାମ ପାଇଁ ଏହା ମଧ୍ୟ ବେଶ ଗୁରୁତ୍ୱପୂର୍ଣ୍ଣ । ତେଣୁ ଗୋମୟ ଲେପନ କେବଳ ପରମ୍ପରା ନୁହେଁ ଏହା ପଛରେ ମଧ୍ୟ ବିଜ୍ଞାନ ସମ୍ମତ କାରଣ ରହିଛି । 
ମୋ: ୯୪୩୮୨୭୬୭୬୦